କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଶାସକ ତୃଣମୂଳ କଂଗ୍ରେସର ହୃତ୍କମ୍ପନ ବଢ଼ି ଚାଲିଛି। ଦଳର ବହୁ ବରିଷ୍ଠ ନେତାମାନେ ଦଳ ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି। ଏଭଳି ସ୍ଥିତି ଲାଗି ରହିଲେ ଦଳ ଆଗକୁ ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଆଶଙ୍କା ପ୍ରକାଶ ପାଇଲାରି। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୁଇଦିନିଆ ଗସ୍ତବେଳେ ଜଣେ ସାଂସଦ, ସାତ ଜଣ ବିଧାୟକଙ୍କ ସହ ବହୁ ତୃଣମୂଳ ନେତା ବିଜେପିରେ ସାମିଲ୍ ହୋଇଛନ୍ତି। ତେବେ ତୃଣମୂଳର ରଣନୀତିକାର ପ୍ରଶାନ୍ତ କିଶୋର (ପିକେ) ଚ୍ୟାଲେଞ୍ଜ କରିଛନ୍ତି ଯେ ବିଧାନସଭା ନିର୍ବାଚନରେ ବିଜେପି ଦୁଇ ଅଙ୍କ ଟପି ପାରିବନି। ଯଦି ଟପିଲା ତେବେ ସେ ତାଙ୍କ ପଦବୀ ପରିତ୍ୟାଗ କରିବେ।
ପିକେଙ୍କ ଚ୍ୟାଲେଞ୍ଜକୁ ନେଇ ତୃଣମୂଳ ସୁପ୍ରିମୋ କିମ୍ବା ଦଳର ଅନ୍ୟ ନେତାମାନେ ଉତ୍ସାହିତ ନୁହନ୍ତି। ଦୁଇଦିନ ପୂର୍ବେ ବରିଷ୍ଠ ନେତାମାନେ କାହିଁକି ଦଳତ୍ୟାଗ କରୁଛନ୍ତି ବୋଲି ମମତା ବାନାର୍ଜୀ ପିକେଙ୍କୁ ପ୍ରଶ୍ନ କରିଥିଲେ। ପିକେ ଏହାର ସନ୍ତୋଷଜନକ ଉତ୍ତର ଦେଇ ନାହାନ୍ତି। ତୃଣମୂଳର ଅନେକ ବରିଷ୍ଠ ନେତା ପିକେଙ୍କ ରଣନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ନିକଟ ଅତୀତରେ ନିର୍ବାଚନ ଫଳାଫଳକୁ ନେଇ ପିକେଙ୍କ ସେମିତି କିଛି ଆଖିଦୃଶିଆ ସଫଳତା ନାହିଁ। ଗତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ପ୍ରଭାବ ଦେଖି ମମତା ବାନାର୍ଜୀ ପିକେଙ୍କୁ ନିଜ ଦଳର ରଣନୀତିକାର ଭାବେ ଅବସ୍ଥାପିତ କରିଥିଲେ। କିନ୍ତୁ ଏବେ ତାଙ୍କୁ ତୃଣମୂଳର ନେତାମାନେ ଆଦୌ ଗ୍ରହଣ କରୁନାହାନ୍ତି। ପିକେଙ୍କ ବିଭିନ୍ନ ସର୍ଭେ ରିପୋର୍ଟ ଏବଂ ପ୍ରସ୍ତାବକୁ ମଧ୍ୟ ଅଧିକାଂଶ ଟିଏମ୍ସି ନେତା ପ୍ରତ୍ୟାଖ୍ୟାନ କରୁଥିବାରୁ ମମତାଙ୍କ ଚିନ୍ତା ବଢ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/prasant-kishore-jagran.png)