ସରକାରଙ୍କୁ ସମାଲୋଚନା ଦେଶଦ୍ରୋହ ନୁହେଁ, ଟିକାକରଣ ତ୍ରୁଟିକୁ ଘେରିଲେ ସୁପ୍ରିମ୍ କୋର୍ଟ
ଦୁଇ ସପ୍ତାହରେ ଜବାବ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ଦେଶର ସର୍ବୋଚ୍ଚ ଅଦାଲତ ଆଜି ଏଭଳି ଟିପ୍ପଣୀ ଦେବା ସହିତ ଗଣମାଧ୍ୟମର ସ୍ବାଧୀନତା ପରିପ୍ରେକ୍ଷୀରେ ଦେଶଦ୍ରୋହର ସଂଜ୍ଞା ନିରୂପଣ କରିବାର ସମୟ ଆସିଯାଇଛି ବୋଲି କହିଛନ୍ତି। ଆନ୍ଧ୍ର ପ୍ରଦେଶ ପୁଲିସ ପକ୍ଷରୁ ରାଜ୍ୟର ଦୁଇ ତେଲୁଗୁ ଚାନେଲ ଟିଭି ୫ ଏବଂ ଏବିଏନ ଆନ୍ଧ୍ରଜ୍ୟୋତି ବିରୋଧରେ ଆଗତ ଦେଶଦ୍ରୋହ ମାମଲାର ଶୁଣାଣି ବେଳେ ୩ ଜଣିଆ ଖଣ୍ଡପୀଠ ଏହା କହିଛନ୍ତି। ୱାଇଏସ୍ଆର୍ କଂଗ୍ରେସ ଏମ୍ପି କାନୁମୁରି ରଘୁ ରାମ କ୍ରିଷ୍ଣା ରାଜୁଙ୍କ ଅପମାନଜନକ ମନ୍ତବ୍ୟ ପ୍ରସାରଣ କରିଥିବାରୁ ଆନ୍ଧ୍ର ପୁଲିସ ତାଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏମ୍ପିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିୱାନ ଓ ସିଦ୍ଧାର୍ଥ ଲୁଥ୍ରା ମାମଲା ପରିଚାଳନା କରିବା ବେଳେ କହିଥିଲେ ବୈଦ୍ୟୁତିକ ଗଣମାଧ୍ୟମର ମୁହଁ ବନ୍ଦ କରିବା ପାଇଁ ଏଭଳି ମାମଲା ଜରାଯାଇଛି ଏବଂ ଏହା ଗଣମାଧ୍ୟମ ସ୍ବାଧୀନତାର ଉଲ୍ଲଂଘନ କରୁଛି। ଏହି ମାମଲାକୁ ରଦ୍ଦ କରିବା ପାଇଁ ଚାନେଲ ଦ୍ବୟ ଆବେଦନ କରିଛନ୍ତି। ଜଣେ ଏମପିଙ୍କ ମନ୍ତବ୍ୟକୁ ପ୍ରସାରଣ କରିବା କୌଣସି ପ୍ରକାରେ ଦେଶଦ୍ରୋହ ନୁହେଁ। ତେବେ ସର୍ବୋଚ୍ଚ ଅଦାଲତ କହିଥିଲେ ଗଣମାଧ୍ୟମ ଏବଂ ଗଣମାଧ୍ୟମର ସ୍ବାଧୀନତା କ୍ଷେତ୍ରରେ ଆଇପିସିର ଧାରା ୧୨୪ଏ ଏବଂ ୧୫୩ରର ବିସ୍ତୃତ ବ୍ୟାଖ୍ୟା ହେବା ଆବଶ୍ୟକ ବୋଲି ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଥିଲେ। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ସରକାର ଉପରୋକ୍ତ ଦୁଇଟି ଚାନେଲ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ ଉଭୟ ଆନ୍ଧ୍ର ପ୍ରଦେଶ ସରକାର ଏବଂ କେନ୍ଦ୍ରକୁ ଏ ନେଇ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: ଦେଶରେ ସମ୍ପ୍ରତି ବିଶ୍ବର ବୃହତ୍ତମ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରଖିଥିବା କେନ୍ଦ୍ର ସରକାରଙ୍କୁ ସୋମବାର ସୁପ୍ରିମକୋର୍ଟଙ୍କ ଭୀଷଣ ପ୍ରଶ୍ନବାଣର ସମ୍ମୁଖୀନ ହେବାକୁ ପଡ଼ିଛି। ଏପରିକି ଏହି ଯୋଜନାରେ ସରକାର ଲାଗୁ କରାଇଥିବା ଭିନ୍ନ ଦର, ଟିକା ଅଭାବ ଓ ଗ୍ରାମାଞ୍ଚଳରେ ଅପହଞ୍ଚ ଆଦି ଅନେକ ତ୍ରୁଟି ରହିଛି ବୋଲି ସର୍ବୋଚ୍ଚ ଅଦାଲତ ସରକାରଙ୍କୁ ଘେରିଛନ୍ତି। ବିଭିନ୍ନ ବର୍ଗର ହିତାଧିକାରୀଙ୍କ ଟିକାକରଣ ପାଇଁ ଟିକାଯୋଗାଣରେ ବାଛବିଚାର ରହିଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଦେଶବାସୀଙ୍କର ଟିକାକରଣ ସରିବ ବୋଲି ସରକାର ଜଣାଇଥିଲେ ହେଁ ଏଭଳି ତ୍ରୁଟିପୂର୍ଣ୍ଣ ନୀତିର ଉତ୍ତର ରଖିବାକୁ ଅଦାଲତ ଦୁଇ ସପ୍ତାହର ମହଲତ ଦେଇଛନ୍ତି। ମାନ୍ୟବର ଅଦାଲତଙ୍କ ଅନୁଧ୍ୟାନ ହେଲା, ୪୫ ବର୍ଷରୁ ଅଧିକ ବୟସର ନାଗରିକଙ୍କ ପାଇଁ ସରକାର ଟିକା ସଂଗ୍ରହ କରି ଚାଲିଛନ୍ତି। ଅଥଚ ୧୮ରୁ ୪୪ ବର୍ଷ ବୟସର ହିତାଧିକାରୀଙ୍କ ନିମନ୍ତେ ଭିନ୍ନ ନୀତି ଆପଣେଇଛନ୍ତି। ସେଥିରୁ ୫୦ ପ୍ରତିଶତ ଟିକା ରାଜ୍ୟମାନେ ସିଧାସଳଖ ଟିକାନିର୍ମାତାଙ୍କ ଠାରୁ ପାଇବାକୁ ଥିଲା ବେଳେ ବାକି ତକ ଘରୋଇ ଡାକ୍ତରଖାନାରେ ମିଳିବ। ସେଥିପାଇଁ ସରକାର ଭିନ୍ନ ଭିନ୍ନ ଦର ମଧ୍ୟ ଧାର୍ଯ୍ୟ କରିଛନ୍ତି। ମାତ୍ର ଏହା କେଉଁ ଭିତ୍ତିରେ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି।
ଏହି ଦ୍ବିତୀୟ ଲହର ସଂକ୍ରମଣର ଅଧିକ ଶିକାର ହେବା ଆଶଙ୍କାରେ ସରକାର ୪୫ ବର୍ଷରୁ ଅଧିକ ବୟସ୍କମାନଙ୍କୁ ପ୍ରାଧାନ୍ୟ ଦେଇଛନ୍ତି ବୋଲି ଦର୍ଶାଇଥିବା ବେଳେ ବାସ୍ତବରେ ଏହି ଲହରରେ ୧୮ରୁ ୪୪ ବର୍ଷୀୟମାନେ ହିଁ ବେଶୀ ପ୍ରଭାବିତ ହୋଇଛନ୍ତି। ସେହିପରି ଯଦି ଟିକା ସଂଗ୍ରହ କରିବାଟା ସରକାରଙ୍କ ଉଦ୍ଦେଶ୍ୟ ତେବେ କେବଳ ୪୫ ବର୍ଷରୁ ଊର୍ଦ୍ଧ୍ବମାନଙ୍କ ପାଇଁ କାହିଁକି ବୋଲି ଜଷ୍ଟିସ୍ ଡି ଵାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ତିନି ଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସେହିପରି କେନ୍ଦ୍ର ସରକାର ଯେଉଁ ଦରରେ ଟିକା ପାଉଛନ୍ତି ତା’ଠାରୁ ରାଜ୍ୟ ସରକାରମାନେ କାହିଁକି ଅଧିକ ଦେବେ? କେନ୍ଦ୍ର ସରକାର ଏଥିପାଇଁ ନିଜେ ଦାୟିତ୍ବକୁ ମୁଣ୍ଡାଇ ଗୋଟିଏ ଦେଶ ପାଇଁ ଗୋଟିଏ ଦର ଧାର୍ଯ୍ୟ କରିବା ବାଞ୍ଛନୀୟ। ଅପରପକ୍ଷେ, କେନ୍ଦ୍ର ସରକାରଙ୍କ ଏଭଳି ନୀତି ଯୋଗୁଁ ଅନେକ ରାଜ୍ୟ ଟିକା ଅଭାବ ପୂରଣ ପାଇଁ ବାହାରୁ ଆମଦାନି ପାଇଁ ଟେଣ୍ଡର ଆହ୍ବାନ କରିଥିଲେ ହେଁ ତାହା ବାସ୍ତବରେ ସହଜ ନୁହେଁ ବୋଲି ଅଦାଲତ ଟିପ୍ପଣୀ କରିଛନ୍ତି। ଏପରିକି ଦିଲ୍ଲୀ ଓ ପଞ୍ଜାବ ସରକାର ଫାଇଜର ଓ ମଡର୍ଣ୍ଣା କମ୍ପାନିର ଟିକା ପାଇଁ ଯୋଗାଯୋଗ କରିଥିଲେ ହେଁ କମ୍ପାନି ସେମାନଙ୍କୁ ମନା କରିଦେଇଛି। ସେହିପରି ସରକାର ଟିକାକରଣ ପାଇଁ କୋ-ଵିନ୍ ଆପ୍ରେ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିଥିବା ବେଳେ ତାହା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ଏକ ବୈଷୟିକ(ଡିଜିଟାଲ) ବିଭେଦ ଆଣୁଛି ଏବଂ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ତାହା ସୁବିଧାଜନକ ନୁହେଁ ବୋଲି ଖଣ୍ଡପୀଠ ଟିପ୍ପଣୀ କରିଛନ୍ତି।