ଶ୍ରୀନଗର: ଜମ୍ମୁ-କାଶ୍ମୀରର ସେଓ ଚାଷୀମାନେ ଚଳିତ ବର୍ଷା ଋତୁରେ ଅତ୍ୟଧିକ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗମ୍ଭୀର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। କାଶ୍ମୀର ଉପତ୍ୟକାରେ ଲଗାଣ ବର୍ଷା ସେଓ ଫସଲକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ସେଓ ଚାଷ ରାଜ୍ୟ ଅର୍ଥନୀତିର ଏକ ମୁଖ୍ୟ ଅଙ୍ଗ ହୋଇଥିବା ବେଳେ ଅଞ୍ଚଳର ସୋପିଆନ, କୁଲଗାମ, ଅନନ୍ତନାଗ ଓ ବାରମୁଲା ଜିଲ୍ଲାରେ ବର୍ଷା ଓ ଭୂସ୍ଖଳନ ଯୋଗୁଁ ସେଓ ବଗିଚା ନଷ୍ଟ ହୋଇଛି। କ୍ଷତିର ପରିମାଣ ଶହଶହ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି। ଅତ୍ୟଧିକ ବର୍ଷା ସେଓ ଗଛରେ  ରୋଗ ସୃଷ୍ଟି କରିବା ସହ ଓ ଫଳ ଝଡ଼ିବା ପ୍ରକ୍ରିୟା ବଢ଼ାଇ ଦେଇଛି। ଆର୍ଦ୍ରତା ଯୋଗୁଁ ଫଳର ଗୁଣବତ୍ତା ହ୍ରାସ ପାଇଛି ଏବଂ ଏହା  ବଜାର ମୂଲ୍ୟକୁ ପ୍ରଭାବିତ କରିଛି। ଅନ୍ୟପକ୍ଷରେ ଭୂସ୍ଖଳନ ଓ ବନ୍ୟା ଯୋଗୁଁ ରାସ୍ତା ବନ୍ଦ ହେବାରୁ ଚାଷୀମାନେ ସେଓ ବଜାରକୁ ପହଞ୍ଚାଇ ପାରୁନାହାନ୍ତି ଏବଂ ଏଥିଯୋଗୁ ଆୟ  ଆହୁରି କମିଯାଉଛି।

Advertisment

କାଶ୍ମୀରର ଲକ୍ଷାଧିକ ପରିବାର ସେଓ ଚାଷ ଉପରେ ନିର୍ଭରଶୀଳ ଥିବା ବେଳେ ଏହି କ୍ଷତି ଚାଷୀଙ୍କୁ ଋଣ ଜାଲ ଭିତରକୁ ଟାଣିନେଇଛି।  ଅଧିକାଂଶ ଚାଷୀ ସେଓ  ବଗିଚା ପାଇଁ ଋଣ ନେଇଥିଲେ ଏବଂ ମୌସୁମୀ ବିପର୍ଯ୍ୟୟ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି। ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ ଘୋଷଣା ସହ ବିଭିନ୍ନ ଅଂଚଳକୁ  ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ଚାଷୀମାନେ ଅଧିକ କ୍ଷତିପୂରଣ, ଫସଲ ବୀମାରେ ସୁଧାର ଆଦି  ଦାବି କରୁଛନ୍ତି। ସରକାର ଜଳବାୟୁ-ପ୍ରତିରୋଧୀ ସେଓ ପ୍ରଜାତି ଓ ଉନ୍ନତ ଚାଷ ପଦ୍ଧତି ପାଇଁ ବୈଜ୍ଞାନିକଙ୍କ ସହ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀର ଭାରତର ସେଓ ଉତ୍ପାଦନର ପ୍ରାୟ ୭୦% ଯୋଗାଣ କରେ, ଯାହା ରାଜ୍ୟ ଅର୍ଥନୀତି ଓ ରପ୍ତାନିର ମୂଳଦୁଆ। ଏହି ସଙ୍କଟ ଚାଷୀଙ୍କ ଜୀବନଜୀବିକା ଓ ରାଜ୍ୟର ଅର୍ଥନୀତିକୁ ବିପଦରେ ପକାଇଛି।