କୋଲକାତା: କୋଲକାତା ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ କନିଷ୍ଠ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ୩୩ ବର୍ଷୀୟ ପୂର୍ବତନ ସିଭିଲ ପୁଲିସ ସ୍ୱେଚ୍ଛାସେବୀ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସିବିଆଇ ଅଦାଲତ। ସିଆଲଦା କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଅନିର୍ବାଣ ଦାସ ଏହି ରାୟ ଶୁଣାଇଛନ୍ତି।

Advertisment

ଆର୍‌ଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟା ମାମଲାର ଘଟଣାକ୍ରମ
ଅଗଷ୍ଟ ୯, ୨୦୨୪: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଡ୍ୟୁଟିରେ ଥିବା ଜଣେ ୩୧ ବର୍ଷୀୟା  ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ସେମିନାର ହଲ୍‌ର ତୃତୀୟ ମହଲାରୁ ତାଙ୍କର ଅର୍ଦ୍ଧନଗ୍ନ ମୃତଦେହ ମିଳିଥିଲା।
ଅଗଷ୍ଟ ୧୦: ଏହି ମାମଲାର ତଦନ୍ତ କରୁଥିବା କୋଲକାତା ପୁଲିସ ପ୍ରଥମେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରିଥିଲା। ଅଭିଯୁକ୍ତ କୋଲକାତା ପୁଲିସର ଜଣେ ସିଭିକ ସ୍ବେଚ୍ଛାସେବୀ ଥିଲା। ଏହି ଘଟଣାକୁ ନେଇ କନିଷ୍ଠ ଡାକ୍ତରମାନେ ଦୀର୍ଘ ଦିନ ଯାଏ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଅଗଷ୍ଟ ୧୨: ଦେଶବ୍ୟାପୀ ବିରୋଧ ପରେ ହସ୍ପିଟାଲର ପ୍ରିନ୍ସିପାଲ ସନ୍ଦୀପ ଘୋଷ ଇସ୍ତଫା ଦେଇଥିଲେ। ପଶ୍ଚିମବଙ୍ଗ ସରକାର ହସ୍ପିଟାଲର ଅଧୀକ୍ଷକଙ୍କୁ ମଧ୍ୟ ବଦଳି କରିଥିଲେ।
ଅଗଷ୍ଟ ୧୩: ପୀଡ଼ିତାଙ୍କ ପିତାମାତା କୋଲକାତା ହାଇକୋର୍ଟରେ ଏକ ପିଟିସନ ଦାଖଲ କଲେ। ଏଥି ସହ ଅନେକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ରେ କୋଲକାତା ପୁଲିସ ଉପରେ ବିଶ୍ବାସ ନ କରି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ତଦନ୍ତ ହେବାକୁ ଦାବି କରାଗଲା। ହାଇକୋର୍ଟ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କଲେ।
ଅଗଷ୍ଟ ୧୪: କୋଲକାତା ପୁଲିସ ଆନୁଷ୍ଠାନିକ ଭାବେ ସଞ୍ଜୟ ରାୟକୁ ସିବିଆଇକୁ ହସ୍ତାନ୍ତର କଲା।
ଅଗଷ୍ଟ ୧୫: ନ୍ୟାୟ ଓ ମହିଳାଙ୍କ ସୁରକ୍ଷା ଦାବିରେ ମହିଳା ଓ ସାମାଜିକ କର୍ମୀଙ୍କ ପକ୍ଷରୁ ବ୍ୟାପକ ବିକ୍ଷୋଭ ‘ରିଲିଭ ଦି ନାଇଟ୍’ ଆୟୋଜନ କରାଯାଇଥିଲା। ଆର୍‌ଜି କର ମେଡିକାଲ କଲେଜରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା ।
ଅଗଷ୍ଟ ୧୭: ପୀଡ଼ିତାଙ୍କୁ ସମର୍ଥନ ଜଣାଇ ୨୪ ଘଣ୍ଟିଆ ଚିକିତ୍ସା ସେବା ପ୍ରତ୍ୟାହାର କରିବାକୁ ଇଣ୍ଡିଆନ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଆହ୍ୱାନ ଦେବା ପରେ ସାରା ଦେଶରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିଲା।
ଅଗଷ୍ଟ ୧୮: ଜାତୀୟ ସ୍ତରରେ ଉତ୍ତେଜନା ପ୍ରକାଶ ପାଇବା ପରେ ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣିକୁ ଅଗଷ୍ଟ ୨୦ ତାରିଖକୁ ଧାର୍ଯ୍ୟ କଲେ।
ଅଗଷ୍ଟ ୨୦: ପୂର୍ବତନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାର, କୋଲକାତା ପୁଲିସ ଓ ହସ୍ପିଟାଲ ପ୍ରଶାସନକୁ ସମାଲୋଚନା କଲେ। ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କୋର୍ଟ ୧୦ ଜଣିଆ ଟାସ୍କଫୋର୍ସ ଗଠନ କଲେ।
ଅଗଷ୍ଟ ୨୭: ଅଣପଞ୍ଜୀକୃତ ‘ପଶ୍ଚିମ ବଙ୍ଗ ଛାତ୍ର ସମାଜ’ ଓ   ‘ସଂଗ୍ରାମୀ ଯୌଥା ମଞ୍ଚ’ ପକ୍ଷରୁ ‘ନବାନ୍ନ ଅଭିଯାନ’ ଡାକରା ଦିଆଯାଇଥିଲା। ପଶ୍ଚିମବଙ୍ଗ ସଚିବାଳୟ ଅଭିମୁଖେ ବାହାରିଥିବା ଏହି ପଦଯାତ୍ରା ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷରେ ପରିଣତ ହେବାରୁ ଅଗଷ୍ଟ ୨୮ ତାରିଖରେ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା।
ସେପ୍ଟେମ୍ବର ୨: ଆର୍‌ଜି କର ହସ୍ପିଟାଲରେ ଆର୍ଥିକ ଠକେଇ ଅଭିଯୋଗରେ ସିବିଆଇ ସନ୍ଦୀପ ଘୋଷଙ୍କୁ ଗିରଫ କଲା।
ସେପ୍ଟେମ୍ବର ୧୪: ମମତା ବାନାର୍ଜୀ ତାଙ୍କ ସରକାର ଓ ଆନ୍ଦୋଳନରତ ଡାକ୍ତରମାନଙ୍କ ମଧ୍ୟରେ ଲାଗି ରହିଥିବା ଅଚଳାବସ୍ଥା ଦୂର କରିବା ପାଇଁ ପଦକ୍ଷେପ ସ୍ବରୂପ ଡାକ୍ତରମାନେ ଧାରଣା ଦେଉଥିବା ସ୍ଥାନ ପରିଦର୍ଶନ କରି ସେମାନଙ୍କୁ ସମ୍ବୋଧିତ କରିଥିଲେ। ସେହିଦିନ ସିବିଆଇ ଏଫ୍‌ଆଇଆର୍ ରୁଜୁ କରିବାରେ ବିଳମ୍ବ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସନ୍ଦୀପ ଘୋଷ ଏବଂ କୋଲକାତା ପୁଲିସ ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ଗିରଫ କରିଥିଲା।
ଅକ୍ଟୋବର ୫: ଦୁଇଟି ପର୍ଯ୍ୟାୟରେ ୫୦ ଦିନରୁ ଅଧିକ ସମୟ ଧରି ଆନ୍ଦୋଳନ କରିବା ପରେ ଡାକ୍ତରମାନେ ଅନଶନ ଆରମ୍ଭ କରିଥିଲେ।
ଅକ୍ଟୋବର ୭: ସିବିଆଇ ଏହି ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା।
ଅକ୍ଟୋବର ୨୪: ମମତା ବାନାର୍ଜୀଙ୍କ ସହ ବୈଠକ ପରେ ଆନ୍ଦୋଳନରତ ଡାକ୍ତରମାନେ ଅନଶନ ପ୍ରତ୍ୟାହାର କଲେ।
ନଭେମ୍ବର ୧୨: ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର  ସ୍ବତନ୍ତ୍ର ଶୁଣାଣି ଆରମ୍ଭ ହେଲା। 
ଡିସେମ୍ବର ୧୩: କୋଲକାତାର ସିଆଲଦା କୋର୍ଟ ସନ୍ଦୀପ ଘୋଷ ଓ ଅଭିଜିତ ମଣ୍ଡଳଙ୍କ ବିରୋଧରେ ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇ ନ ଥିବାରୁ ସେମାନଙ୍କୁ ଜାମିନ ପ୍ରଦାନ କଲେ।
ଜାନୁଆରି ୯: ସଞ୍ଜୟ ରାୟ  ମାମଲାର ଶୁଣାଣି ଶେଷ ହେଲା, ଯେଉଁଥିରେ ୫୦ ଜଣ ସାକ୍ଷୀଙ୍କୁ ଜେରା କରାଯାଇଥିଲା।
ଜାନୁଆରି ୧୮: ସିଆଲଦା କୋର୍ଟ ଅଭିଯୁକ୍ତ ସଂଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।