ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସାଂପ୍ରତିକ ପରିବର୍ତ୍ତିତ ପରିସ୍ଥିତରେ ଅପରାଧ ଓ ରାଜନୀତି ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ, ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମଧ୍ୟରେ ‘ଦାଗୀନେତା’ ବା ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଫଳରେ ନିର୍ବାଚନରେ ବାହୁବଳ ଓ ଅର୍ଥବଳର ଅପପ୍ରୟୋଗକୁ ରୋକିବାରେ ନିର୍ବାଚନ କମିଶନ ମଧ୍ୟ ଅସମର୍ଥ ହୋଇ ପଡ଼ୁଛନ୍ତି।
ନିକଟରେ କରାଯାଇଥିବା ଏକ ଅନୁଶୀଳନରୁ ଜାଣିବାକୁ ମିଳିଛି ଯେ ୨୦୦୪ ପରଠାରୁ ଦେଶର ନିର୍ବାଚନୀ ରାଜନୀତିରେ ‘ଦାଗୀନେତା’ ବା ଅପରାଧିକ ପୃଷ୍ଠଭୂମି ଥିବା ନେତାଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ‘ଅଫ୍ରୋଲାଇନ୍’ ନାମକ ଏକ ସଂସ୍ଥା ପକ୍ଷରୁ କରା ଯାଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଛି ଯେ ୨୦୦୪ରେ ସଂସଦରେ ସଂଗୀନ୍ ଅପରାଧରେ ସଂପୃକ୍ତ ଥିବା ସାଂସଦଙ୍କ ସଂଖ୍ୟା ଥିଲା ୬୦। ୨୦୦୯ରେ ଏମାନଙ୍କ ସଂଖ୍ୟାରେ ୧୨ ପ୍ରତିଶତ ଘଟିଥିବା ବେଳେ ୨୦୧୪ରେ ୨୧ ପ୍ରତିଶତ ବୃଦ୍ଧି ଘଟିଥିଲା। ୨୦୦୯ରେ ସଂସଦରେ ସଂଗୀନ୍ ଅପରାଧରେ ସଂପୃକ୍ତ ଥିବା ସାଂସଦଙ୍କ ସଂଖ୍ୟା ୮୬ ଥିବାବେଳେ ୨୦୧୪ରେ ଏମାନଙ୍କ ସଂଖ୍ୟା ଆସି ପହଞ୍ଚିଥିଲା ୧୧୫ରେ।
Photo Credit: Out Lookସେହିପରି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ପକ୍ଷରୁ କରାଯାଇଥିବା ଅନ୍ୟ ଏକ ସର୍ଭେରୁ ଜାଣିବାକୁ ମିଳିଛି ଯେ ୨୦୧୩ରୁ ୨୦୧୮ ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି), ମହିଳା ବିରୋଧୀ ଅପରାଧରେ ସଂପୃକ୍ତ ଥିବା ୪୭ ଜଣଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକେଟ ପ୍ରଦାନ କରି ଏହି ତାଲିକାର ଶୀର୍ଷରେ ରହିଥିଲା। ଦ୍ୱିତୀୟ ସ୍ଥାନରେ ବହୁଜନ ସମାଜ ପାର୍ଟି (ବିଏସ୍ପି) ଓ ତୃତୀୟ ସ୍ଥାନରେ ଥିଲା କଂଗ୍ରେସ। ସଂଗୀନ ଅପରାଧରେ ସଂପୃକ୍ତ ୩୫ ଜଣଙ୍କୁ ବିଏସ୍ପି ଦଳୀୟ ଟିକେଟ ଦେଇଥିବା ବେଳେ କଂଗ୍ରେସ ୨୪ ଜଣଙ୍କୁ ଦେଇଥିଲା ଦଳୀୟ ଟିକେଟ।
Photo Credit: Mid Day୨୦୧୮ରେ କେନ୍ଦ୍ର ସରକାର ମଧ୍ୟ ଏହାକୁ ସ୍ୱୀକାର କରି ସୁପ୍ରିମ୍ କୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ କହିଥିଲେ, ବିହାର, କେରଳ, ଦିଲ୍ଲୀ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ରାଜ୍ୟରୁ ସାଂସଦ ଓ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନେତାଙ୍କ ବିରୋଧରେ ସର୍ବାଧିକ ଅପରାଧିକ ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ବିହାରର ୨୪୯, କେରଳର ୨୩୩ ଓ ପଶ୍ଚିମବଙ୍ଗର ୨୨୬ ଜଣ ଲୋକ ପ୍ରତିନିଧିଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ଅବସ୍ଥାରେ ରହିଥିବା ଏହି ସତ୍ୟପାଠରେ କୁହା ଯାଇଥିଲା।
ତେବେ, ଭୋଟରମାନେ ସଚେତନ ନହେବା ପର୍ଯ୍ୟନ୍ତ ଦାଗୀ ନେତାମାନଙ୍କୁ ନିର୍ବାଚନ ରାଜନୀତିରୁ ଅଟକାଇ ରଖାଯାଇ ପାରିବ ନାହିଁ। ଏହି ସତ୍ୟକୁ ଉପଲବ୍ଧି କରି ନିିର୍ବାଚନ କମିଶନ ଚଳିତ ନିର୍ବାଚନରେ ଏକ ନୂଆ ନିୟମର ପ୍ରଣୟନ କରିଛନ୍ତି। ସେଇଟି ହେଉଛି, ପ୍ରଚାର ନିରବତା ଅବଧି ମଧ୍ୟରେ ଅର୍ଥାତ୍ ମତଦାନର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ଲଢ଼ୁଥିବା ସମସ୍ତ ଦାଗୀନେତା ସେମାନଙ୍କ ବିରୋଧରେ ରହିଥିବା ଅପରାଧିକ ମାମଲା ସବୁର ବିଶଦ ବିବରଣୀ ବିଜ୍ଞାପନ ଆକାରରେ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ବାଧ୍ୟତାମୂଳକ ଭାବେ ବିଜ୍ଞାପିତ କରାଇବେ। ଯାହା ଫଳରେ ଭୋଟରମାନେ ମାତଦାନ ପୂର୍ବରୁ ସଚେତନ ହୋଇ ପାରିବେ। ତେବେ, ନିର୍ବାଚନ କମିଶନଙ୍କ ଏପ୍ରୟାସ କେତେଦୂର ସଫଳ ହେଉଛି, ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/A3-2.jpg)