ଜୋହାନ୍ସବର୍ଗ୍: ଦକ୍ଷିଣ ଆଫ୍ରିକାରେ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିଛି। ଓମିକ୍ରନ୍ ପାଇଁ ଦକ୍ଷିଣ ଆଫ୍ରିକାରେ ଅଚାନକ ସଂକ୍ରମଣ ବୃଦ୍ଧି ହୋଇଛି ଏବଂ ଚତୁର୍ଥ ଲହର ଆସିଛି। ସଂକ୍ରମଣ ବୃଦ୍ଧି ସତ୍ତ୍ବେ ଦକ୍ଷିଣ ଆଫ୍ରିକାରେ ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ବଢ଼ିନାହିଁ। କିନ୍ତୁ ଦକ୍ଷିଣ ଆଫ୍ରିକାରେ ଯେଉଁଭଳି ଭାବେ ସଂକ୍ରମଣ ବଢ଼ୁଛି ତାହା ଆଗକୁ ବିପଜ୍ଜନକ ସ୍ଥିତି ସୃଷ୍ଟି କରିପାରେ। ତେଣୁ କୌଣସି ଜଟିଳ ସ୍ଥିତିର ମୁକାବିଲା ପାଇଁ ଦକ୍ଷିଣ ଆଫ୍ରିକା ହସ୍ପିଟାଲ୍ ପ୍ରସ୍ତୁତ ରଖୁଛି ବୋଲି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା କହିଛନ୍ତି।
ଦକ୍ଷିଣ ଆଫ୍ରିକାରେ ଗତ ସୋମବାର ଦିନ ଦୈନିକ ସଂକ୍ରମଣ ମାମଲା ୨୩୦୦ ଥିବାବେଳେ ଶୁକ୍ରବାର ଦିନ ଦୈନିକ ସଂକ୍ରମଣ ୧୬ ହଜାର ଉପରେ ରହିଥିଲା। ଦୈନିକ ସଂକ୍ରମଣ ମାମଲାରେ ଅଚାନକ ବୃଦ୍ଧି ହୋଇଛି। ଦକ୍ଷିଣ ଆଫ୍ରିକାର ୯ ପ୍ରଦେଶରେ ନୂଆ ମାମଲା ବଢ଼ିବାରେ ଲାଗିଛି। ରାମାଫୋସା ନାଗରିକମାନଙ୍କୁ ଟିକା ନେବାପାଇଁ ଅନୁରୋଧ କରିଛନ୍ତି।
ରାଷ୍ଟ୍ରପତି ରାମାଫୋସା କହିଛନ୍ତି, ଓମିକ୍ରନ୍ ପାଇଁ ଦେଶରେ ସଂକ୍ରମଣ ବଢ଼ୁଛି। କିନ୍ତୁ ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ବଢ଼ୁନାହିଁ। ଓମିକ୍ରନ୍ ଭୟ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଦକ୍ଷିଣ ଆଫ୍ରିକାରେ ୧୨ ବର୍ଷରୁ କମ୍ ବୟସର ଶିଶୁଙ୍କ ଟିକାକରଣ ପାଇଁ କୌଣସି ଟିକା ମଧ୍ୟ ଉପଲବ୍ଧ ନାହିଁ। ଦକ୍ଷିଣ ଆଫ୍ରିକାରେ ମୋଟ୍ ସଂକ୍ରମଣ ମାମଲା ୩,୦୩୧,୬୯୪ ଥିବାବେଳେ କରୋନା ମୃତ୍ୟୁସଂଖ୍ୟା ୮୮,୫୧୯ ରହିଛି।
ବ୍ରିଟେନ୍ରେ ଦିନକରେ ୫୦% ବୃଦ୍ଧି
ନୂଆଦିଲ୍ଲୀ: ବ୍ରିଟେନ୍ରେ ଓମିକ୍ରନ୍ ପ୍ରଜାତିର ୮୬ଟି ମାମଲା ଚିହ୍ନଟ ହୋଇଛି। ଏଠାରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ ଏହାର ସଂକ୍ରମଣରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ଶନିବାର ବ୍ରିଟେନ୍ରେ ମୋଟ୍ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୧୬୦ ଥିଲା। କିନ୍ତୁ ରବିବାର ଦିନ ମୋଟ୍ ୮୬ ଜଣ ଓମିକ୍ରନ୍ ପ୍ରଜାତିରେ କ୍ରମିତ ହୋଇଛନ୍ତି।
ଉକ୍ତ ସଂଖ୍ୟା ୨୪୬ରେ ପହଞ୍ଚିଛି। ଅର୍ଥାତ ଦିନକରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ବ୍ରିଟେନରେ ୪୩,୯୯୨ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ବ୍ରିଟେନ୍ରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୦,୪୬୪,୩୮୯ ପହଞ୍ଚିଛି। ଗତକାଲି ବ୍ରିଟେନରେ ୫୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ମୋଟ୍ ମୃତ୍ୟୁସଂଖ୍ୟା ୧୪୫,୩୮୯କୁ ବୃଦ୍ଧି ପାଇଛି। ବ୍ରିଟେନ୍ରେ ୧୨ ଏବଂ ୧୨ ବର୍ଷରୁ ଊର୍ଦ୍ଧ୍ବ ୮୮ ପ୍ରତିଶତରୁ ଅଧିକ ଲୋକ ପ୍ରଥମ ଡୋଜ୍ ନେଇଥିବାବେଳେ ପ୍ରାୟ ୮୧ ପ୍ରତିଶତ ଲୋକ ୨ଟି ଯାକ ଡୋଜ୍ ନେଇଛନ୍ତି। ୩୫ ପ୍ରତିଶତରୁ ଅଧିକ ଲୋକ ବୁଷ୍ଟର ଡୋଜ୍ ନେଇ ସାରିଛନ୍ତି।