ନିଜ ପରିଚାଳିତ ସ୍କୁଲରେ ପୁଲୱାମା ସହିଦଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ପ୍ରସ୍ତାବ ଦେଲେ କ୍ରିକେଟର ବୀରେନ୍ଦ୍ର ସେହୱାଗ୍

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ୍ । ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ପିଲାଙ୍କ ପଢ଼ାଖର୍ଚ୍ଚ ଉଠାଇବା ପାଇଁ ମୁଁ ପ୍ରସ୍ତୁତ ବୋଲି କହିଛନ୍ତି । ସେ ନିଜ ପରିଚାଳିତ ସେହୱାଗ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଯବାନଙ୍କ ପିଲାଙ୍କ ପାଠପଢ଼ା ଦାୟିତ୍ବ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆଜି ଟ୍ୱିଟ ଜରିଆରେ ସେହୱାଗ୍ କହିଛନ୍ତି ,‘ଆମେ ସହିଦଙ୍କ ପାଇଁ କିଛି ବି କଲେ ଯଥେଷ୍ଟ ହେବନାହିଁ । କିନ୍ତୁ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ପିଲାଙ୍କ ପଢ଼ାଖର୍ଚ୍ଚ ବହନ କରିପାରିଲେ ମୁଁ ନିଜକୁ ସୌଭାଗ୍ୟବାନ ମନେକରିବି।’

ସୂଚନାଯୋଗ୍ୟ, ଆକ୍ରମଣରେ ସହିଦ ହେବାପରେ ପାକିସ୍ତାନକୁ ବଡ଼ା ଭର୍ତ୍ସନା କରିଥିଲେ ସେହୱାଗ । ଏହାବ୍ୟତୀତ ବକ୍ସର ବିଜେନ୍ଦର ସିଂ ମଧ୍ୟ ନିଜର ଏକ ମାସର ବେତନ ସହିଦ ପରିବାରଙ୍କୁ ଦାନ କରିଛନ୍ତି । ବିଜେନ୍ଦର ବର୍ତ୍ତମାନ ହରିୟାଣା ପୋଲିସରେ କାର୍ଯ୍ୟରତ ଅଛନ୍ତି ।

ସେପଟେ ଦେଶ ପାଇଁ ବଳିଦାନ ଦେଇଥିବା ସହିଦ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା କରିବାକୁ ଚାହୁଁଥିଲେ ଆପଣ ଆର୍ଥିକ ସହାୟତା ଦେଇପାରିବେ । ଭାରତ କେ ବୀର ୱେବପୋର୍ଟାଲ ଓ ମୋବାଇଲ ଆପରେ ସହିଦ ଯବାନଙ୍କ ବାବଦରେ ପୂରା ତଥ୍ୟ ରହିଛି । ଏମିତି କି ସହିଦ ଯବାନଙ୍କ ପରିବାରବର୍ଗଙ୍କ ସହ ଯୋଗାଯୋଗ କରିବା ପାଇଁ ଆବଶ୍ୟକୀୟ ତଥ୍ୟ ମଧ୍ୟ ଉପଲବ୍ଧ ରହିଛି । ଏଥିରେ ସହିଦ ଯବାନଙ୍କ ସର୍ମ୍ପକୀୟଙ୍କ ବ୍ୟାଙ୍କ୍ ଖାତା ନମ୍ବର ଦିଆଯାଇଛି, ଯାହାଦ୍ୱାରା ଆର୍ଥିକ ସହାୟତା କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ଆକାଉଣ୍ଟକୁ  ଟଙ୍କା ପଠାଇ ପାରିବେ । ଆପଣ ଆପ୍ ଓ ୱେବପୋର୍ଟାଲ ଜରିଆରେ ମଧ୍ୟ ସହାୟତା ପ୍ରଦାନ କରିପାରିବେ ।

 

ସମ୍ବନ୍ଧିତ ଖବର