ପାଟନା: କିଣା ଯାଇଥିବା ନୂଆ ବାଇକ୍ ପୂଜା ନିମନ୍ତେ ଗଙ୍ଗାନଦୀରେ ଗାଧୋଇ ଗଙ୍ଗାଜଳ ଆଣିବାକୁ ଯାଇଥିବା ଜଣେ ୧୪ ବର୍ଷିୟ ବାଳକକୁ ଖାଇ ଦେଇଥିବା ଗୋଟାଏ କୁମ୍ଭୀରକୁ ଗ୍ରାମବାସୀମାନେ ନଦୀରୁ ଟାଣିଆଣିବା ପରେ ପିଟି ପିଟି ମାରି ପକାଇଥିବା କଥା ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ଘଟଣାଟି ଘଟିଛି ବିହାରର ହାଜିପୁର ଅନ୍ତର୍ଗତ ରାଘୋପୁର ଦିଆରାରେ। କୁମ୍ଭୀର ଆକ୍ରମଣରେ ମୃତ ୧୪ ବର୍ଷିୟ ବାଳକୁ ଅଙ୍କିତଙ୍କ ଜେଜେ ସକଳଦୀପ ଦାସ କହିଛନ୍ତି, ଘରକୁ ନୂଆ ମୋଟର୍ସାଇକେଲ୍ ଆସିଥିଲା। ଏଇ ଖୁସିରେ ଅଧୀର ହୋଇ ଅଙ୍କିତ ମଧ୍ୟ ମୋଟର୍ସାଇକେଲ୍ ପୂଜାରେ ପରିବାର ଲୋକଙ୍କ ସହିତ ସାମିଲ ହୋଇଥିଲା। ଖଲ୍ସା ଘାଟରେ ପରିବାର ଲୋକେ ପହଞ୍ଚିଥି ଗାଧୋଇବାକୁ ପ୍ରସ୍ତୁତି କରୁଥିଲେ। ଅଙ୍କିତ ଗଙ୍ଗାନଦୀରେ ବୁଡ଼ ପକାଇ ମୋଟର୍ସାଇକେଲ୍ ପୂଜା ନିମନ୍ତେ ଗଙ୍ଗାଜଳ ଆଣିବାକୁ ଯାଇଥିଲା। ନଦୀରେ ହଠାତ୍ ଗୋଟାଏ କୁମ୍ଭୀର ତାକୁ ଆକ୍ରମଣ କରିଥିଲା।
କୁମ୍ଭୀରଟି ଅଙ୍କିତକୁ ପାଣି ଭିତରକୁ ଟାଣି ନେଇ ଖଣ୍ଡିଆ ଖାବରା କରିପକାଇବାରୁ ତା’ର ମୃତ୍ୟୁ ଘଟିଲା। ପ୍ରାୟ ଏକ ଘଣ୍ଟାପରେ ନଦୀରୁ ଅଙ୍କିତର ଶବ ଉଦ୍ଧାର କରାଯାଇଥିଲା ବୋଲି ସେ କହିଛନ୍ତି।
୫ମ ଶ୍ରେଣୀରେ ପଢୁଥିବା ଅଙ୍କିତ କୁମାରଙ୍କ ମୃତ୍ୟୁଜନିତ ଦୁଃଖ ଓ କ୍ରୋଧରେ ପରିବାର ଲୋକେ ଓ ବହୁସଂଖ୍ୟକ ଗ୍ରାମବାସୀ ନଦୀ କୂଳରେ ପହଞ୍ଚିଥିଲେ। ତା’ପରେ ସେମାନେ ଜାଲ ପକାଇ ପାଣିରୁ କୁମ୍ଭୀରଟିକୁ ଘୋଷାଡ଼ି ଆଣି ଅତି ନିର୍ମମ ଭାବେ ଠେଙ୍ଗା ପିଟି ଓ ବର୍ଚ୍ଛାରେ ଭୁସି ମାରି ପକାଇଲେ।
ସମ୍ପ୍ରତି ଏହି ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।