ନୂଆଦିଲ୍ଳୀ : ବିହାର ବିଧାନସଭାର ନବ ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ୭୦ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେମାନଙ୍କ ବିରୋଧରେ ହତ୍ୟାଠାରୁ ଆରମ୍ଭ କରି ଆତ୍ମହତ୍ୟା ଏବଂ ମହିଳାଙ୍କ ବିରୋଧରେ ଅପରାଧ ଏବଂ ଅପହରଣ ମାମଲା ରହିଛି।

Advertisment

ଏଡିଆର୍‌ ତଥ୍ୟ ଅନୁଯାୟୀ ପ୍ରାୟ ୬୮ ପ୍ରତିଶତ ନବନିର୍ବାଚିତ ବିଧାୟକ ତଥା ୧୬୩ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୨୪୩ ବିଧାୟକଙ୍କ ମଧ୍ୟରୁ ୨୪୧ ଜଣଙ୍କ ସତ୍ୟପାଠ ଆଧାରରେ ଏଡିଆର୍‌ ଏହି ଆକଳନ କରିଛି। କାରଣ ନିର୍ବାଚନ କମିସନ୍‌ଙ୍କ ନିକଟରେ ଦାଖଲ ହୋଇଥିବା ଅନ୍ୟ ୨ ଜଣଙ୍କ ସତ୍ୟପାଠରେ ସ୍ପଷ୍ଟ ତଥ୍ୟ ନାହିଁ। ୧୬୩ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ଥିବାବେଳେ ୧୨୩ ଜଣଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ରହିଛି। ଆଇପିସିର ଧାରା ୩୦୨ ଅଧୀନରେ ୧୯ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷେ ୩୧ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ‌ ହୋଇଛି ଓ ୮ ଜଣଙ୍କ ବିରୋଧରେ ମହିଳାଙ୍କ ବିରୋଧରେ ଅପରାଧ ପାଇଁ ମାମଲା ରୁଜୁ ହୋଇଛି।