ତାମିଲନାଡ଼ୁରୁ ଗୁଜୁରାଟକୁ ୧ ହଜାର କୁମ୍ଭୀର ନେଉଛନ୍ତି ଅମ୍ବାନୀ

ମୁମ୍ବାଇ: ନିଜ ଘରଠାରୁ ପାଖାପାଖି ୨ ହଜାର କିଲୋମିଟର ଦୂରକୁ ଯାଉଛନ୍ତି ୧ ହଜାର କୁମ୍ଭୀର | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ ଦେଶର ଏକ କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ୧୯୩୧ କିଲୋମିଟର ଦୂରରେ ଥିବା ଏକ ଚିଡିଆଖାନାକୁ ୧୦୦୦ କୁମ୍ଭୀର ପଠାଇବା ପ୍ରକ୍ରିୟା ଜୋରସୋରରେ ଚାଲିଛି। ଏହି ଚିଡିଆଖାନାର ମାଲିକ ହେଉଛନ୍ତି କୋଟିପତି ମୁକେଶ ଅମ୍ବାନୀ | ଆଶା କରାଯାଉଛି ଯେ ଏହି କୁମ୍ଭୀରମାନେ ଅମ୍ବାନୀଙ୍କ ପ୍ରାଣୀ ଉଦ୍ୟାନରେ ରହିବା ପାଇଁ ଏକ ଉତ୍ତମ ସ୍ଥାନ ପାଇପାରିବେ। ମିଳିଥିବା ସୂଚନା ମୁତାବକ ଗତବର୍ଷ ଭାରତର ପ୍ରାଣୀ ଉଦ୍ୟାନ ନିୟନ୍ତ୍ରକ ତାମିଲନାଡୁର ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟରୁ ୧୦୦୦ ମଗର ପ୍ରଜାତିର କୁମ୍ଭୀରକୁ ଗୁଜୁରାଟର ଗ୍ରୀନ୍ସ ଜୁଲଜିକାଲ ରେସକ୍ୟୁ ଏବଂ ପୁନର୍ବାସ କେନ୍ଦ୍ରକୁ ପଠାଇବାକୁ ଗ୍ରୀନ ସିଗନାଲ ଦେଇଥିଲେ ।

ଏହା ଅଧୀନରେ ଗୁଜୁରାଟକୁ ଏପର୍ଯ୍ୟନ୍ତ ପ୍ରାୟ ୩୦୦ କୁମ୍ଭୀର ପଠାଯାଇଛି। ଚେନ୍ନାଇର ଏହି ମାଡ୍ରାସ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟ (କୁମ୍ଭୀର କେନ୍ଦ୍ର) ୮.୫ ଏକରରେ ଥିବାବେଳେ ରିପୋର୍ଟ ଅନୁଯାୟୀ କେନ୍ଦ୍ରର ଅଧିକାରୀମାନେ କହିଛନ୍ତି ଯେ ଏଠାରେ ଥିବା କୁମ୍ଭୀରମାନଙ୍କୁ ଗୁଜୁରାଟକୁ ପଠାଯାଉଛି କାରଣ ଏଠାରେ ସେମାନଙ୍କର ସଂଖ୍ୟା ବହୁତ ବୃଦ୍ଧି ପାଇଛି। ମାଡ୍ରାସ କୁମ୍ଭୀର ବ୍ୟାଙ୍କରେ କୁମ୍ଭୀରଙ୍କ ସଂଖ୍ୟା ବହୁତ ବଢ଼ିଯାଇଥିବାବେଳେ ସେମାନଙ୍କୁ ରଖିବାରେ ଅସୁବିଧା ହେଉଛି | ଏହି କୁମ୍ଭୀର କେନ୍ଦ୍ରର କ୍ୟୁରେଟର ନିଖିଲ ହ୍ୱାଇଟେକର କହିଛନ୍ତି ଯେ ଏଠାରେ କୁମ୍ଭୀରଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ ପ୍ରତିବର୍ଷ ଶହ ଶହ କୁମ୍ଭୀର ଅଣ୍ଡା ନଷ୍ଟ କରାଯାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କୁମ୍ଭୀରମାନଙ୍କୁ ଏଠାରୁ ଗୁଜୁରାଟକୁ ପଠାଇ ଏକ ଉତ୍ତମ ସ୍ଥାନ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ବର୍ଷ ବର୍ଷ ଧରି ଏଠାରୁ ଦେଶର ବିଭିନ୍ନ ପ୍ରାଣୀ ଉଦ୍ୟାନ କୁମ୍ଭୀର ପଠାଯାଇଛି | ତେବେ ପ୍ରଥମ ଥର ପାଇଁ ଏତେ ସଂଖ୍ୟକ କୁମ୍ଭୀରଙ୍କୁ ପଠାଯାଉଛି | ସୂଚନା ଥାଉ କି ଅମ୍ବାନୀଙ୍କ ଏହି ପ୍ରାଣୀ ଉଦ୍ୟାନ ଗୁଜୁରାଟର ଜାମନଗର ସହରରେ ଥିବାବେଳେ ଏହା ୪୨୫ ଏକର ଅଞ୍ଚଳରେ ବ୍ୟାପିଛି। ଏହି ପ୍ରାଣୀ ଉଦ୍ୟାନ ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ ଏଠାକୁ ଆସୁଥିବା କୁମ୍ଭୀରମାନେ ରହିବାକୁ ପର୍ଯ୍ୟାପ୍ତ ସ୍ଥାନ ପାଇବେ।

ସମ୍ବନ୍ଧିତ ଖବର