ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମହାରାଜଗଞ୍ଜର ଜଙ୍ଗଲ ନିକଟରେ ଅବସ୍ଥିତ ମିସ୍ରାଲିଆ ଗାଁରେ ଜଣଙ୍କ ଘର ଭିତରକୁ କୁମ୍ଭୀର ପଶି ଆସିଥିବା ଖବର ସାମ୍ନାକୁ ଆସିଛି।
ପ୍ରକାଶିତ ରିପୋର୍ଟ, ମିସ୍ରାଲିଆ ଗାଁରେ ବସବାସ କରୁଥିବା ପିଣ୍ଟୁ ଓ ତାଙ୍କ ପରିବାର ସଦସ୍ୟ ରାତିରେ ଶୋଇଥିବା ବେଳେ ଘର ଭିତରେ ଖଟଖଟ ଶବ୍ଦ ହୋଇଥିଲା। ଏହି ଶବ୍ଦ ଶୁଣି ପିଣ୍ଟୁଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ନିଦରୁ ଉଠି କ’ଣ ଶବ୍ଦ ହେଉଛି ଜାଣିବା ପାଇଁ ଲାଇଟ ଦେଇ ଦେଇଥିଲେ।
ଲାଇଟ ଦେବା ପରେ ପିଣ୍ଟୁ ଓ ତାଙ୍କ ପରିବାର ସଦସ୍ୟ ଘର ଭିତରେ ଯେଉଁଭଳି ଦୃଶ୍ୟ ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମସ୍ତେ ଭୟରେ ଘରୁ ଦୌଡି ପଳାଇଥିଲେ।
କାରଣ ରାତି ଅଧରେ ତାଙ୍କ ଘର ଭିତରକୁ ଏକ କୁମ୍ଭୀର ପଶି ଆସିଥିଲା। ଘରଲୋକ ବାହାରକୁ ଆସିବା ପରେ ନିକଲାଉଲ ଫରେଷ୍ଟ ଡିଭିଜନର ଅଧିକାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନ ଅଧିକାରୀ ଏବଂ କର୍ମଚାରୀଙ୍କ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଜାଲରେ ଧରି ଡାର୍ଡିନିଆ ତାଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ। ସୌଭାଗ୍ୟବଶତଃ କୁମ୍ଭୀର ଟି କାହାରିକୁ କିଛି କ୍ଷତି ପହଞ୍ଚାଇ ନାହିଁ।