ସରକାରଙ୍କୁ ସମା‌ଲୋଚନା କରିବା ଦେଶଦ୍ରୋହ ନୁହେଁ

ଦେଶଦ୍ରୋହର ସଂଜ୍ଞା ନିରୂପଣ କରିବାର ସମୟ ଆସିଛି: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ଦେଶର ସର୍ବୋଚ୍ଚ ଅଦାଲତ ସୋମବାର ଏଭଳି ଟିପ୍ପଣୀ ଦେବା ସହିତ ଗଣମାଧ୍ୟମର ସ୍ବାଧୀନତା ପରିପ୍ରେକ୍ଷୀରେ ଦେଶଦ୍ରୋହର ସଂଜ୍ଞା ନିରୂପଣ କରିବାର ସମୟ ଆସିଯାଇଛି ବୋଲି କହିଛନ୍ତି। ଆନ୍ଧ୍ର ପ୍ରଦେଶ ପୁଲିସ ପକ୍ଷରୁ ରାଜ୍ୟର ଦୁଇ ତେଲୁଗୁ ଟିଭି ଚାନେଲ ଟିଭି ୫ ଏବଂ ଏବିଏନ ଆନ୍ଧ୍ରଜ୍ୟୋତି ବିରୋଧରେ ଆଗତ ଦେଶଦ୍ରୋହ ମାମଲାର ଶୁଣାଣି ବେଳେ ୩ ଜଣିଆ ଖଣ୍ଡପୀଠ ଏହା କହିଛନ୍ତି।

ଏଥିସହିତ ଜଗନ ରେଡ୍ଡୀଙ୍କ ସରକାରଙ୍କ କୋଭିଡ ପରିଚାଳନାକୁ ନେଇ ମନ୍ତବ୍ୟ ଦେଇଥିବା ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ବିଦ୍ରୋହୀ ଏମ୍‌ପି କ୍ରିଷ୍ଣମ୍ ରାଜୁଙ୍କ ବିବୃତିକୁ ପ୍ରସାରଣ କରିଥିବା ଦୁଇ ତେଲୁଗୁ ଟିଭି ଚାନେଲ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମ କୋର୍ଟ ଆଜି ରୋକ୍ ଲଗାଇ ଦେଇଛନ୍ତି। ଏହି ଟିଭି ଚାନେଲ ଦ୍ବୟ ବିରୋଧରେ ଆନ୍ଧ୍ର ପ୍ରଦେଶ ପୁଲିସ ଦେଶଦ୍ରୋହ ମାମଲା ରୁଜୁ କରିଛି।

ସୁପ୍ରିମ କୋର୍ଟ କହିଛନ୍ତି ଯେ ଟିଭି ଚାନେଲ ଦ୍ବାରା କାର୍ଯ୍ୟକ୍ରମ ପ୍ରସାରଣ କିମ୍ବା ଛାପା ଗଣମାଧ୍ୟମ ଦ୍ବାରା ମତାମତ ପ୍ରକାଶନ ଯେତେ ସରକାରୀ ବିରୋଧୀ ହୋଇଥିଲେ ମଧ୍ୟ ତାହା ଦେଶଦ୍ରୋହ ପ୍ରକୃତିର ହୋଇ ନପାରେ। ଗଣମାଧ୍ୟମ ବିରୋଧରେ ଏଭଳି ଅଭିଯୋଗ ଲଗାଯାଉଥିବା ପରିପ୍ରେକ୍ଷୀରେ ସୁପ୍ରିମ କୋର୍ଟ ଦେଶଦ୍ରୋହର ସଂଜ୍ଞା ନିରୂପଣ ପାଇଁ ପ୍ରଚେଷ୍ଟା କରିବା ଉଚିତ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଦେଶଦ୍ରୋହ ‌ସୀମାର ସଂଜ୍ଞା ନିରୂପଣ କରିବା ସମୟ ଏବେ ଆସିଯାଇଛି ବୋଲି ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି।

ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ପାଇଁ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠର ଅନ୍ୟ ଦୁଇ ସଦସ୍ୟ ହେଲେ ବିଚାରପତି ଏଲ୍‌ ନାଗେଶ୍ବର ରାଓ ଓ ଏସ ରବୀନ୍ଦ୍ର ଭଟ୍ଟ। ସେହିଭଳି ଏହି ମାମଲାରେ ଚାନେଲ ଦ୍ବୟର କୌଣସି କର୍ମଚାରୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଦେଇଛନ୍ତି।

ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି)ର ଧାରା ୧୨୪ ଏ (ଦେଶଦ୍ରୋହ) ଏବଂ ଧାରା ୧୫୩ ( ଦୁଇ ଶ୍ରେଣୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା)ର ବ୍ୟାଖ୍ୟା କରାଯିବା ଉଚିତ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ବିଶେଷକରି ଗଣମାଧ୍ୟମର ଅଧିକାର ଏବଂ ବାକ୍ ସ୍ବାଧୀନତା ପ୍ରସଙ୍ଗରେ ଏହି ବ୍ୟାଖ୍ୟା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ଏମ୍‌ପି ରାଜୁଙ୍କ ପ୍ରେସ୍ ବିବୃତିକୁ ପ୍ରସାରଣ କରିଥିବାରୁ ଏହି ଚାନେଲ ଦ୍ବୟ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ପୂର୍ବରୁ ସର୍ବୋଚ୍ଚ ଅଦାଲତ ଏମ୍‌ପିଙ୍କୁ ଏହି ମାମଲାରେ ଜାମିନ ମଞ୍ଜୁର କରିଥିଲେ।

ଏମ୍‌ପିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ୟାମ ଦିୱାନ ଓ ସିଦ୍ଧାର୍ଥ ଲୁଥ୍ରା ମାମଲା ପରିଚାଳନା କରିବା ବେଳେ କହିଥିଲେ ବୈଦ୍ୟୁତିକ ଗଣମାଧ୍ୟମର ମୁହଁ ବନ୍ଦ କରିବା ପାଇଁ ଏଭଳି ମାମଲା ଜରାଯାଇଛି ଏବଂ ଏହା ଗଣମାଧ୍ୟମ ସ୍ବାଧୀନତାର ଉଲ୍ଲଂଘନ କରୁଛି। ଏହି ମାମଲାକୁ ରଦ୍ଦ କରିବା ପାଇଁ ଚାନେଲ ଦ୍ବୟ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର