ଦାଗୀ ନେତା ପ୍ରସଙ୍ଗ:୧୨୩୩ ମାମଲାରୁ ୧୩୬ର ଫଇସଲା ସରିଛି

ବିହାର ରାଜନେତାଙ୍କ ବିରୋଧରେ ସର୍ବାଧିକ ମାମଲା

ନୂଆଦିଲ୍ଲୀ: ସାଂସଦ ଏବଂ ବିଧାୟକମାନଙ୍କ ବିରୋଧରେ ଥିବା ମୋଟ ୧୨୩୩ ଅପରାଧିକ ମାମଲା ମଧ୍ୟରୁ ମାତ୍ର ୧୩୬ର ଫଇସଲା ସରିଛି। ବଳକା ୧,୦୯୭ ମାମଲା ଏ ପର୍ଯ୍ୟନ୍ତ କୋର୍ଟରେ ବିଚାରାଧୀନ ରହିଛି। ସେହିଭଳି ବିହାର ରାଜନେତାଙ୍କ ବିରୋଧରେ ସର୍ବାଧିକ ଅପରାଧିକ ମାମଲା ରହିଥିବା ଏକ ପରିସଂଖ୍ୟାନ ରିପୋର୍ଟରୁ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଏହି ମାମଲାଗୁଡ଼ିକର ଫାଷ୍ଟ ଟ୍ରାକ୍‌ କୋର୍ଟରେ ବିଚାର ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି କେନ୍ଦ୍ର ସରକାର ସାଂସଦ ଏବଂ ବିଧାୟକମାନଙ୍କ ବିରୋଧରେ ଥିବା ସମୁଦାୟ ୧୨୩୩ଟି ମାମଲାକୁ ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ କରିଦେଇଥିଲେ। କିନ୍ତୁ ଏହି ମାମଲା ମଧ୍ୟରୁ କେବଳ ୧୩୬ଟି ମାମଲା ଏବେ ସୁଦ୍ଧା ଫଇସଲା ହୋଇ ସାରିଛି। ଫଳରେ ଅନେକ ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ।
କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ବିହାରର ରାଜନେତାଙ୍କ ବିରୋଧରେ ସବୁଠାରୁ ଅଧିକ ଅପରାଧିକ ମାମଲା ରହିଛି। ଏହା ପଛକୁ ଦ୍ୱିତୀୟରେ ପଶ୍ଚିମବଙ୍ଗ ଏବଂ ତୃତୀୟରେ କେରଳ ରହିଛି। ବିହାରରେ ସାଂସଦ ଏବଂ ରାଜନେତାଙ୍କ ବିରୋଧରେ ଥିବା ସମୁଦାୟ ୨୬୦ଟି ମାମଲା ସ୍ୱତନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ସେଥିମଧ୍ୟରୁ ୧୧ଟି ମାମଲା ଗତ ୬ ମାସ ମଧ୍ୟରେ ଫଇସଲା ହୋଇଛି। ପଶ୍ଚିମବଙ୍ଗରେ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ୨୧୫ ଅପରାଧିକ ମାମଲା ରହିଥିବାବେଳେ ଏଥି ମଧ୍ୟରୁ କୌଣସି ଗୋଟିଏ ହେଲେ ଫଇସଲା ହୋଇନାହିଁ। କେରଳରେ ୧୭୮ ମାମଲା ବାବଦରେ କୌଣସି ସୂଚନା ନାହିଁ। ଦିଲ୍ଲୀରେ ରାଜନେତାଙ୍କ ବିରୋଧରେ ୧୫୭ଟି ଅପରାଧିକ ମାମଲା ରହିଛି ।

ସମ୍ବନ୍ଧିତ ଖବର