ଉତ୍ତରପ୍ରଦେଶର ଏହି ଜେଲ୍‌ ଭିତରୁ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଚଲାଉଛନ୍ତି କଏଦୀ,ଦୀପାବଳିର ଫଟୋ ଭାଇରାଲ ହେବା ପରେ ସାମ୍ନାକୁ ଆସିଲା ପ୍ରକୃତ ଘଟଣା

ଆଜମଗଡ଼(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶରେ ଦୀପାବଳି ଅବସରରେ ଏକ ଜେଲରେ କଏଦୀମାନେ ଖୁବ୍‌ ମଜା କରିଥିବାର ଦେଖା ଯାଇଥିଲା । ଜେଲ ପରିସରରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ କଏଦୀମାନେ ନିଜ ନିଜର ସେଲ୍‌ଫି ନେଇ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ ନିଜ ସାଙ୍ଗମାନଙ୍କୁ ଛାଡ଼ିଥିଲେ । ପରେ ସେ ସବୁ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଏବେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।

ଜେଲ୍‌ରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଲିସକର୍ମୀମାନେ ବଡ଼ ବଡ଼ କଥା କହୁଥିବା ବେଳେ ଏହି ଘଟଣା ପ୍ରକୃତ ତଥ୍ୟ ସାମ୍ନାକୁ ଆଣିଛି । ସୂଚନା ମୁତାବକ, ଏହି ଘଟଣା ଆଜମଗଡ଼ ଜିଲ୍ଲାରେ ଥିବା ମଣ୍ଡଳୀୟ ହାଜତର ବୋଲି ଜଣା ପଡ଼ିଛି । କଏଦୀମାନେ ଜେଲ୍‌ ଭିତରୁ ଯେଉଁ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ ଚଲାଉଛନ୍ତି ସେହି ଗ୍ରୁପରେ ବାହାରର ୨୦୦ଲୋକ ସଦସ୍ୟଥିବା ସାମ୍ନାକୁ ଆସିଛି । ୨୦୦ସଦସ୍ୟମାନଙ୍କ ମଧ୍ୟରେ କିଛି ରାଜନେତା,ବ୍ୟବସାୟୀ ଏବଂ ଧନୀ ଲୋକଙ୍କ ନାମ ରହିଛି । କିନ୍ତୁ ହ୍ଵାଟ୍‌ସଆପ୍‌ ଗ୍ରୁପ୍‌ରେ କେଉଁ ରାଜନେତାଙ୍କ ନାମ ରହିଛି ତାହାର କୌଣସି ଅଧିକାରୀକ ଘୋଷଣା କରାଯାଇ ନଥିବା ଜଣା ପଡ଼ିଛି । ତେବେ ଗ୍ରୁପ୍‌ର ନାମ ସଚ୍ଚିନ ଦାଦା ଥିବା ଜଣା ପଡ଼ିଛି । ଫଟୋ ଛାଡ଼ିବା ସହ କଏଦୀମାନେ ଦୀପାବଳିର ଶୁଭକାମନା ମଧ୍ୟ ଜଣାଇଥିବା ଦେଖାଯାଇଥିଲା । ଏହି ଖବର ପ୍ରସାର ହେବା ପରେ ଏବେ ମଣ୍ଡଳୀୟ ହାଜତର କର୍ମୀମାନେ ସତର୍କ ହେବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର