ସିଦ୍ଦରମେୟା ସରକାରଙ୍କୁ ସମାଲୋଚନା, ଶିକ୍ଷକ ନିଲମ୍ବିତ

ନୂଆଦିଲ୍ଲୀ: କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାରେ ଆଜି ଜଣେ ସରକାରୀ ସ୍କୁଲର ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ତାଙ୍କର ଭୁଲ୍‌ କେବଳ ଏତିକି ଯେ ସେ ରାଜ୍ୟରେ ନୂଆ କରି ଗଠନ ହୋଇଥିବା ସିଦ୍ଦରମେୟା ସରକାରଙ୍କ ମାଗଣା ପ୍ରତିଶ୍ରୁତିକୁ ସମାଲୋଚନା କରିଛନ୍ତି। ନିଲମ୍ବିତ ହୋଇଥିବା ଶିକ୍ଷକଙ୍କ ନାମ ସନ୍ଥମୂର୍ତ୍ତି ଏମ୍‌ଜି। ଏକ ଫେସବୁକ୍‌ ପୋଷ୍ଟରେ ସନ୍ଥମୂ୍ର୍ତ୍ତି ପୂର୍ବ ସରକାରର ଋଣଭାର ସଂକ୍ରାନ୍ତରେ ଲେଖିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଏମ କ୍ରିଷ୍ଣାଙ୍କ କାର୍ଯ୍ୟକାଳରେ ଋଣ ୩,୫୯୦ କୋଟି ଥିଲା। ଧରମ ସିଂହଙ୍କ ସମୟରେ ଋଣ ୧୫,୬୩୫ ଥିଲା। ଏଚ୍‌ଡି କୁମାରସ୍ବାମୀଙ୍କ ସମୟରେ ଋଣ ୩,୫୪୫ କୋଟି, ବିଏସ୍‌ ୟେଦୁରପ୍ପାଙ୍କ ସମୟ‌ରେ ୨୫,୬୫୩, ଡିଭି ସଦାନନ୍ଦ ଗୌଡ଼ାଙ୍କ ସମୟରେ ୯,୪୬୪ କୋଟି , ଜଗଦୀଶ ସେଟ୍ଟାରଙ୍କ ସମୟରେ ୧୩,୪୬୪ କୋଟି ଏବଂ ସିଦ୍ଦରମେୟାଙ୍କ ସମୟରେ ଋଣ ୨,୪୨,୦୦୦ କୋଟି ଥିଲା। ସନ୍ଥମୂର୍ତ୍ତି କହିଛନ୍ତି, ଏସଏମ୍‌ କ୍ରିଷ୍ଣାଙ୍କଠାରୁ‌ ସେଟ୍ଟାରଙ୍କ କାର୍ଯ୍ୟକାଳ ମଧ୍ୟରେ ଋଣ ୭୧,୩୩୧ କୋଟି ଥିଲା କିନ୍ତୁ ସିଦ୍ଦରମେୟାଙ୍କ ସମୟ‌ରେ ଏହା ୨,୪୨,୦୦୦ କୋଟିକୁ ବୃଦ୍ଧି ପାଇଲା। ତେଣୁ ତାଙ୍କ ପାଇଁ ମାଗଣା ପ୍ରତିଶ୍ରୁତି ଘୋଷଣା କରିବା ଅତି ସହଜ। ଶିକ୍ଷକଙ୍କ ଏହି ପୋଷ୍ଟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ।

ସମ୍ବନ୍ଧିତ ଖବର