ଧର୍ମଶାଳା: ଭାରତ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ୍ ପାଇଁ ଇଂଲଣ୍ଡ ପ୍ଲେଇଙ୍ଗ-୧୧ ଘୋଷଣା କରିଛି। ଓଲି ରବିନସନଙ୍କୁ ବାହାରେ ରଖାଯାଇଥିବା ବେଳେ ଧର୍ମଶାଳା ଟେଷ୍ଟ ମ୍ୟାଚ୍ ପାଇଁ ପେସର୍ ମାର୍କ ୱୁଡ ଇଂଲଣ୍ଡର ପ୍ଲେଇଙ୍ଗ-୧୧କୁ ଫେରିଛନ୍ତି। ସ୍ପିନର ଶୋଏବ ବଶିର ତାଙ୍କ ସ୍ଥାନ ବଞ୍ଚାଇବାରେ ସଫଳ ହୋଇଛନ୍ତି। ତେବେ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ ଦଳ ପାଇଁ ସଙ୍କଟ ଦେଖାଦେଇଛି। ଦଳର ଦୁଇ ଜଣ ଖେଳାଳି ଅସୁସ୍ଥ ହୋଇଯଇଛନ୍ତି। ସେମାନେ ପେଟ ବ୍ୟଥାରେ ପୀଡିତ ଅଛନ୍ତି।

Advertisment

ଏହି ଖେଳାଳିଙ୍କ ମଧ୍ୟରୁ ଜଣେ ପ୍ଲେଇଙ୍ଗ-୧୧ରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଏହା ସତ୍ତ୍ବେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ କହିଛନ୍ତି ଯେ ପ୍ଲେଇଙ୍ଗ-୧୧ରେ ଅନ୍ତର୍ଭୁକ୍ତ ସ୍ପିନର ଶୋଏବ ବଶିର ମ୍ୟାଚ ଆରମ୍ଭ ପୂର୍ବରୁ ସମ୍ପୂର୍ଣ୍ଣ ଫିଟ୍ ହେବେ ବୋଲି ସେ ଆଶାବାଦୀ ଅଛନ୍ତି। ଏହି ସମୟରେ ଷ୍ଟୋକ୍ସ କହିଛନ୍ତି ପେଟ ବ୍ୟଥା ଯୋଗୁ ଅଫ୍ ସ୍ପିନର ଶୋଏବ ବଶିର ଏବଂ ପ୍ଲେଇଙ୍ଗ-୧୧ରୁ ବାହାରି ଥିବା ଦ୍ରୁତ ବୋଲର ଓଲି ରବିନସନଙ୍କୁ ଦଳଠାରୁ ଅଲଗା ରଖାଯାଇଛି।

ଷ୍ଟୋକ୍ସ କହିଛନ୍ତି, 'ଉଭୟଙ୍କ ପେଟରେ କିଛି ସମସ୍ୟା ସୃଷ୍ଟି ହୋଇଛି ଏବଂ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଦଳର ଅନ୍ୟ କାହାକୁ ବିପଦରେ ପକାଇବାକୁ ଚାହୁଁନାହୁଁ। ତେଣୁ ଆମେ ସେମାନଙ୍କୁ ଦଳଠାରୁ ଦୂରରେ ରଖିବାକୁ ନିଷ୍ପତ୍ତି ନେଇଛୁ। ଷ୍ଟୋକ୍ସ ଧର୍ମଶାଳା ପିଚକୁ ସମ୍ପୂର୍ଣ୍ଣ ବ୍ୟାଟିଂ ଉପଯୋଗୀ ବୋଲି କହିଛନ୍ତି। ଗୁରୁବାରଠାରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ପାଇଁ ସେ ଦଳରେ ଅତିରିକ୍ତ ଦ୍ରୁତ ବୋଲର ଚୟନ କରିନାହାନ୍ତି ବୋଲି କହିଛନ୍ତି।