ସାବାଡ଼ ହେବେ ଅପରାଧୀ ରାଜନେତା!: ମାମଲାର ବିଚାର ପାଇଁ ଗଠନ ହେବ ସ୍ୱତନ୍ତ୍ର ଅଦାଲତ

୨୦୧୪ ମସିହାରେ ୧୫୮୧ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ୧୩,୫୦୦ ମାମଲା

୧୭,୦୦୦ ତଳ କୋର୍ଟରେ ହାରାହାରି ୪,୨୦୦ ଲେଖାଏଁ ମାମଲା ପଡ଼ିରହିଛି
ନୂଆଦିଲ୍ଲୀ, ୧୧|୧୨: ସାଂସଦ ହୁଅନ୍ତୁ କି ବିଧାୟକ ହୁଅନ୍ତୁ, ଦେଶର ନିର୍ବାଚିତ ଜନପ୍ରତିିଧିଙ୍କ ବିରୋଧରେ ମଧ୍ୟ ବିଭିନ୍ନ ଆପରାଧିକ ମାମଲା ରୁଜୁ ହୋଇ ଚାଲିଛି। ତେବେ ସେଗୁଡ଼ିକର ତ୍ୱରିତ ବିଚାର ହୋଇପାରୁନଥିବାରୁ ସାଧାରଣ ଜନତା ସେଥିରୁ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ତେବେ ଏକ ଗୁରୁତ୍ୱରପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜନେତାଙ୍କ ବିରୋଧରେ ହେଉଥିବା ସେହିସବୁ ଆପରାଧିକ ମାମଲାର ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ଗଠନ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଏପରିକି ପ୍ରାରମ୍ଭିକ ପର୍ଯ୍ୟାୟରେ ୭.୮ କୋଟି ବ୍ୟୟରେ ଗଠନ ହେବାକୁ ଥିବା ଏହିଭଳି ୧୨ଟି ସ୍ୱତନ୍ତ୍ର ଅଦାଲତରେ ତଥାକଥିତ ମାମଲାଗୁଡ଼ିକର ତୁରନ୍ତ ବିଚାର ଆରମ୍ଭ ହେବ ବୋଲି ଆଜି ସରକାର ସୁପ୍ରିମ୍‌କୋର୍ଟଙ୍କୁ ଜଣାଇଛନ୍ତି। ମାମଲା ସଂଖ୍ୟା ଓ ଫୈସଲା ସମୟକୁ ତର୍ଜମା କରି ଆବଶ୍ୟକ ସ୍ଥଳେ ଆଉ ଅଧିକ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରାଯିବ ବୋଲି ସରକାର କହିଛନ୍ତି। ଏହା ଦ୍ୱାରା ଦୀର୍ଘ ଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ତ୍ୱରିତ ବିଚାର ସହ ନୂଆ ମାମଲାର ମଧ୍ୟ ଆଶୁ ରାୟ ପ୍ରକାଶ ପାଇପାରିବ ବୋଲି ଆଶା କରାଯାଉଛି।
ଉଲ୍ଲେଖ ଥାଉ କି, ପରିସଂଖ୍ୟାନ ତଥ୍ୟ ଅନୁଯାୟୀ କେବଳ ୨୦୧୪ ମସିହାରେ ହିଁ ସାରା ଦେଶରେ ମୋଟ ୧,୫୮୧ ଜଣ ସାଂସଦ ଏବଂ ବିଧାୟକଙ୍କ ବିରୋଧରେ ୧୩,୫୦୦ ଆପରାଧିକ ମାମଲା ରୁଜୁ ହୋଇଥିଲା। ତାହା ପରଠାରୁ ସେହି ସଂଖ୍ୟା ବଢ଼ିଚାଲିଛି ସିନା, କୌଣସି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇପାରିନାହିଁ। ଫଳରେ ରାଜନେତାମାନେ ଅନାୟାସରେ ରାଜ୍‌ କରିଚାଲିଛନ୍ତି। ସେହିପରି ଦେଶରେ ଥିବା ପ୍ରାୟ ୧୭ ହଜାର ତଳକୋର୍ଟ ପିଛା ୪,୨୦୦ କରି ମାମଲା ପଡ଼ିଛି। ସୁତରାଂ ସ୍ୱତନ୍ତ୍ର ଅଦାଲତ ସ୍ଥାପନ କରି ବିଶେଷ କରି ରାଜନେତାମାନେ ଜଡ଼ିତ ଥିବା ମାମଲାଗୁଡ଼ିକର ତୁରନ୍ତ ଫୈସଲା କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ୨୦୧୫ ମସିହାରେ ସରକାରଙ୍କୁ ପରାମର୍ଶ କରିଥିଲେ। ଏପରିକି ବର୍ଷକ ଭିତରେ ସେହି ୧୫୮୧ ମାମଲାର ସ୍ଥିତି ଜଣାଇବାକୁ ଅଦାଲତ ଗତ ମାସରେ ମଧ୍ୟ ସରକାରଙ୍କୁ ଅବଗତ କରାଇଥିଲେ।
ସୂଚନାଯୋଗ୍ୟ, ବର୍ତ୍ତମାନର ଆଇନ ଅନୁଯାୟୀ, ଜଣେ ରାଜନେତା କୌଣସି ନୈତିକ ଅବା ଜଘଣ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଛଅ ବର୍ଷ ପାଇଁ ନିର୍ବାଚନ ଲଢ଼ିବାରୁ ବାରଣ କରାଯିବାର ବ୍ୟବସ୍ଥା ରହିଛି। ତେବେ ଅପରାଧୀ ପ୍ରମାଣିତ ରାଜନେତାମାନଙ୍କୁ ଜୀବନ ତମାମ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରିବା ଲାଗି ବିଜେପିର ଅଶ୍ୱିନୀ କୁମାର ଉପାଧ୍ୟାୟ ଏକ ଆବେଦନ କରିୁଥିଲେ। ତାହାର ଶୁଣାଣି ବେଳେ ଅଦାଲତ କେନ୍ଦ୍ର ନିର୍ବାଚନ ଆୟୋଗ ଏ ଦିଗରେ କାହିଁକି ନିରବ ବୋଲି ପ୍ରଶ୍ନ କରିଥିଲେ। ତେବେ ଏଥିପାଇଁ ପୁରୁଣା ଆଇନ ସଂଶୋଧନ କରି ଏକ ନୂଆ ଆଇନ ଆଣିବାକୁ ନିର୍ବାଚନ ଆୟୋଗ ଅଦାଲତଙ୍କୁ ଜଣାଇଥିଲେ।
ଅପରପକ୍ଷେ, ଏ ସମ୍ପର୍କରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ତୁରନ୍ତ ନେବାକୁ ମନା କରିଦେଇଥିଲେ। ତେବେ ଅପରାଧୀ ରାଜନେତାଙ୍କୁ ଜୀବନ ତମାମ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ପ୍ରସ୍ତାବକୁ ସମର୍ଥନ କରି ଜାତୀୟ ଆଇନ ଆୟୋଗ ଏବଂ ନିର୍ବାଚନ ଆୟୋଗ କରିଥିବା ସୁପାରିସ ଉପରେ ବିଚାର କରୁଛନ୍ତି ବୋଲି ସରକାର କହିଥିଲେ। ତଥାପି ସ୍ୱତନ୍ତ୍ର ଅଦାଲତ ମାଧ୍ୟମରେ ରାଜନେତାମାନେ ଜଡ଼ିତ ଥିବା ମାମଲାଗୁଡ଼ିକର ଫୈସଲା ଦିଗରେ ପଦକ୍ଷେପ ନେବାକୁ ରାଜି ଅଛନ୍ତି ବୋଲି କେନ୍ଦ୍ର ସରକାର ଆଜି ଜଣାଇଛନ୍ତି। ପ୍ରଥମେ ଏହିପରି ୧୨ଟି ସ୍ୱତନ୍ତ୍ର ଅଦାଲତ ସ୍ଥାପନ କରି ସଂପୃକ୍ତ ମାମଲାଗୁଡ଼ିକର ଶୁଣାଣି ଆରମ୍ଭ ହେବ। ଏଥି ସହିତ ବିଭିନ୍ନ ଅଦାଲତରେ ପଡ଼ିରହିଥିବା ଅନୁରୂପ ମାମଲା ସମ୍ପର୍କରେ ତଥ୍ୟ ଯୋଗାଡ଼ କରାଯିିବ। ତାହା ପରେ ଆଉ ଅଧିକ ସ୍ୱତନ୍ତ୍ର ଅଦାଲତ ସ୍ଥାପନ ଦିଗରେ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଆଡିସିନାଲ୍‌ ସଲିସିଟର ଜେନେରାଲ୍‌ ଏ ଏନ୍‌ ଏସ୍‌ ନାଦକର୍ଣ୍ଣି ଅଦାଲତଙ୍କୁ ସ୍ପଷ୍ଟ କରିଛନ୍ତି। ଏ ବାବଦରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଗୁରୁବାର ହେବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର