୧୦୬ ରୋଗୀଙ୍କ ହତ୍ୟାକାରୀ ନର୍ସ

ବିଷାକ୍ତ ଇଂଜେକ୍ସ ନେଇ କଲବଲ କରି ମାରୁଥିଲା

ନୂଆଦିଲ୍ଲୀ: ଜର୍ମାନୀର ଜଣେ ସିରିୟଲ କିଲର୍‌ ନର୍ସ ଶତାଧିକ ରୋଗୀଙ୍କୁ କଲବଲ କରି ମାରିଥିବା ଘଟଣା ଏବେ ଲୋକଲୋଚନକୁ ଆସିଛି । ଏହି ପୁରୁଷ ନର୍ସ ଜଣକ ତା’ର ଅନ୍ୟ ସହଯୋଗୀଙ୍କଠାରୁ ଅଧିକ ଦକ୍ଷ ବୋଲି ନିଜକୁ ପ୍ରମାଣିତ କରିବା ପାଇଁ ଏକ ବିକୃତ ମାନସିକତାରେ ରୋଗୀଙ୍କୁ ମାରୁଥିଲା। ଆଇସିୟୁରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶରୀରରେ ବିଷାକ୍ତ ଇଂଜେକସନ୍‌ ପ୍ରୟୋଗ କରି ସେ ସେମାନଙ୍କ ଶରୀରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ କରିଦେବା ପରେ ସେମାନଙ୍କୁ ସୁସ୍ଥ କରିବା ଲାଗି ଉଦ୍ୟମ କରୁଥିଲା। କିନ୍ତୁ ତା’ର ପ୍ରଧାନ ଉଦ୍ଦେଶ୍ୟ ଥିଲା ଏମାନଙ୍କୁ ଚିକିତ୍ସା ଦ୍ୱାରା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବ। ହେଲେ ତା’ର ଏହି ବିକୃତ ମାନସିକତାର ଶିକାର ହୋଇ ୧୦୬ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଜର୍ମାନୀର ଏହି ନର୍ସର ନାମ ନାଇଲ୍‌ସ ହେଗେଲ ଏବଂ ୨୦୧୫ ମସିହାରୁ ୨ଟି ହତ୍ୟା ପାଇଁ ଆଜୀବନ କାରାଦଣ୍ଡ ଭୋଗୁଛି। ସେ ୧୯୯୯ରୁ ୨୦୦୨ ଏବଂ ୨୦୦୩ରୁ ୨୦୦୫ ମସିହା ମଧ୍ୟରେ ଉତ୍ତରପଶ୍ଚିମ ଜର୍ମାନୀର ଓଲ୍ଡେନବର୍ଗ ଏବଂ ଡେଲମେନହଷ୍ଟ ହସ୍ପିଟାଲ୍‌ରେ କାର୍ଯ୍ୟରତ ଥିଲା। ଏହି ସମୟ ମଧ୍ୟରେ ସେ ଶତାଧିକ ଊର୍ଦ୍ଧ୍ୱ ରୋଗୀଙ୍କୁ ଭୟଙ୍କର ଯନ୍ତ୍ରଣା ଦେଇ ମାରିଛି। ଏହି ମାମଲାର ବିଚାର କରୁଥିବା ଓକିଲମାନେ କହିଛନ୍ତି ଯେ ସେ ଓଲ୍ଡେନବର୍ଗରେ ୪୩ ଏବଂ ଡେଲମେନହୋର୍ଷ୍ଟରେ ୬୧ ରୋଗୀଙ୍କୁ ହତ୍ୟା କରିଥିବା ନେଇ ରେକର୍ଡପତ୍ର ଯାଞ୍ଚ ଚାଲିଛି । ତଦନ୍ତକାରୀ ଦଳ ୧୬ ମୃତକଙ୍କ ଶରୀରରେ ଥିବା ବିଷକ୍ରିୟାକୁ ପରୀକ୍ଷା କରି ଏହି ସଦ୍ୟ ରିପୋର୍ଟ ଦେଇଛନ୍ତି। ପୁଲିସ ଏବଂ ଓକିଲମାନେ ଏହି ମାମଲାରେ ଦୁଇଟି ହସ୍ପିଟାଲ୍‌ର ୫୦୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଫାଇଲ୍‌ ଏବଂ ୧୦୦ରୁ ଊର୍ଦ୍ଧ୍ୱ ହସ୍ପିଟାଲ ରେକର୍ଡ ଯାଞ୍ଚ କରିଛନ୍ତି। ସେମାନେ ମଧ୍ୟ ପରୀକ୍ଷା ଲାଗି ୬୭ଟି କବରସ୍ଥାନରୁ ୧୩୪ ଶରୀର ଉଦ୍ଧାର କରିଛନ୍ତି ଏବଂ ଏ ସଂକ୍ରାନ୍ତରେ ହେଗେଲ୍‌କୁ ୬ ଥର ଜେରା କରାଯାିଛି। ଏହି ମାମଲାରେ ମେଡିକାଲର ଅନ୍ୟ କେତେକ ବରିଷ୍ଠ ଅଧିକାରୀମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି।

ହେଗେଲ୍‌ର ଏହି କାର୍ଯ୍ୟ ପ୍ରଥମେ ୨୦୦୫ ମସିହାରେ ଧରା ପଡ଼ିଥିଲା । ସେ ଜଣେ ରୋଗୀଙ୍କୁ ବିଷାକ୍ତ ଇଂଜେକ୍‌ସନ୍‌ ଦେବା ସତ୍ତ୍ୱେ ରୋଗୀ ଜଣକ ବଞ୍ଚିଯାଇଥିଲେ । ଏହି ମାମଲାରେ ହେଗେଲ ଗିରଫ ହୋଇଥିଲା। ୨୦୦୮ ମସିହାରେ ତାକୁ ସାଢେ ସାତ ବର୍ଷ ଜେଲ୍‌ ଦଣ୍ଡ ଘୋଷଣା କରାଯାଇଥିଲା। କିନ୍ତୁ ପରେ ତା’ ଅପରାଧର ପୃଷ୍ଠା ଗୁଡ଼ିକ ଉନ୍ମୋଚିତ ହେବାପରେ ତାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ସମ୍ବନ୍ଧିତ ଖବର