ଅହମଦାବାଦ: ଗୁଜରାଟ ଉପନିର୍ବାଚନରେ ଆପ୍ ପ୍ରାର୍ଥୀ ଗୋପାଳ ଇଟାଲିଆ ବିଜୟୀ ହେବାର କିଛି ଦିନ ପରେ ବୋଟାଦ ବିଧାୟକ ଉମେଶ ମକ୍ୱାନାଙ୍କୁ ୫ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ଅରବିନ୍ଦ କେଜ୍ରିଵାଲଙ୍କୁ ଲେଖିଥିବା ଚିଠିରେ ମକ୍ୱାନା ଦଳର ଜଣେ ଉତ୍ସର୍ଗୀକୃତ କର୍ମୀ ରହିବେ ବୋଲି କହି ଦଳର ସମସ୍ତ ପଦରୁ ଇସ୍ତଫା ଦେବାର କିଛି ଘଣ୍ଟା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାକ୍ରମ ଦଳର ରାଜ୍ୟ ଶାଖାରେ ସଙ୍କଟ ବଢ଼ାଇ ଦେଇଛି। ଗୁଜରାଟ ଆପ୍ ମୁଖ୍ୟ ଇସୁଦନ ଗଢ଼ଭି ଏହି ବହିଷ୍କାର ଘୋଷଣା କରିଛନ୍ତି, ଯାହା ରାଜ୍ୟ ଶାଖାରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ପ୍ରତିଫଳିତ କରୁଛି। ଆପ୍ ନେତା ଉମେଶ ମକ୍ୱାନା ଗୁରୁବାର ଗାନ୍ଧୀନଗରରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଲୋକଙ୍କ ସହ ପରାମର୍ଶ କରିବା ପରେ ହିଁ ମୁଁ ବିଧାୟକ ପଦରୁ ଇସ୍ତଫା ଦେବା ନେଇ ନିଷ୍ପତ୍ତି ନେବି। ପଛୁଆ ସଂପ୍ରଦାୟର ନେତାଙ୍କୁ କେବଳ ନିର୍ବାଚନ ପାଇଁ ବ୍ୟବହାର କରାଯାଉଛି ଏବଂ ପ୍ରତ୍ୟେକ ଦଳ ସେମାନଙ୍କ ପ୍ରକୃତ ପ୍ରସଙ୍ଗ ଉଠାଇବାରେ ବିଫଳ ହୋଇଛନ୍ତି। ସବୁ ଦଳରେ ଜାତିଗତ ମାନସିକତା ବୃଦ୍ଧି ପାଉଛି। ଗୋପାଳ ଇଟାଲିଆଙ୍କୁ ସମଗ୍ର ଦଳ ସମର୍ଥନ କରିଥିଲା, କିନ୍ତୁ କାଦିରୁ ଦଳିତ ପ୍ରାର୍ଥୀଙ୍କୁ ଏକାକୀ ଲଢ଼ିବାକୁ ଛାଡ଼ି ଦିଆଯାଇଥିଲା। ଜନସାଧାରଣଙ୍କ ସହ ପରାମର୍ଶ କରିବା ପରେ ହିଁ ଆପ୍ ବିଧାୟକ ପଦରୁ ଇସ୍ତଫା ଦେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବି।  ଆଗାମୀ ଦିନରେ ମୁଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବି ନା ନୂଆ ଦଳ ଗଠନ କରିବି ତାହା ସ୍ଥିର କରିବି ବୋଲି ଉମେଶ ମକ୍ୱାନା କହିଛନ୍ତି। ଆଗାମୀ ଦିନରେ ପଛୁଆ ସଂପ୍ରଦାୟର ନେତାମାନଙ୍କ ସହ ଏକ ବୈଠକ କରିବାକୁ ଯୋଜନା ରଖିଛନ୍ତି ବୋଲି ମକ୍ୱାନା କହିଛନ୍ତି। ଉମେଶ ମକ୍ୱାନାଙ୍କ ଘୋଷଣାର କିଛି ସମୟ ପରେ ଗୁଜରାଟ ଆପ୍ ସଭାପତି ଇସୁଦନ ଗଢ଼ଭି ଗଣମାଧ୍ୟମକୁ କହିଛନ୍ତି, ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ଉମେଶ ମକ୍ୱାନାଙ୍କୁ ୫ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ବିଜେପି ମନ୍ଦ ରାଜନୀତି କରୁଛି। ସେମାନେ ଉମେଶ ମକ୍ୱାନାଙ୍କ ଜରିଆରେ ଆପ୍‌କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନରେ ବୋଟାଦ ଆସନରୁ ଆପ୍ ଦ୍ୱାରା ପ୍ରାର୍ଥୀ ହୋଇଥିବା ମକ୍ୱାନା ବିଜେପିର ଘନଶ୍ୟାମ ବିରାନୀ ଓ କଂଗ୍ରେସର ମନହର ପଟେଲଙ୍କୁ ପରାସ୍ତ କରି ବିଧାୟକ ହୋଇଥିଲେ। ଆପ୍ ସହିତ ତାଙ୍କର ରାଜନୈତିକ ଯାତ୍ରା ଜାରି ରହିଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ଭାବନଗରରୁ ଦଳର ଲୋକସଭା ପ୍ରାର୍ଥୀ କରାଯାଇଥିଲା, ଯଦିଓ ସେ ସେହି ନିର୍ବାଚନରେ ହାରିଯାଇଥିଲେ।