ଡୋକ୍‌ଲାମକୁ ନେଇ ପୁଣି ସଙ୍କଟ:ନୂଆ ରାସ୍ତା ନିର୍ମାଣ କଲା ଚୀନ୍‌

ନୂଆଦିଲ୍ଲୀ: ଭାରତ-ଭୁଟାନ-ଚୀନ୍‌ ସୀମାର ବିବାଦୀୟ ଡୋକଲାମ ଅଂଚଳରେ ଚୀନ୍‌ ପୁଣି ନୂଆ ରାସ୍ତା ନିର୍ମାଣ କରି ସଙ୍କଟ ସୃଷ୍ଟି କରିଛି। ବିଗତ ୨ ମାସ ମଧ୍ୟରେ ଚୀନ୍‌ ସେନା ଯୁଦ୍ଧକାଳୀନ ଭିତ୍ତିରେ ଏହି ରାସ୍ତା ନିର୍ମାଣ କରିଥିବା ଉପଗ୍ରହ ଛବି ଅନୁଧ୍ୟାନରୁ ଜଣାପଡ଼ିଛି। ଚଳିତ ବର୍ଷ ଡୋକଲାମରେ ଚୀନ୍‌ର ସୈନ୍ୟଠୁଳକୁ ନେଇ ଭାରତ-ଚୀନ୍‌ ମଧ୍ୟରେ ଦୀର୍ଘ ୭୦ ଦିନ ଧରି ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଥିବା ବେଳେ ଶେଷରେ ଭାରତର ସଫଳ ରଣନୀତି ଯୋଗୁଁ ଚୀନ୍‌ ସେନା ପଛକୁ ହଟିବାକୁ ବାଧ୍ୟ ହୋଇଥିଲା। ଏବେ ପୁଣିଥରେ ବିବାଦୀୟ ଅଂଚଳରେ ରାସ୍ତା ନିର୍ମାଣ କରି ଚୀନ୍‌ ନିଜର ବିସ୍ତାରବାଦୀ ଯୋଜନାକୁ ସାକାର କରିବାକୁ ଚାହୁଛି।

ବିବାଦୀୟ ଅଂଚଳରୁ ପଶ୍ଚିମ ପଟକୁ ୪.୫ କିଲୋମିଟର ନୂଆ ରାସ୍ତା ହୋଇଥିବା ଜଣାପଡ଼ିଛି । ଡୋକାଲାରେ ଥିବା ଭାରତୀୟ ସେନାର ପୋଷ୍ଟ ପର୍ଯ୍ୟନ୍ତ ଏହି ରାସ୍ତା ଲମ୍ବିଥିବା ଜଣାପଡ଼ିଛି । ଆଉ ଏକ ରାସ୍ତା ବିବାଦୀୟ ସ୍ଥଳରୁ ଉତ୍ତର ଆଡ଼କୁ ଲମ୍ବିଛି ଏବଂ ଏହାର ଲମ୍ବ ୧.୨ କିଲୋମିଟର ରହିଛି । ବିବାଦୀୟ ଅଂଚଳର ୧୦ କିମି ଭିତରେ କୌଣସି ରାସ୍ତା ନିର୍ମାଣ ନ କରିବା ପାଇଁ ଭାରତ କଡ଼ା ସର୍ତ୍ତ ରଖିଥିବା ସତ୍ତ୍ୱେ ଚୀନ୍‌ ଏହାକୁ ଉଲ୍ଲଂଘନ କରି ରାସ୍ତା ନିର୍ମାଣ କରିଥିବାରୁ ଆଗକୁ ଦୁଇ ଦେଶ ମଧ୍ୟରେ ପୁଣି ଉତ୍ତେଜନା ବଢ଼ିବା ଆଶଙ୍କା ଦେଖାଦେଇଛି ।
ଗତକାଲି ବିଦେଶ ମନ୍ତ୍ରୀ ସୁଷମ ସ୍ୱରାଜ ଚୀନ୍‌ ବିଦେଶ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କ ସହ ଦ୍ୱିପାକ୍ଷିକ ସଂପର୍କରେ ସୁଧାର ଆଣିବାକୁ ଆଲୋଚନା କରିଥିବା ବେଳେ ଆଜି ଏ ବାବଦ ତଥ୍ୟ ପ୍ରଘଟ ଚୀନ୍‌ର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି । ତେବେ ଡୋକଲାମରେ ଚୀନ୍‌ ସୈନିକଙ୍କ ଉପସ୍ଥିତିକୁ ଦେଖି ଭାରତ ମଧ୍ୟ ନିଜ ସ୍ଥିତିକୁ ସୁଦୃଢ଼ କରିନେଇଛି। ଶୀତଋତୁ ସରିବା ପର୍ଯ୍ୟନ୍ତ ଚୀନ୍‌ ସେନା ବିବାଦୀୟ ଅଂଚଳରେ ରହିବା ସ୍ପଷ୍ଟ ହୋଇଯାଇଥିବାରୁ ଭାରତ ମଧ୍ୟ ପ୍ରତିକୂଳ ପରିସ୍ଥିତି ଭିତରେ ବି ନିଜ ଶକ୍ତି ବୃଦ୍ଧିରେ କୌଣସି ସାଲିସ କରିନାହିଁ। ଡୋକଲାମ ଅଂଚଳରେ ଏବେ ଚୀନ୍‌ର ପ୍ରାୟ ୧୮୦୦ ସୈନିକ ରହିଛନ୍ତି।

ସମ୍ବନ୍ଧିତ ଖବର