ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ହୋଇନପାରିବା ଇଣ୍ଡିଆ ମେଣ୍ଟ ପାଇଁ ଜଟିଳ ସ୍ଥିତି ସୃଷ୍ଟି କଲାଣି। ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ପଶ୍ଚିମବଂଗରେ କଂଗ୍ରେସ ସହ କୌଣସି ସ୍ଥିତିରେ ବି ମେଣ୍ଟ କରାଯିବ ନାହିଁ ବୋଲି ଆଜି ଘୋଷଣା କରିଥିବା ବେଳେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପଂଜାବରେ କଂଗ୍ରେସ ସହ ଦଳ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ମେଣ୍ଟର ଦୁଇ ପ୍ରମୁଖ ନେତାଙ୍କ ଏଭଳି ଆଭିମୁଖ୍ୟ କଂଗ୍ରେସ ପାଇଁ ବଡ଼ ଝଟ୍କା ହୋଇଥିବା ବେଳେ ଏହା ଇଣ୍ଡିଆ ମେଣ୍ଟର ରଣନୀତିକୁ ଦୁର୍ବଳ କରିଦେବ ବୋଲି କୁହାଯାଉଛି। ମମତା କହିଛନ୍ତି, ଦଳ ପଶ୍ଚମବଂଗରେ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢ଼ିବ। କଂଗ୍ରେସ ସହ ଆସନ ବୁଝାମଣା ବିଫଳ ହୋଇଛି ଏବଂ ରାଜ୍ୟରେ ମେଣ୍ଟ ହେବନାହିଁ ବୋଲି ମମତାଙ୍କ ଘୋଷଣା ପରେ କଂଗ୍ରେସ ନିଜ ଆଭିମୁଖ୍ୟ ନରମ କରି ମମତାଙ୍କୁ ମନାଇବାକୁ ପ୍ରୟାସ ଜାରି ରଖିଛି।
ସୂଚନାଯୋଗ୍ୟ, ଗତକାଲି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ତାଙ୍କୁ ସୁବିଧାବାଦୀ ବୋଲି କହିଥିଲେ। ମମତାଙ୍କ ବିନା ସହାୟତାରେ ଦଳ ଲୋକସଭା ନିର୍ବାଚନ ଲଢ଼ିବ ବୋଲି ଅଧୀର ରଂଜନଙ୍କ ଦୃଢ଼ୋକ୍ତି ପରେ ଆଜି ମମତା ଟିଏମ୍ସିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମମତା ଓ ଅଧୀରଙ୍କ ମଧ୍ୟରେ ବିବାଦ ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ମମତାଙ୍କୁ ମନାଇବାକୁ ପ୍ରୟାସ କରିଥିଲେ। ତେବେ ଏହା ସଫଳ ହୋଇନାହିଁ। ମମତା କହିଛନ୍ତି ଯେ କଂଗ୍ରେସ ଦଳ ମନକୁ ମନ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରୁଛି ଏବଂ ରାଜ୍ୟରେ ଏହି ଯାତ୍ରା ବାବଦରେ ତାଙ୍କୁ ସୂଚନା ଦିଆଯାଇନାହିଁ। ଏଭଳି ସ୍ଥିତିରେ ନ୍ୟାୟ ଯାତ୍ରାକୁ ପଶ୍ଚିମବଂଗରେ ସମର୍ଥନ ମିଳିବ ନାହିଁ ବୋଲି କଂଗ୍ରେସ ଆଶଙ୍କା କରୁଛି। ବର୍ତ୍ତମାନ ଆସାମରେ ଥିବା ଏହି ରଥଯାତ୍ରା ଜାନୁଆରି ୨୫ ତାରିଖରେ କୁଚବିହାର ଜିଲ୍ଲାର ବକ୍ସିରହାଟ ଦେଇ ପଶ୍ଚିମବଙ୍ଗରେ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ୨୯ରେ ଯାତ୍ରା ବିହାରରେ ପହଞ୍ଚିବ।
ମମତାଙ୍କ ବିନା ମେଣ୍ଟ ସମ୍ଭବ ନୁହେଁ: କଂଗ୍ରେସ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀ ଏକାକୀ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିବା ପରେ କଂଗ୍ରେସ ବୁଧବାର କହିଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବିନା ବିରୋଧୀ ମେଣ୍ଟର କଳ୍ପନା କରାଯାଇପାରିବ ନାହିଁ। ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)କୁ ଇଣ୍ଡିଆ ମେଣ୍ଟର ଏକ ଶକ୍ତିଶାଳୀ ସ୍ତମ୍ଭ ବୋଲି ବର୍ଣ୍ଣନା କରିଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଇଣ୍ଡିଆ ମେଣ୍ଟ ଏକ ମେଣ୍ଟ ଭଳି ଲଢ଼ିବ ଏବଂ ଟିଏମ୍ସି ସହ ଭବିଷ୍ୟତରେ ଆସନ ବୁଝାମଣା ଫଳପ୍ରଦ ହେବ । ଆମେ ବିଜେପିକୁ ପରାସ୍ତ କରିବାକୁ ଚାହୁଛୁ ଏବଂ ବିଜେପିକୁ ପରାସ୍ତ କରିବା ପାଇଁ ଆମେ କିଛି ବି କରିବୁ ବୋଲି ସେ କହିଛନ୍ତି। ରାହୁଲ ଗାନ୍ଧି ସ୍ପଷ୍ଟ ଭାବେ କହିଛନ୍ତି ଯେ ମମତାଜୀ ଏବଂ ଟିଏମ୍ସି ଇଣ୍ଡିଆ ମେଣ୍ଟର ଶକ୍ତିଶାଳୀ ସ୍ତମ୍ଭ। ମମତାଙ୍କ ବିନା ଆମେ ବିରୋଧୀ ମେଣ୍ଟର କଳ୍ପନା କରିପାରିବୁ ନାହିଁ ବୋଲି ରମେଶ କହିଛନ୍ତି।