ବଡ଼ଦିନ ସନ୍ଧ୍ୟାରେ ମେଲ୍‌ବର୍ଣ୍ଣ ସହର ରାସ୍ତାରେ ବୁଲୁଥିବା କୁମ୍ଭୀରଟି କାହାର?

ମେଲ୍‌ବର୍ଣ୍ଣ: ବଡ଼ଦିନରେ ମେଲ୍‌ବର୍ଣ୍ଣ ସହରର ରାସ୍ତାରେ ବୁଲିଥିବା ଗୋଟାଏ ଛୋଟିଆ କୁମ୍ଭୀରର ମାଲିକଙ୍କୁ ପୁଲିସ ଖୋଜୁଛି। ସହରବାସୀମାନେ ସନ୍ଧ୍ୟାରେ ବୁଲି ବାହାରିଥିବା ସମୟରେ ଏକ ସହର ତଳି ଅଞ୍ଚଳ ବଜାର ରାସ୍ତାରେ କୁମ୍ଭୀରଟାଏ ବୁଲୁ ଥିବାରେ ଦେଖିଥିଲେ।

ପ୍ରଥମେ ତାହାକୁ ଗୋଟାଏ ବଡ଼ ଗୋଧି ବିଚାରି ଲୋକେ ଦେଖିବାକୁ ଗହଳି କରିଥିଲେ। କିନ୍ତୁ, ପରେ ଜାଣିଲେ ସେଇଟା ଫୁଟ୍‌ପାଥ୍‌ରେ ଚୁପ୍‌ଚାପ୍‌ ଶୋଇଥିବା ଏକ ମିଟର ଲମ୍ବର ଗୋଟାଏ ମଧୁର ଜଳ କୁମ୍ଭୀର।

ହିଡ୍‌ଲ୍‌ବର୍ଗ ହାଇଟ୍‌ରୁ ସେଇଟାକୁ ଧରିବା ପାଇଁ ସାପ ଧରାଳି ମାର୍କ ପେଲିଙ୍କୁ ଡକାଯାଇଥିଲା। ସେ କହନ୍ତି ଯେ ପୁଲିସ ତାଙ୍କୁ ରାତିରେ ଡାକି କହିଥିଲା, ରାସ୍ତାରେ କୁମ୍ଭୀରଟାଏ ବୁଲୁଚି। ଏବେ ସେଇଟା ଏକ ସ୍ୱାସ୍ଥ୍ୟ କେନ୍ଦ୍ର ସାମନାରେ ଅଛି।

ତୁରନ୍ତ ପେଲେ ସେଠାକୁ ଯାଇ ଦେଖିଲେ ପାଞ୍ଚଜଣ ପୁଲିସବାଲା ସେ କୁମ୍ଭୀରକୁ ଜଗି ରହିଛନ୍ତି। ତା’ର ଲମ୍ବ ପ୍ରାୟ ସାଢ଼େ ତିନି ଫୁଟ୍‌ ହେବ।
ଶେଷରେ କୁମ୍ଭୀରଟି ତରବରରେ ଗୋଟାଏ ବୁଦା ଭିତରକୁ ପଶିଯାଉଥିବା ବେଳେ ତା’ ଲାଞ୍ଜ ଆଡୁ ଧରି ପକାଇଥିଲେ ପେଲେ। ଏବେ ତାକୁ ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷଙ୍କ ଜିମାରେ ରଖାଯାଇଛି।

ଆଖ ପାଖରେ କୌଣସି ଜଳାଶୟ ନ ଥିବାରୁ କୁମ୍ଭୀରଟି ପୋଷା ବୋଲି ସର୍ଜେଣ୍ଟ୍‌ ଡାନିଏଲ୍‌ ଏଲିଅଟ୍‌ କହନ୍ତି। ଭିକ୍ଟୋରିଆ ଅଞ୍ଚଳର ପୋଷାଜୀବ ପ୍ରେମୀମାନଙ୍କୁ ଅଢ଼େଇ ଫୁଟ୍‌ ଲମ୍ବ ଯାଏଁ କୁମ୍ଭୀର ପାଳିବାକୁ ଅନୁମତି ଦିଆଯାଇଥାଏ।

ସମ୍ବନ୍ଧିତ ଖବର