ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଧମକାଇଲେ ଅପରାଧୀ, ସାଇରନ ନ ବଜାଇବାକୁ କଲେ ତାଗିଦ

ରୋମ: ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଧମକ ଦେଲେ ଅପରାଧୀ | ଆମ୍ବୁଲାନ୍ସରେ ବାଜୁଥିବା ସାଇରନର ଶବ୍ଦକୁ ନେଇ ଇଟାଲୀର ଅପରାଧୀମାନେ ଆପତ୍ତି ପ୍ରକାଶ କରିଛନ୍ତି | ବିଶେଷ କରି ଆମ୍ବୁଲାନ୍ସର ଶବ୍ଦ ଓ ଆଲୁଅ ଦେଖି ଏଠାକାର ଡ୍ରଗ୍ସ ମାଫିଆମାନେ ଦ୍ବନ୍ଦରେ ପଡୁଛନ୍ତି | କାଳେ ପୁଲିସ ଆସିଯାଇଛି ଭାବି ଅପରାଧୀଙ୍କ ମନରେ ଦ୍ଵନ୍ଦ ରହୁଛି | କେବଳ ଅପରାଧୀ ବା ଡ୍ରଗ୍ସ ମାଫିଆ ନୁହଁନ୍ତି, ସେମାନଙ୍କ ପାଖକୁ ଆସୁଥିବା ଡ୍ରଗ୍ସ ଗ୍ରାହକମାନେ ମଧ୍ୟ ସାଇରନ ଓ ନୀଳ-ନାଲି ଆଲୁଅ ଦେଖି ଭୟରେ ଆସୁନାହାଁନ୍ତି | ଯେଉଁଥିପାଇଁ ଡ୍ରଗ୍ସ ବେପାର ମାନ୍ଦା ହେବାରେ ଲାଗିଛି |

ମିଳିଥିବା ସୂଚନା ମୁତାବକ ଇଟାଲୀର ନେପାଲସ ସହରରେ ଜଣେ ସ୍ୱାସ୍ଥ୍ୟକର୍ମୀ ଆମ୍ବୁଲାନ୍ସରେ ଯାଉଥିଲେ | ଆମ୍ବୁଲାନ୍ସରେ ସାଇରନ ବଜାଇ ଯାଉଥିବାବେଳେ ଦୁଇ ଜଣ ଦୃବୁର୍ତ୍ତ ଆସି ତାଙ୍କୁ ଅଟକାଇଥିଲେ | ଆଉ ଭବିଷ୍ୟତରେ ଆମ୍ବୁଲାନ୍ସରେ ଯିବାବେଳେ ସାଇରନ ବଜାଇଲେ କିମ୍ବା ଆଲୁଅ ଜଳାଇଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ | ଏହା ପରେ ସ୍ୱାସ୍ଥ୍ୟ କର୍ମୀ ଜଣକ ପୁଲିସକୁ ଫୋନ କରି ଏବାବଦରେ ସୂଚନା ଦେଇଥିଲେ |

ଏହା ପରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ମଧ୍ୟରେ ଭୟ ଖେଳିଯାଇଛି | ପୁଲିସର କହିବା କଥା ଯେ ଆମ୍ବୁଲାନ୍ସକୁ ଦୂରରୁ ଦେଖି ଅପରାଧୀମାନେ ପୁଲିସ ଗାଡି ଭାବି ଭୟଭୀତ ହୋଇପଡୁଛନ୍ତି | ସେମାନଙ୍କ ଯୋଜନା ଫେଲ ହୋଇଯାଉଥିବାରୁ ଅପରାଧୀମାନେ ଏବେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଧମକାଇବାରେ ଲାଗିପଡିଛନ୍ତି |

ସମ୍ବନ୍ଧିତ ଖବର