ଦେଶରେ ଦୈନିକ ୮୭ ଦୁଷ୍କର୍ମ ମାମଲା: ମହିଳାଙ୍କ ବିରୋଧରେ ଅପରାଧ ୭ % ବଢ଼ିଛି

ନୂଆଦିଲ୍ଲୀ: ୨୦୧୯ ବର୍ଷରେ ଦେଶରେ ଦୈନିକ ହାରାହାରି ୮୭ ଦୁଷ୍କର୍ମ ମାମଲା ରେକର୍ଡ କରାଯାଇଛି। ଏହି ବର୍ଷ ମହିଳାଙ୍କ ବିରୋଧରେ ମୋଟ୍‌ ୪ ଲକ୍ଷ ୫ ହଜାର ୮୬୧ ଅପରାଧ ଘଟିଛି। ୨୦୧୮ ବର୍ଷ ତୁଳନାରେ ୨୦୧୯ରେ ମହିଳାଙ୍କ ବିରୋଧରେ ଅପରାଧ ୭ ପ୍ରତିଶତ ବଢ଼ିଛି ବୋଲି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି ତଥ୍ୟରେ କୁହାଯାଇଛି। କ୍ରାଇମ୍‌ସ ଇନ୍‌ ଇଣ୍ଡିଆ-୨୦୧୯ ରିପୋର୍ଟରେ ଏହା କୁହାଯାଇଛି ଯେ, ମହିଳାଙ୍କ ବିରୋଧରେ ଅପରାଧ ଗତ ବର୍ଷ ତୁଳନାରେ ୭.୩ ପ୍ରତିଶତ ବଢ଼ିଛି।

୨୦୧୮ରେ ମହିଳାଙ୍କ ବିରୋଧରେ ଅପରାଧ ହାର ପ୍ରତି ଲକ୍ଷେରେ ୫୮.୮ ପ୍ରତିଶତ ଥିବାବେଳେ ଏହା ଏବେ ୬୨.୪ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮ରେ ମହିଳାଙ୍କ ବିରୋଧରେ ୩ ଲକ୍ଷ ୭୮ ହଜାର ୨୩୬ ଅପରାଧ ହୋଇଥିବା ରେକର୍ଡ କରାଯାଇଥିଲା। ୨୦୧୮ରେ ୩୩ ହଜାର ୩୫୬ ଦୁଷ୍କର୍ମ ହୋଇଥିଲା। ତେବେ ୨୦୧୭ରେ ଏହି ସଂଖ୍ୟା ଥିଲା ୩୨ ହଜାର ୫୫୯। ଏଥିମଧ୍ୟରୁ ଅଧିକାଂଶ ମାମଲା ଆଇପିସି ଅଧୀନରେ ରୁଜୁ ହୋଇଛି। ତେବେ କେବଳ ମହିଳା ନୁହନ୍ତି ଶିଶୁଙ୍କୁ ବିରୋଧରେ ମଧ୍ୟ ଅପରାଧ ବଢ଼ିଛି। ୨୦୧୮ ତୁଳନାରେ ୨୦୧୯ରେ ଶିଶୁଙ୍କ ବିରୋଧରେ ଅପରାଧ ୪.୫ ପ୍ରତିଶତ ବଢ଼ିଛି। ୨୦୧୯ରେ ଶିଶୁଙ୍କ ବିରୋଧରେ ମୋଟ୍‌ ୧.୪୮ ଲକ୍ଷ ମାମଲା ରୁଜୁ ହୋଇଥିଲା। ଏଥିମଧ୍ୟରୁ ୪୬.୬ ପ୍ରତିଶତ ଅପହରଣ ମାମଲା ହୋଇଥିବା ବେଳେ ୩୫.୩ ପ୍ରତିଶତ ଯୌନ ନିର୍ଯାତନା ମାମଲା ବୋଲି ଏନ୍‌ସିଆର୍‌ବି ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର