ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ନେଇ ୟୁରୋପୀୟ ସଂଘର ଆଭିମୁଖ୍ୟକୁ ବିଶେଷଜ୍ଞ ଓ ସୋସିଆଲ ମିଡିଆରେ ନିନ୍ଦା କରାଯାଇଛି। ୟୁରୋପୀୟ ସଂଘର ଶୀର୍ଷ କୂଟନୀତିଜ୍ଞ କାଜା କଲ୍ଲାସ୍ ଉଭୟ ଦେଶକୁ ସଂଯମ ଅବଲମ୍ବନ କରିବାକୁ ଅନୁରୋଧ କରିବା ପରେ ଅନେକ ବିଶେଷଜ୍ଞ ତାଙ୍କର ଦୋମୁହାଁ ନୀତିକୁ ସମାଲୋଚନା କରିବା ସହ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ୨୦୨୨ରେ ‘ୟୁରୋପର ସମସ୍ୟା’ ଉପରେ ଦେଇଥିବା ମନ୍ତବ୍ୟକୁ ମନେ ପକାଇଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର କଲ୍ଲାସ୍ ଜୟଶଙ୍କର ଓ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇସହାକ୍ ଡାରଙ୍କ ସହ ଅଲଗା ଅଲଗା ଆଲୋଚନା କରିଥିଲେ। ଏହାପରେ ଏକ୍ସରେ ଏକ ପୋଷ୍ଟରେ କଲ୍ଲାସ କହିଛନ୍ତି ଯେ, ସୀମାପାର ଆତଙ୍କବାଦକୁ ନେଇ ଉତ୍ତେଜନା ବଢ଼ିଲେ କାହାର ବି ଭଲ ହେବ ନାହିଁ। ପରିସ୍ଥିତିକୁ ସୁଧାରିବା ପାଇଁ ମୁଁ ଉଭୟ ପକ୍ଷଙ୍କୁ ସଂଯମ ପ୍ରଦର୍ଶନ କରିବା ସହ ଆଲୋଚନା କରିବାକୁ ଅନୁରୋଧ କରୁଛି। ଉତ୍ତେଜନା କାହାକୁ ସାହାଯ୍ୟ କରେ ନାହିଁ ବୋଲି କଲ୍ଲାସ କହିଛନ୍ତି।
ତେବେ ବୈଦେଶିକ ନୀତି ବିଶେଷଜ୍ଞ ଓ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଏକ ଗୋଷ୍ଠୀ କଲ୍ଲାସଙ୍କ ଦୋମୁହାଁ ନୀତିକୁ ସମାଲୋଚନା କରିଥିଲେ, ଯିଏ ୟୁକ୍ରେନ ଉପରେ ରୁଷ୍ ଆକ୍ରମଣ ବେଳେ କହିଥିଲେ ‘ପ୍ରତିରକ୍ଷା ଉତ୍ତେଜନା ସୃଷ୍ଟିକାରୀ ନୁହେଁ’ ଏବଂ ଆକ୍ରମଣକାରୀଙ୍କୁ ରୋକିବା ଗୁରୁତ୍ୱପୂର୍ଣ୍ଣ। ବୈଦେଶିକ ନୀତିର ଜଣେ ଅଧ୍ୟାପକ ଟ୍ୱିଟ୍ କରି କହିଛନ୍ତି, ଅଧିକାଂଶ ଭାରତୀୟ ଆଶା କରି ନ ଥିଲେ ଯେ ୟୁରୋପ ପାକିସ୍ତାନର ଐତିହାସିକ ରେକର୍ଡକୁ ଦୃଷ୍ଟିରେ ରଖି ପାକିସ୍ତାନ ବିଷୟରେ ବିଶେଷ କିଛି କରିବ। ଅନ୍ୟ ଜଣେ ବୈଦେଶିକ ନୀତି ବିଶେଷଜ୍ଞ କଲ୍ଲାସଙ୍କ ବୟାନକୁ ଉଦ୍ଦେଶ୍ୟହୀନ ଓ ପ୍ରଭାବହୀନ ବୋଲି କହିଛନ୍ତି।
ଓଆର୍ଏଫ୍ର ଜଣେ ବରିଷ୍ଠ ଫେଲୋ କହିଛନ୍ତି ଯେ ଏହି ବିବୃତି ଏହି ଅଞ୍ଚଳର ସ୍ଥିତି ବିଷୟରେ ଇୟୁର ଅଜ୍ଞତାକୁ ଦର୍ଶାଉଛି କାରଣ ପାକିସ୍ତାନରୁ ସୀମାପାର ଆତଙ୍କବାଦକୁ ରୋକିବା ପାଇଁ ‘ଆଲୋଚନା ଓ କୂଟନୀତି’ ଦ୍ବାରା ବିଶେଷ କିଛି ଲାଭ ହୋଇନାହିଁ। ୟୁକ୍ରେନ ଉପରେ ରୁଷ୍ର ଆକ୍ରମଣକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ୟୁରୋପ ଭାରତକୁ ବୁଝାଇବାକୁ ଚେଷ୍ଟା କରୁଥିବା ବେଳେ ଜୟଶଙ୍କରଙ୍କ ୨୦୨୨ର ମନ୍ତବ୍ୟକୁ ମଧ୍ୟ କେହି କେହି ଉଲ୍ଲେଖ କରିଛନ୍ତି। ବ୍ରାଟିସ୍ଲାଭାରେ ଆୟୋଜିତ ଏକ ସମ୍ମିଳନୀରେ ଜୟଶଙ୍କର କହିଥିଲେ ଯେ ୟୁରୋପକୁ ଏହି ମାନସିକତାରୁ ବାହାରିବାକୁ ପଡ଼ିବ ଯେ, ଏହାର ସମସ୍ୟା ହେଉଛି ବିଶ୍ୱର ସମସ୍ୟା, କିନ୍ତୁ ବିଶ୍ୱର ସମସ୍ୟା ୟୁରୋପର ସମସ୍ୟା ନୁହେଁ।