ଏନ୍‌ସିଆରବି ରିପୋର୍ଟ : ଉଦବେଗଜନକ ହାରରେ ବଢ଼ୁଛି ଅପରାଧ, ଦେଶରେ ଦୈନିକ ୮୦ ହତ୍ୟା, ୨୮୯ ଅପହରଣ ଓ ୯୧ ଦୁଷ୍କର୍ମ

ନୂଆଦିଲ୍ଲୀ: ଦେଶରେ ଅପରାଧର ମାତ୍ରା ଏବେ ଆତଙ୍କଜନକ ଭାବେ ବୃଦ୍ଧି ପାଉଥିବା ଜାଣିବାକୁ ମିଳିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରୁ ଜାଣିବା ପାଇଁ ମିଳିଛି ଯେ ୨୦୧୭ ତୁଳନାରେ ୨୦୧୮ରେ ଦେଶରେ ଘଟୁଥିବା ଅପରାଧର ମାତ୍ରାରେ ୧.୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮ରେ ଦେଶର ବିଭିନ୍ନ ସ୍ଥାନରେ ଦୈନିକ ହାରାହାରି ୮୦ଟି ହତ୍ୟା, ୨୮୯ଟି ଅପହରଣ ଓ ୯୧ଟି ଦୁଷ୍କର୍ମ ଘଟଣା ଘଟିଥିବା ଏନସିଆରବି ନିଜ ରିପୋର୍ଟରେ ଉଲ୍ଲେଖ କରିଛି।

‘କ୍ରାଇମ୍‌ ଇନ୍‌ ଇଣ୍ଡିଆ ରିପୋର୍ଟ ୨୦୧୮’ ଶୀର୍ଷକରେ ଏନ୍‌ସିଆରବି ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ସମୟ ମଧ୍ୟରେ ଦେଶରେ ଅପରାଧର ମାତ୍ରା ୧.୮ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ୨୦୧୮ରେ ସମଗ୍ର ଦେଶରେ ୫୦.୭୪ ଲକ୍ଷ ଅପରାଧିକ ଘଟଣା ଘଟିଥିବା ପୁଲିସ୍‌ରେ ରିପୋର୍ଟ ହୋଇଛି। ଏଥି ମଧ୍ୟରୁ ୩୧.୩୨ ଲକ୍ଷ ମାମଲା ଇଣ୍ଡିଆନ୍‌ ପେନାଲ କୋର୍ଡ (ଆଇପିସି) ଓ ୧୯.୪୧ ଲକ୍ଷ ମାମଲା ସ୍ପେଶାଲ ଲୋକାଲ ଲ (ଏସ୍‌ଏଲ୍‌ଏଲ୍‌) ଅଧୀନରେ ପଞ୍ଜିକୃତ ହୋଇଥିଲା। ଏନ୍‌ସିଆରବି ରିପୋର୍ଟ ଅନୁଯାୟୀ ୨୦୧୮ରେ ୧.୦୫ଲକ୍ଷଟି ଅପହରଣ ଘଟଣା ଘଟିଥିଲା। ୨୦୧୭ ତୁଳନାରେ ଅପହରଣ ମାମଲାରେ ବୃଦ୍ଧିର ହାର ରହିଥିଲା ୧୦ ପ୍ରତିଶତ। କାରଣ, ୨୦୧୭ରେ ୯୫,୮୯୩ଟି ଅପହରଣ ଘଟଣା ଘଟିଥିଲା। ସେହିପରି ୨୦୧୮ରେ ସମଗ୍ର ଦେଶରେ ଘଟିଥିଲା ୨୯,୦୧୭ଟି ହତ୍ୟାକାଣ୍ଡ। ୨୦୧୭ ତୁଳନାରେ ହତ୍ୟା ଘଟଣାରେ ବୃଦ୍ଧିର ହାର ୧.୩ ପ୍ରତିଶତ ରେକର୍ଡ କରା ଯାଇଥିଲା।

ସେହିପରି ୨୦୧୮ରେ କେବଳ ମାତ୍ର ରାଜଧାନୀ ଦିଲ୍ଲୀରେ ୨୪୯,୦୦୦ଟି ଅପରାଧିକ ମାମଲା ରେକର୍ଡ କରା ଯାଇଥିଲା। ଏଥି ମଧ୍ୟରୁ କେବଳ ୮୦ ପ୍ରତିଶତ ଚୋରି ମାମଲା ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର