ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟକୁ ସମାଲୋଚନା: ନୂପୁର ଶର୍ମାଙ୍କ ବିରୋଧରେ ଟିପ୍ପଣୀ ଲକ୍ଷ୍ମଣରେଖାର ଉଲ୍ଲଂଘନ

୧୫ ପୂର୍ବତନ ଜଜ୍, ୭୭ ପ୍ରଶାସନିକ ଅଧିକାରୀ ଓ ୨୫ ସେନା ଅଧିକାରୀଙ୍କ ସିଜେଆଇଙ୍କ ପାଖକୁ ଚିଠି

ନୂଆଦିଲ୍ଲୀ: ଉଦୟପୁର ହତ୍ୟାକାଣ୍ଡ ପାଇଁ ପ୍ରଫେଟ୍ ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କୁ ଦାୟୀ କରି ସୁପ୍ରିମ୍‌କୋର୍ଟ ନ୍ୟାୟପାଳିକାର ଲକ୍ଷ୍ମଣରେଖା ଅତିକ୍ରମ କରିଛନ୍ତି ବୋଲି ୧୧୭ ଜଣ ବୁଦ୍ଧିଜୀବୀ ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତିଙ୍କ ପାଖକୁ ଲେଖିଥିବା ଚିଠିରେ ମତ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ୧୫ ପୂର୍ବତନ ଜଜ୍, ୭୭ ପ୍ରଶାସନିକ ଅଧିକାରୀ ଓ ୨୫ ଜଣ ସେନା ଅଧିକାରୀ। ନୂପୁର ଶର୍ମାଙ୍କ ସମ୍ପର୍କରେ ସୁପ୍ରିମ୍‌କୋର୍ଟ ଶୁକ୍ରବାର କହିଥିଲେ- ତାଙ୍କର ଏପରି ମନ୍ତବ୍ୟ ଦେବା କ’ଣ ଦରକାର ଥିଲା? ଯେପରି ଭାବେ ସେ ଦେଶବାସୀଙ୍କ ଭାବାବେଗରେ ନିଆଁ ଲଗେଇଲେ… ଏକମାତ୍ର ସେ ହିଁ ଦେଶରେ ଆଜି ଯାହାସବୁ ଘଟୁଛି ସେଥିପାଇଁ ଦାୟୀ। ସେ ସବୁ ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି ଏବଂ ନିଜକୁ ୧୦ ବର୍ଷର ଓକିଲାତିର ଅଭିଜ୍ଞତା ଅଛି ବୋଲି କହୁଛନ୍ତି। ସେ ସମଗ୍ର ଦେଶବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରିବା ଉଚିତ।
ଉକ୍ତ ୧୧୭ ଜଣ ବୁଦ୍ଧିଜୀବୀ ଏହି ଚିଠିରେ ଲେଖିଛନ୍ତି, ସୁପ୍ରିମ୍‌କୋର୍ଟର ଦୁଇଜଣ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ୍ ଜେବି ପାର୍ଦିୱାଲାଙ୍କ ବେଞ୍ଚ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ ଏବଂ ନ୍ୟାୟପାଳିକା ଇତିହାସରେ ବିରଳ।

ନୂପୁର ଶର୍ମାଙ୍କ ବିରୋଧରେ ଟିପ୍ପଣୀ ଲକ୍ଷ୍ମଣରେଖାର ଉଲ୍ଲଂଘନ
୧୫ ପୂର୍ବତନ ଜଜ୍, ୭୭ ପ୍ରଶାସନିକ ଅଧିକାରୀ ଓ ୨୫ ସେନା ଅଧିକାରୀଙ୍କ ସିଜେଆଇଙ୍କ ପାଖକୁ ଚିଠି
ମନ୍ତବ୍ୟ ପ୍ରତ୍ୟାହାର ପାଇଁ ଦୃଢ଼ ଦାବି

ସେମାନେ ନୂପୁର ଶର୍ମାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଲେ ଏବଂ ଯେଉଁ ମନ୍ତବ୍ୟ ଦେଲେ ତାହା ସାରା ଦେଶରେ ତଥା ଦେଶ ବାହାରେ ଆଲୋଡ଼ନ ସୃଷ୍ଟକଲା। ସବୁ ଗଣମାଧ୍ୟମରେ ଏହାର ଚର୍ଚ୍ଚା ହେଲା, ଯେଉଁଥିରେ କୌଣସି ନ୍ୟାୟିକ ତତ୍ତ୍ବ ହିଁ ନାହିଁ। ଏହା କୌଣସି ନ୍ୟାୟିକ ଆଦେଶନାମାର ଅଂଶ ବି ନୁହେଁ। ନ୍ୟାୟିକ ଇତିହାସରେ ଏହା ବିରଳ। ଅପରପକ୍ଷେ ନୂପୁର ଶର୍ମା ଯେଉଁ ଆବେଦନ କରିଥିଲେ ତା’ ସହ ଏ ମନ୍ତବ୍ୟର କୌଣସି ସମ୍ପର୍କ ନାହିଁ। ନୂପୁର ଶର୍ମା ଦେଶରେ ଘଟୁଥିବା ସବୁ ଘଟଣା ପାଇଁ ଦାୟୀ ବୋଲି କହିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ଉଦୟପୁର ହତ୍ୟାକାଣ୍ଡ ପାଇଁ ଯଦି ଏକମାତ୍ର ନୂପୁର ଶର୍ମା ଦାୟୀ ତା’ହେଲେ ଗିରଫ ହୋଇଥିବା ଦୁଇ ହତ୍ୟାକାରୀ ନିର୍ଦ୍ଦୋଷ! ସୁପ୍ରିମ୍‌‌କୋର୍ଟଙ୍କ ଏ ପ୍ରକାର ମନ୍ତବ୍ୟ ଦେଶବାସୀଙ୍କୁ ଭୁଲ ବାର୍ତ୍ତା ଦେଉଛି। ପିଟିସନରେ ଯେଉଁ ପ୍ରସଙ୍ଗ ହିଁ ନ ଥିଲା ତାହା ଉପରେ ଅବାଞ୍ଛିତ ମନ୍ତବ୍ୟ ଦେଇ ବିଚାରପତିଦ୍ବୟ ଭାରତୀୟ ସମ୍ବିଧାନର ଆତ୍ମାର ହିଁ ହନନ କରିଛନ୍ତି। ବିନା ବିଚାରରେ କୋର୍ଟ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଦେଲେ। ଯେଉଁ ପ୍ରସଙ୍ଗରେ ଆବେଦନକାରିଣୀ ନ୍ୟାୟଭିକ୍ଷା କରିଥିଲେ ସେ ପ୍ରସଙ୍ଗରେ ତାଙ୍କୁ ନ୍ୟାୟ ଦେବାକୁ ମନା କରିଦେଲେ। ସର୍ବୋଚ୍ଚ ଅଦାଲତଙ୍କ ଏ ପ୍ରକାର କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ୧୧୭ ଜଣ ବୁଦ୍ଧିଜୀବୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି।

ଚିଠିରେ କୁହାଯାଇଛି ଯେ ଭାରତୀୟ ସମ୍ବିଧାନର ଧାରା ୨୦(୨) ଅନୁସାରେ ଗୋଟିଏ ଅପରାଧ ପାଇଁ ଜଣଙ୍କ ବିରୋଧରେ ଏକାଧିକ ଥର ବିଚାର କରାଯାଇପାରିବ ନାହିଁ କିମ୍ବା ବାରମ୍ବାର ଦଣ୍ଡ ଦିଆଯାଇ ପାରିବ ନାହିଁ। ଏହି ଧାରା ୨୦ ସମ୍ବିଧାନର ଭାଗ ୩ ଅଧୀନରେ ଆସୁଛି ଏବଂ ଏହା ନାଗରିକର ମୌଳିକ ଅଧିକାର। ଜଣଙ୍କ ବିରୋଧରେ ଏକାଧିକ ଏଫ୍‌ଆଇଆର୍ ରୁଜୁ କରାଯାଇପାରିବ ନାହିଁ ଏବଂ ଏକାଧିକ ଏଫ୍‌ଆଇଆର୍‌ ପାଇଁ ଏକାଧିକ ଥର ତଦନ୍ତ କରାଯାଇପାରିବ ନାହିଁ। ତେଣୁ ଆବେଦନକାରିଣୀ ତାଙ୍କ ନାମରେ ବିଭିନ୍ନ ଜାଗାରେ ଦରଜ କରାଯାଇଥିବା ଏଫ୍‌ଆଇଆର୍‌ଗୁଡ଼ିକୁ ଗୋଟିଏ ଜାଗାକୁ ଆଣିବା ପାଇଁ ଆବେଦନ କରି କ’ଣ ଭୁଲ କଲେ ଯେ ସୁପ୍ରିମ୍‌କୋର୍ଟର ବିଚାରପତିଦ୍ବୟ ତାହାକୁ ଅଗ୍ରାହ୍ୟ କରିଦେଲେ? ସୁପ୍ରିମ୍‌କୋର୍ଟଙ୍କ ଏପରି କାର୍ଯ୍ୟ ଓ ଅସଂଲଗ୍ନ ମନ୍ତବ୍ୟ ପାଇଁ ଆମେ ଅତ୍ୟନ୍ତ ବ୍ୟଥିତ ବୋଲି ଫୋରମ୍ ଫର୍ ହ୍ୟୁମ୍ୟାନ୍ ରାଇଟ୍‌ସ ଆଣ୍ଡ୍ ସୋସିଆଲ ଜଷ୍ଟିସ୍‌, ଜମ୍ମୁ-କାଶ୍ମୀର ଓ ଲଦାଖର ସଦସ୍ୟମାନେ ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତିଙ୍କ ପାଖକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର