ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ବିତୀୟ ଲହର ପୂରା ବିଶ୍ବକୁ ବ୍ୟାପୀ ଯାଇଛି। ଏହି ସଂକ୍ରମଣ ଲୋକଙ୍କ ମନରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି। କିଛି ଦିନ ତଳେ ଧୀରେଧୀରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ପୁଣିଥରେ ଏହି ମହାମାରୀ ତାର କାୟା ବିସ୍ତାର କରିବା ଆରମ୍ଭ କରି ଦେଇଛି।

Advertisment

ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ପୁଣି ନାଇଟ କର୍ଫ୍ୟୁ ଓ ଲକଡାଉନ ଘୋଷଣା କରି ସାରିଛନ୍ତି। ହସ୍ପିଟାଲରେ ରୋଗୀ ଭର୍ତ୍ତି ହୋଇଯାଇଛନ୍ତି। ଅନେକ ରୋଗୀ ଚିକିତ୍ସା ପାଇଁ ବେଡ ନପାଇ ହସ୍ପିଟାଲ ବାହାରେ ରହି ଛଟପଟ ହେଉଛନ୍ତି। ଡାକ୍ତର ବି ରୋଗୀଙ୍କ ଚିକିତ୍ସା କରିବା ପାଇଁ ଦିନରାତି ଏକ କରି ଦେଇଛନ୍ତି।

ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଜଣେ ଅନ୍ତସତ୍ତ୍ବା ମହିଳା ଡାକ୍ତରଙ୍କ ଫଟୋ ଭାଇରାଲ ହେଉଛି। ଏହି ଫଟୋ ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହୱାଗଙ୍କ ହୃଦୟକୁ ଛୁଇଁ ଯାଇଛି।

ସେହୱାଗ ଅନ୍ତସତ୍ତ୍ବା ମହିଳା ଡାକ୍ତରଙ୍କ ଫଟୋ ସେୟାର କରି ଲେଖିଛନ୍ତି, ଉକ୍ତ ମହିଳା ଡାକ୍ତରଙ୍କୁ ୭ମାସର ଅନ୍ତସତ୍ତ୍ବା ବୋଲି କୁହାଯାଉଛି। ସେ ଏଭଳି ଅବସ୍ଥାରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଃସ୍ବାର୍ଥପର ସେବା ଦେଖି ମହିଳା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇବା ପାଇଁ ଶବ୍ଦ ନାହିଁ।

କରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ନିଃସ୍ବାର୍ଥପର ସେବା ଦେଖି ସେହୱାଗ ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି, ଦୟା କରି ସଚେତନ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ। ଆବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ।