କୋଲକାତା: ଆର୍‌ଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ନିର୍ମମ ହତ୍ୟା ମାମଲା ନେଇ ପଶ୍ଚିମବଙ୍ଗରେ ଜଟିଳ ସ୍ଥିତି ଉପୁଜିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ଆନ୍ଦୋଳନରତ ଡାକ୍ତରମାନେ ତାଙ୍କ ସହ କଥା ହେବାକୁ ପ୍ରସ୍ତୁତ ନାହାନ୍ତି।  ଆର୍‌ଜି କର ହସ୍ପିଟାଲ କାଣ୍ଡ ବାବଦରେ କନିଷ୍ଠ ଡାକ୍ତରମାନେ ସରକାରଙ୍କ ସହ ବିସ୍ତୃତ ଆଲୋଚନା ଚାହୁଛନ୍ତି ଏବଂ ରାଜ୍ୟରେ ଡାକ୍ତରଙ୍କ ସୁରକ୍ଷା ପ୍ରସଙ୍ଗରେ ସରକାର ସବୁ ଦାବି ମାନିବାକୁ   ଜିଦ୍‌ ଧରିଛନ୍ତି।  ଏହା ସହିତ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ  ଆଲୋଚନା କରିବା ବେଳେ  ଏହାର ସିଧା ପ୍ରସାରଣ ପାଇଁ ମଧ୍ୟ ସର୍ତ୍ତ ରଖିଛନ୍ତି। ରାଜ୍ୟ ସରକାର ଉଭୟ କ୍ଷେତ୍ରରେ କୌଣସି ସାଲିସ କରିବାକୁ ଚାହୁନଥିବାରୁ  ଆନ୍ଦୋଳନ ଜାରି ରହିଛି ଏବଂ ଏହାକୁ ନେଇ ଜଟିଳ ସ୍ଥିତି ସୃଷ୍ଟି ହୋଇଛି।  ସ୍ବାସ୍ଥ୍ୟସେବା ଉପରେ ଏହାର ପ୍ରଭାବ ପଡ଼ିଥିବା ବେଳେ ଆଗକୁ ସଙ୍କଟ ଜଟିଳ ହେବା ଆଶଙ୍କା କରାଯାଉଛି।

Advertisment

ଆନ୍ଦୋଳନରତ ଡାକ୍ତର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଆଲୋଚନା ପାଇଁ ସହମତି ହୋଇନଥିବାରୁ   ରୋଗୀମାନେ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଗତକାଲି  ସନ୍ଧ୍ୟାରେ ଖବର ଆସିଥିଲା ଯେ ମମତା ସରକାର ଏବଂ ଆନ୍ଦୋଳନରତ ଡାକ୍ତରମାନେ କଥା ହେବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ   ଉଭୟ ପକ୍ଷ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା। ସରକାର  ଡାକ୍ତରଙ୍କ ଦାବି ଆଗରେ ନଇଁବେ ନାହିଁ ବୋଲି ଗତକାଲି ସ୍ପଷ୍ଟ ସଙ୍କେତ ଦେଇଥିବା ବେଳେ ଡାକ୍ତରମାନେ ମଧ୍ୟ ଆନ୍ଦୋଳନକୁ ଫେରିଛନ୍ତି। ତେବେ ଏଭଳି ସ୍ଥିତି ଜାରି ରହିଲେ ରାଜ୍ୟରେ ସ୍ବାସ୍ଥ୍ୟସେବା ସମସ୍ୟା ବଢ଼ିପାରେ। ଗତକାଲି ଆନ୍ଦୋଳନରତ ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ୪୦ ମିନିଟ୍ ଧରି ଠିଆ ହୋଇଥିଲେ। କିନ୍ତୁ ବୈଠକର ସିଧା ପ୍ରସାରଣ ହୋଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ଜଣାଇ ଦିଆଗଲା।

ffhfhfshtht

ପ୍ରମାଣ ନଷ୍ଟ କରିବାରେ ପୁଲିସ ସହଯୋଗ କରିଛି: ବିଜେପି
କୋଲକାତା: ଚର୍ଚ୍ଚିତ କୋଲକାତା ଆର୍‌ଜି କର ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ରେ ମହିଳା ରେସିଡେଣ୍ଟ ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ରାଜ୍ୟ ପୁଲିସ ପ୍ରଶାସନ ଉପରେ ନିଜର ଅଭିଯୋଗକୁ ଶାଣିତ କରିଛନ୍ତି। ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରମାଣ ନଷ୍ଟ କରିବାରେ କୋଲକାତା ପୁଲିସ ସହାୟତା କରିଛି ବୋଲି ଶୁଭେନ୍ଦୁ କହିଛନ୍ତି। ଶନିବାର, ତାଲା ପୁଲିସ ଥାନାର ଭାରପ୍ରାପ୍ତ ଅଧିକାରୀ (ଓଆଇସି) ଅଭିଜିତ ମଣ୍ଡଳଙ୍କୁ ସିବିଆଇ ଗିରଫ କରିଛି। ଏହି ପ୍ରସଙ୍ଗକୁ ନେଇ ଶୁଭେନ୍ଦୁ ଅଧିକାରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟକରି କହିଛନ୍ତି, ଦୁଷ୍କର୍ମ ଓ ହତ୍ୟା ମାମଲାର ପ୍ରମାଣ ନଷ୍ଟ କରିବାରେ ଓ ତଦନ୍ତକୁ ଭ୍ରମିତ କରିବାକୁ ପୁଲିସର ସିଧାସଳଖ ସମ୍ପୃକ୍ତି ପ୍ରମାଣିତ ହୋଇଛି। ବ୍ୟବସ୍ଥାରେ ତ୍ରୁଟିଗୁଡ଼ିକୁ ପୁଲିସର ବରିଷ୍ଠ ଅଧିକାରୀମାନେ ସୃଷ୍ଟି କରିଛନ୍ତି ଓ ଅତିନିକଟରୁ ଏହାକୁ ପରିଚାଳିତ କରିଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରି ଶୁଭେନ୍ଦୁ କହିଛନ୍ତି, ପୁଲିସ ବିଭାଗ ସମ୍ପୃକ୍ତିର ପ୍ରମାଣ ମିଳିବା ପରେ କୋଲକାତା ପୁଲିସ କମିସନର ବିନିତ ଗୋୟଲ୍‌ଙ୍କୁ ତୁରନ୍ତ ନିଲମ୍ବିତ କରିବା କଥା। ଗୃହମନ୍ତ୍ରୀ ମମତା ବାନାର୍ଜୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ। ସୂଚନା‌ଯୋଗ୍ୟ, ଗତକାଲି, ଆର୍‌ଜି କର ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ର ପୂର୍ବ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସହ ପୁଲିସ ଅଧିକାରୀ ଅଭିଜିତ ମଣ୍ଡଳଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ଗିରଫ କରିଛି।

ଏହା ପରେ ଆନ୍ଦୋଳନକାରୀ ଡାକ୍ତରମାନେ କହିଥିଲେ ଯେ ସରକାର କେବଳ ନିଜ ନିଷ୍ପତ୍ତି ଆମ ଉପରେ ଲଦିବାକୁ ଚାହୁଛନ୍ତି ଏବଂ ନାନା କୌଶଳ ଅବଲମ୍ବନ କରି କଥାବାର୍ତ୍ତା ଟାଳି ଦେଉଛନ୍ତି। ଏଭଳି ସ୍ଥିତିରେ ପରିବର୍ତ୍ତନ ନହେଲେ ଆମେ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ବାର୍ତ୍ତା କରିବାକୁ ଯିବୁନାହିଁ ବୋଲି  କନିଷ୍ଠ ଡାକ୍ତରମାନେ ବିବୃତି ଜାରି କରିଛନ୍ତି। ଆର୍‌ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦିପ ଘୋଷଙ୍କୁ ଗତକାଲି ଷଡ଼ଯନ୍ତ୍ର ଓ ପ୍ରମାଣ ନଷ୍ଟ ମାମଲାରେ ସିବିଆଇ ଗିରଫ କରିଥିବାରୁ ସରକାର ତାଙ୍କ ଚାଲ୍‌ ବଦଳାଇଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି। ମୁଖ୍ୟମନ୍ତ୍ରୀ ସିବିଆଇର ଗିରଫଦାରୀ ବାବଦରେ ଅବଗତ ହେବାମାତ୍ରେ ଆଭିମୁଖ୍ୟ ବଦଳାଇଥିଲେ ବୋଲି ଡାକ୍ତରମାନେ ଅଭିଯୋଗ କରିଛନ୍ତି। ‘ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଆମ ସହ ଆଲୋଚନା ପାଇଁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ସନ୍ଧ୍ୟାରେ ତାଙ୍କ ନିଷ୍ପତ୍ତି ହଠାତ୍‌ ବଦଳିବାରୁ ଆମେ ନିରାଶରେ ଫେରିଲୁ’ ବୋଲି ଡାକ୍ତରମାନେ କହିଛନ୍ତି।