ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ନିମ୍ନଗାମୀ ବୋଲି ଅଭିଯୋଗ କରି ବିଜେପିର ବରିଷ୍ଠ ନେତା ଯଶୋବନ୍ତ ସିହ୍ନା କେନ୍ଦ୍ର ସରକାର ବିଶେଷ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କୁ ସମାଲୋଚନା କରିବା ପରେ ଅରୁଣ ଜେଟ୍ଲିି ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି। ଜେଟ୍ଲି କଡ଼ାଭାଷାରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ସିହ୍ନାଙ୍କୁ ସମାଲୋଚନା କରିବା ସହିତ ସିହ୍ନା ୮୦ ବର୍ଷ ବୟସରେ ଚାକିରି ଖୋଜୁଛନ୍ତି ବୋଲି ତାଛଲ୍ୟ କରିଛନ୍ତି।
ଜେଟଲି ଭାରତୀୟ ଆର୍ଥନୀତିକୁ ଗଡ଼ବଡ଼ କରିଦେଇଥିବା ନେଇ ଶ୍ରୀ ସିହ୍ନା ଅଭିଯୋଗ କରିବାର ଗୋଟିଏ ଦିନ ପରେ ସିହ୍ନାଙ୍କୁ ପ୍ରତିଆକ୍ରମଣ କରିଛନ୍ତି ଅରୁଣ ଜେଟଲି। ସେ କହିଛନ୍ତି ୧୯୯୧ ମସିହାରେ ଶ୍ରୀ ସିହ୍ନା ଅର୍ଥମନ୍ତ୍ରୀ ଥିବା ବେଳେ ଭାରତର ଫରେନ ଏକ୍ସଚେଞ୍ଚ ରିଜର୍ଭ ମାତ୍ର ୪ ବିଲିୟନ ଡଲାର ଥିଲା।ସେହିପରି ବ୍ୟାଙ୍କର ନନ୍ ପରଫର୍ମିଂ ଆସେଟ୍ ୧୪ରୁ ୧୫ ପ୍ରତିଶତ ଥିଲା। ୟୁପିଏ ପରି ନୀତି କାର୍ଯ୍ୟକାରୀ କରିବାରେ ସ୍ଥାଣୁତା ନ ଆଣି ,ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ନୀତିଗତ ନିଷ୍ପତ୍ତି ନେଉଛି ବୋଲି କହିବା ସହିତ ଜେଟଲୀ କଂଗ୍ରେସ ସରକାରରେ ଅର୍ଥମନ୍ତ୍ରୀ ଥିବା ପି ଚିଦାମ୍ବପରମଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ଜେଟଲି କହିଛନ୍ତି ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ବେଳେ ମୁଦ୍ରାସ୍ଫିତି ହାର ୯-୧୦ ପ୍ରତିଶତ ରହିଥିଲା। ଏପରିକି ୨୦୧୨ରୁ ୧୪ ପର୍ଯ୍ୟନ୍ତ ୟୁପିଏର ଅର୍ଥନୈତିକ ନୀତି ସ୍ଥାଣୁ ଥିଲା ବୋଲି ଜେଟଲି ଅଭିଯୋଗ କରିଛନ୍ତି।
ତେବେ ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନାଙ୍କ ପ୍ରତି କଡ଼ା ଆଭିମୁଖ୍ୟ ଗ୍ରହଣ କରି ଜେଟଲି ବିବେକ ଦେବରୟ ଓ ଅଶୋକ ମଲ୍ଲକଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ ‘ଇଣ୍ଡିଆ@ ୭୦, ମୋଦି@ ୩.୫’ ପୁସ୍ତକ ଲୋକାର୍ପଣ ଉତ୍ସବରେ କହିଛନ୍ତି ଯେ ଯଦି ପୁସ୍ତକର ଶୀର୍ଷକ ‘ଇଣ୍ଡିଆ@ ୭୦, ମୋଦି@ ୩.୫, ଏ ଜବ୍ ଆପ୍ଲିକାଣ୍ଟ@ ୮୦‘’ ହୋଇଥାନ୍ତା ତେବେ ଏହା ଅଧିକ ପ୍ରଯୁଯ୍ୟ ହୋଇଥାନ୍ତା। ଏ କଥା ମଧ୍ୟ ସ୍ୱୀକାର କରିବି ଯେ ମୁଁ ଏ ପର୍ଯ୍ୟନ୍ତ ପୂର୍ବତନ ଅର୍ଥମନ୍ତ୍ରୀ ହୋଇ ନାହିଁ କିମ୍ବା ଜଣେ ପୁର୍ବତନ ମନ୍ତ୍ରୀରୁ ସ୍ତମ୍ଭକାର ମଧ୍ୟ ହୋଇ ନାହିଁ। ଜେଟଲି କହିଛନ୍ତି ଯେ ବିଜେପିର ବରିଷ୍ଠ ନେତା ଏଲକେ ଆଡ୍ଭାନୀ ତାଙ୍କୁ କହିଛନ୍ତି ଯେ ବ୍ୟକ୍ତି ନୁହେଁ, ପ୍ରସଙ୍ଗକୁ ନେଇ ସମାଲୋଚନା କରିବାକୁ। ଯାହାକି ସେ ବର୍ଷ ବର୍ଷ ଧରି ପାଳନ କରି ଆସୁଛନ୍ତି। କାରଣ ବ୍ୟକ୍ତି ପଛରେ ପଡ଼ିଗଲେ ପ୍ରସଙ୍ଗ ହଜିଯାଇଥାଏ।
ଜେଟଲି କହିଛନ୍ତି ଯେ ମୋଦି ସରକାର କ୍ଷମତାକୁ ଆସିବା ପରେ ରାଜନୈତିକ ଦଳକୁ ମିଳୁଥିବା ପାଣ୍ଠି ଉପରେ ଅଙ୍କୁଶ ଲଗାଇବା ପାଇଁ ଉଦ୍ୟମ କରିଛି। ସେହିପରି ସିହ୍ନା ଓ ଚିଦାମ୍ବରମଙ୍କ ସମାଲୋଚନାର ଉତ୍ତର ଦେଇ ଜେଟଲି କହିଛନ୍ତି ଯେ ବିକାଶ ଦର ବିଭିନ୍ନ ଘଟଣା ଦ୍ୱାରା ପ୍ରଭାବିତ ହୋଇଥାଏ। ମୋଦି ସରକାରଙ୍କ ପ୍ରଥମ ତିନି ବର୍ଷ ମଧ୍ୟରେ ଆମେ ବିଶ୍ୱର ଦୃତଗତିରେ ବଢ଼ୁଥିବା ଏକ ଅର୍ଥବ୍ୟବସ୍ଥା ହୋଇ ପାରିଛୁ ବୋଲି ଜେଟ୍ଲି କହିଛନ୍ତି।
ସେହିପରି ଦେଶରୁ ସମାନ୍ତରାଳ ଅର୍ଥନୀତି ଦୂରକରିବା ପାଇଁ ମୋଦି ସରକାର ବିଭିନ୍ନ ପଦକ୍ଷେପ ନେଉଥିବା କହି ଶ୍ରୀ ଜେଟଲି କହିଥିଲେ ଯେ ବିମୁଦ୍ରାକରଣ ଏ ଦିଗରେ ମଧ୍ୟ ଏକ ବଡ଼ ପଦକ୍ଷେପ। ଏହାଦ୍ୱାରା ୧୫.୭ ପ୍ରତିଶତ ସିଧାସଳଖ କର ବୃଦ୍ଧିି ଘଟିଛି ବୋଲି ଜେଟଲି କହିଥିଲେ । ତେବେ ବିମୁଦ୍ରକରଣ ଦ୍ୱାରା ସ୍ୱଳ୍ପ ସମୟ ପାଇଁ ସମସ୍ୟା ଦେଖାଦେଇପାରେ, ମାତ୍ର ଏହାର ଲାଭ ସୁଦୂର ପ୍ରସାରୀ ବୋଲି ଜେଟଲି ପୁଣି ଥରେ ନିଜ ମତ ଦୋହରାଇଛନ୍ତି।
ସିହ୍ନାଙ୍କୁ ଜେଟଲିଙ୍କ ତାଛଲ୍ୟ: ୮୦ ବର୍ଷରେ ଚାକିରି ଖୋଜୁଛନ୍ତି ସିହ୍ନା
/sambad/media/post_attachments/wp-content/uploads/2017/09/arun-jaitley.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)