ଟାୟାର ଜାଳି ପୋଡିଦେଲେ ମୃତକଙ୍କ ଶବ, ୫ ପୁଲିସ କନେଷ୍ଟବଳ ସସପେଣ୍ଡ

ବଲିଆ: ଗଙ୍ଗା ଘାଟରେ ଟାୟାର ଜାଳି ପୋଡିଦେଲେ ମୃତକଙ୍କ ଶବ | ପେଟ୍ରୋଲ ଢାଳି ମୃତକଙ୍କ ଶବ ପଡିଥିବାର ଭିଡିଓ ଭାଇରାଲ ହେବା ପରେ ଏଥିରେ ସମ୍ପୃକ୍ତ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ବଲିଆରେ ଗଙ୍ଗାନଦୀରେ ଏକ ଶବ ଭାସିଆସିଥିଲା | ଆଉ ଏବାବଦରେ ସୂଚନା ପାଇବା ପରେ ୫ ଜଣ ପୁଲିସ କର୍ମଚାରୀ ଗଙ୍ଗା ଘାଟରେ ଶବକୁ ଅନ୍ତିମ ସଂସ୍କାର କରିଥିଲେ | ତେବେ କାଠ ବଦଳରେ ପୁରୁଣା ଟାୟାର ଓ ପେଟ୍ରୋଲ ଢାଳି ଶବକୁ ପୋଡିଦେଇଥିଲେ |

ଏହାର ଏକ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା | ଏହି ଘଟଣା ବାବଦରେ ଜଣାପଡିବା ପରେ ବଲିଆ ଏସପି ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି | ଏସପି କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ରହିଛି ଯେ ଶବକୁ ସମ୍ମାନପୂର୍ବକ ଢଙ୍ଗରେ ଅନ୍ତିମ ସଂସ୍କାର କରାଯିବ |

ତେବେ ଏହି ପୁଲିସ କର୍ମଚାରୀମାନେ କାହାକୁ ନ ଜଣାଇ ଶବକୁ ଟାୟାର ମାଧ୍ୟମରେ ପୋଡିଦେଇଥିଲେ | ଆଉ ଏଥିପାଇଁ ଏମାନଙ୍କୁ ନିଲମ୍ବନ କରାଯାଇଛି | ଉଲ୍ଲେଖ ଥାଉ କି କରୋନାର ଦ୍ଵିତୀୟ ଲହରୀରେ ମୃତକଙ୍କ ସଂଖ୍ୟା ଏତେ ବଢିଯାଇଛି ଯେ ଲୋକମାନେ ଗଙ୍ଗା ନଦୀରେ ମୃତକଙ୍କ ଶବକୁ ଭସାଇଦେଉଛନ୍ତି | ଆଉ ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାର ଓ ବିହାର ସରକାର ମଧ୍ୟ ମୁହାଁମୁହିଁ ହୋଇଛନ୍ତି |

ସମ୍ବନ୍ଧିତ ଖବର