କ୍ରିକେଟର ଯୁବରାଜ ସିଂ ଗିରଫ, ଜାମିନରେ ଖଲାସ

ହିସାର: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କ୍ରିକେଟର ଯୁବରାଜ ସିଂଙ୍କୁ ଗିରଫ କରାଯାଇଛି। ତେବେ ଗିରଫଦାରୀ ପରେ ପରେ ତାଙ୍କୁ ଜାମିନରେ ଛାଡ଼ିଦିଆଯାଇଛି ବୋଲି ରବିବାର ହରିୟାଣା ପୁଲିସ ସୂଚନା ଦେଇଛି।

ଗତ ବର୍ଷ ଇନଷ୍ଟାଗ୍ରାମ ଚାଟ୍ ସମୟରେ ଯୁବରାଜ ସିଂ ଅନ୍ୟ ଜଣେ କ୍ରିକେଟରଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ଲକଡାଉନ ସମୟରେ ଯୁବରାଜ ସିଂହ ରୋହିତ ଶର୍ମାଙ୍କ ସହ ସୋସିଆଲ ମିଡିଆରେ କଥା ହୋଇଥିଲେ । ଏହି ସମୟରେ ସେ କ୍ରିକେଟର ଯୁଜୁବେନ୍ଦ୍ର ଚହଲଙ୍କ ଜାତିକୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଆଉ ସେହି ଭିଡିଓଟି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ପରେ ଯୁବରାଜ ସିଂଙ୍କ ନାମରେ ଏ ନେଇ ହରିୟାଣାର ହିସାରର ହାଂସି ନଗରରେ ଅନୁସୂଚିତ ଜାତି ଆଇନ ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା ।

ହାନସି ପୁଲିସ ଅଧୀକ୍ଷକ ନିତିକା ଗେହେଲଟଙ୍କ ସୂଚନା ଅନୁସାରେ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ମୁତାବକ ପୁଲିସ କେବଳ ଔପଚାରିକ ଭାବେ ଗିରଫ କରିଛି। ଏହାପରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ତାଙ୍କୁ ଜାମିନ ମଞ୍ଜୁର କରାଯାଇଛି। ପୁଲିସ୍ ଉପଅଧିକ୍ଷକ  ବିନୋଦ ଶଙ୍କର କହିଛନ୍ତି,ଯୁବରାଜ ସିଂ ଶନିବାର ହାନସୀକୁ ଆସିଥିଲେ ଏବଂ ଆମେ ତାଙ୍କୁ ଗିରଫ କରିଥିଲୁ ଓ କିଛି ଘଣ୍ଟା ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।

ସବୁଠାରୁ ବଡ଼କଥା ହେଲା, ଯୁବରାଜଙ୍କୁ ଗିରଫ କରିବା ପରେ ୩ ଘଂଟା ଧରି ଯୁବରାଜଙ୍କୁ ପୁଲିସ ପଚରାଉଚରା କରିଥିଲା । ଠିକ୍ ସେହି ସମୟ ଭିତରେ ଯୁବରାଜଙ୍କୁ ହାଇକୋର୍ଟରୁ ଜାମିନ୍ ମିଳି ଯାଇଥିଲା । ଏହି ମାମଲାରେ କିଛି ଦିନ ତଳେ ହାଇକୋର୍ଟ ଯୁବରାଜ ସିଂହଙ୍କୁ ଆଗୁଆ ଜାମିନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ହାଂସୀ ପୁଲିସ୍ ତାଙ୍କୁ ଔପଚାରିକ ଭାବେ ଗିରଫ କରିଥିଲା ।

ସମ୍ବନ୍ଧିତ ଖବର