ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲଙ୍କୁ ମଦ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପରେ ତାଙ୍କ ଅନୁପସ୍ଥିତିରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଏବେ ନିୟମିତ ଶାସନ ଚଳାଇବାରେ ସଙ୍କଟର ସମ୍ମୁଖୀନ ହୋଇଛି। ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲକୁ ନେଇ କୌଣସି ଅଗ୍ରଗତି ହୋଇପାରୁ ନ ଥିବାରୁ ବିଭ୍ରାଟ ଦେଖାଦେଇଛି। କେଜ୍ରିୱାଲଙ୍କ ପାଖରେ କୌଣସି ବିଭାଗ ନଥିଲେ ମଧ୍ୟ ଏଭଳି ଅନେକ ଫାଇଲ ଅଛି ଯାହା କେବଳ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ସ୍ଥାନାନ୍ତର ହୁଏ। ସମ୍ପୃକ୍ତ ମନ୍ତ୍ରୀମାନେ ବର୍ତ୍ତମାନ ଏଭଳି ସମସ୍ତ ଫାଇଲକୁ ନିଜ ପାଖରେ ରଖିଛନ୍ତି ଏବଂ ଏହା ଆଗକୁ ବଢ଼ିପାରୁ ନାହିଁ।
କେଜ୍ରିଵାଲଙ୍କୁ ତାଙ୍କ ନ୍ୟାୟିକ ହାଜତ ସମୟରେ ତାଙ୍କ ମନ୍ତ୍ରୀ, ଅଧିକାରୀ କିମ୍ବା କର୍ମଚାରୀଙ୍କୁ ଭେଟିବାକୁ ସ୍ପଷ୍ଟ ଅନୁମତି ନାହିଁ। ଦିଲ୍ଲୀ ସରକାରଙ୍କ ଆଇନ, ୧୯୯୧ ଏବଂ ଟ୍ରାଞ୍ଜାକସନ୍ ଅଫ୍ ବିଜନେସ୍ ରୁଲ୍ସ ଅନୁଯାୟୀ କେନ୍ଦ୍ର ସରକାର ଏବଂ ଉପରାଜ୍ୟପାଳଙ୍କୁ ମିଳିଥିବା କିମ୍ବା ପଠାଯାଇଥିବା ସମସ୍ତ ଫାଇଲ୍ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ପଠାଯାଇଥାଏ। ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ମୁଖ୍ୟ ଅଟନ୍ତି ଏବଂ ଜାତୀୟ ରାଜଧାନୀର ବ୍ୟାପାର ପରିଚାଳନା ସମ୍ବନ୍ଧୀୟ ସୂଚନା ବାଣ୍ଟିବା ବ୍ୟତୀତ କ୍ୟାବିନେଟର ସମସ୍ତ ନିଷ୍ପତ୍ତି ଉପରାଜ୍ୟପାଳଙ୍କୁ ଅବଗତ କରନ୍ତି। ଏଭଳି ସ୍ଥିତିରେ କେଜ୍ରିୱାଲ ଜେଲ୍ ହାଜତରୁ କିଭଳି ଶାସନ ପରିଚାଳନା କରିବେ ତାହାକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି। ଦିଲ୍ଲୀ ସରକାରରେ ଦେଖାଦେଇଥିବା ସଙ୍କଟ ନେଇ ଆଜି ପୂର୍ବତନ ସୁପ୍ରିକୋର୍ଟ ବିଚାରପତି ଅଜୟ ରସ୍ତୋଗି କହିଛନ୍ତି ଯେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ। ଶାସନ କ୍ଷମତାର ଏଭଳି ପଦରେ ଥିବା ବ୍ୟକ୍ତି ଜେଲ୍ ଗଲେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବାଧ୍ୟ।