ନୂଆଦିଲ୍ଲୀ: ୟୁନିଟେକ୍ ଓ ଏହାର ପୂର୍ବତନ ନିର୍ଦେଶକମାନଙ୍କ ନାମରେ ପୁଣି ଏକ ୩୯୫ କୋଟି ଟଙ୍କାର ବ୍ୟାଙ୍କ ଠକେଇ ଅଭିଯୋଗ ଆସିଛି। ଆଇଡିବିଆଇ ବ୍ୟାଙ୍କର ଅଭିଯୋଗ ଆଧାରରେ ସିବିଆଇ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇଛି। ସିବିଆଇ ପକ୍ଷରୁ ଏଫ୍‌ଆଇଆର୍‌ରେ ୟୁନିଟେକ୍‌ର ପୂର୍ବତନ ପ୍ରମୋଟର ରମେଶ ଚନ୍ଦ୍ରା, ଅଜୟ ଚନ୍ଦ୍ରା ଓ ସଞ୍ଜୟ ଚନ୍ଦ୍ରାଙ୍କ ନାମ ସାମିଲ କରାଯାଇଛି। ସେମାନଙ୍କ ବିରୋଧରେ ଅପରାଧିକ ଷଡ଼୍‌ଯନ୍ତ୍ର ଅଭିଯୋଗ ରହିଛି। କାନାରା ବ୍ୟାଙ୍କରେ କରିଥିବା ଅନ୍ୟ ଏକ ଠକେଇ ପାଇଁ ୟୁନିଟେକ୍ ପ୍ରତିଷ୍ଠାତାଙ୍କ ବିରୋଧରେ ପୂର୍ବରୁ ସିବିଆଇରେ ଏକ ମାମଲା ରୁଜୁ ହୋଇଥିଲା।

Advertisment

ଆଇଡିବିଆଇର ଅଭିଯୋଗ ଅନୁସାରେ ୟୁନିଟେକ୍ ୪୦୦ କୋଟି ଟଙ୍କାର ଋଣ ୨୦୧୨ରେ ନେଇଥିଲା। ମୋଟ ଉପରେ ଏହି ସଂସ୍ଥାରେ ଆଇଡିବିଆଇ ବ୍ୟାଙ୍କର ୯୭୪.୭୮ କୋଟି ଟଙ୍କା ବାକି ପଡ଼ିଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶରେ ୟୁନିଟେକ୍‌ର ହିସାବ ଖାତାକୁ ଗ୍ରାଣ୍ଟ୍‌ ଥର୍ଟନ ଦ୍ବାରା ଅଡିଟ୍‌ କରାଯିବା ପରେ ଜଣାପଡ଼ିଥିଲା ଯେ ୭୪ ଜଣ ଗ୍ରାହକଙ୍କ ଟଙ୍କାକୁ କଂପାନି ହଡ଼ପ କରି ଅନ୍ୟତ୍ର ପଠାଇ ଦେଇଛି। ଟିକସର ଭୂସ୍ବର୍ଗ କୁହାଯାଉଥିବା ସ୍ଥାନ ଜରିଆରେ ପାଣ୍ଠି ସ୍ଥାନାନ୍ତର କରାଯାଇଥିଲା। ୨୦୧୫-୨୦୧୮ରେ ଆଇଡିବିଆଇ ବ୍ୟାଙ୍କ କରିଥିବା ଅନ୍ୟ ଏକ ଫରେନ୍ସିକ୍ ଅଡିଟ୍‌ରୁ ଜଣାପଡ଼ିଥିଲା ଯେ କଂପାନି ଠକେଇ, ଜାଲିଆତି, ଅର୍ଥ ତୋଷାରପାତ ଆଦିରେ ଲିପ୍ତ ଥିଲା।