୪ ମାସର ବିରତି ପରେ ନିୟନ୍ତ୍ରଣ ରେଖାପାରି ବାଣିଜ୍ୟ ଓ ବସ୍‌ ସେବା ଆରମ୍ଭ

ନୂଆଦିଲ୍ଲୀ: ୪ ମାସର ବିରତି ପରେ ଏ ସପ୍ତାହରେ ପୁଞ୍ଚ୍‌-ରାଓ୍ଵାଲ୍‌କୋଟ୍‌ ପଥ ଦେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖାପାରି ବାଣିଜ୍ୟ ଏବଂ ବସ୍‌ ସେବା ପୁଣି ଆରମ୍ଭ ହେବାର ସମ୍ଭବାନା ଅଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

ଭାରତ ଉଲ୍ଲେଖଯୋଗ୍ୟ କ୍ଷେତ୍ରରେ ପାକିସ୍ତାନୀ ନାଗରିକମାନଙ୍କୁ ଡାକ୍ତରୀ ଭିସା ପ୍ରଦାନ କରିବା ଏବଂ ଗତ ସପ୍ତାହରେ ଉଭୟ ଦେଶ ବନ୍ଦୀ ଓ ମତ୍ସ୍ୟଜୀବୀମାନଙ୍କୁ ମୁକ୍ତି କରିବା ପରେ ଏ କଥା ବିଚାର କରାଯାଉଛି।

ନିୟନ୍ତ୍ରଣ ରେଖାପାରି ବାଣିଜ୍ୟକୁ ଉଭୟ ଦେଶ ଉଲ୍ଲେଖଯୋଗ୍ୟ ଆତ୍ମବିଶ୍ୱାସ ନିର୍ମାଣ ପଦକ୍ଷେପ ଦୃଷ୍ଟିରେ ଦେଖନ୍ତି। କିନ୍ତୁ ଜମ୍ମୁ ଏବଂ କଶ୍ମୀରରେ ଟେରର୍‌ ଫଣ୍ଡିଂ ବୃଦ୍ଧି ପାଇବାରୁ ନିକଟ ଅତୀତରେ ଏହା ଭାରତୀୟ ତଦନ୍ତକାରୀ ଏଜେନ୍‌ସିଙ୍କ ଦୃଷ୍ଟିରେ ପଡ଼ିଥିଲା। ନିଷିଦ୍ଧ ନିଶା ଔଷଧ ଜବତ୍‌ ହେବା କାରଣରୁ ନିୟନ୍ତ୍ରଣ ରେଖାରେ ଥିବା ଉରି-ମୁଜାଫରାବାଦ୍‌ ପଥରେ ମଧ୍ୟ ଏ ବର୍ଷ ଆଦ୍ୟ ଭାଗରେ କିଛି ଦିନ ପାଇଁ ବାଣିଜ୍ୟ ବନ୍ଦ ହୋଇଥିଲା କିନ୍ତୁ, ଅଗଷ୍ଟ ମାସରେ ପୁଣି ଚାଲୁ ହୋଇଥିଲା।

ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନୀ ସେନାଙ୍କ ଗୁଳି ଚାଳନା ଯୋଗୁଁ ଚାରି ମାସ ତଳେ ବନ୍ଦ ହୋଇ ଥିବା ପୁଞ୍ଚ୍‌-ରାଓ୍ଵଲ୍‌କୋଟ୍‌ ବସ୍‌ ସେବା ସୋମବାର ଦିନ ଆରମ୍ଭ ହେଲା ପରି ମନେ ହେଉଛି।

ଶୁକ୍ରବାର ଦିନ ପୁଞ୍ଚ୍‌ ଓ ପାକ୍‌ ଅଧିକୃତ କଶ୍ମୀରର ବରିଷ୍ଠ ସିଭିଲ୍‌ ଅଧିକାରୀଙ୍କ ମଧ୍ୟରେ ବୈଠକ ବସିଥିଲା। ଉଭୟ ପକ୍ଷରୁ ବନ୍ଦ ହୋଇ ଥିବା ବାଣିଜ୍ୟ ଏବଂ ବସ୍‌ ସେବା ପୁଣି ଆରମ୍ଭ କରିବାକୁ ସେମାନେ ରାଜି ହୋଇଥିଲେ। ଜମ୍ମୁ ଏବଂ କଶ୍ମୀର ଏବଂ ପାକ୍‌ ଅଧିକୃତ କଶ୍ମୀର ମଧ୍ୟରେ ଭାଗ ହୋଇ ଯାଇଥିବା ପରିବାରମାନଙ୍କ ନିମନ୍ତେ ବାଣିଜ୍ୟ ଏବଂ ଯାତାୟାତର ସୁବିଧା ପାଇଁ ଶ୍ରୀନଗର-ମୁଜାଫରାବାଦ ରାସ୍ତାରେ ଏପ୍ରିଲ୍‌ ୨୦୦୫ରେ ଏବଂ ଜୁନ୍‌ ୨୦, ୨୦୦୬ରେ ପୁଞ୍ଚ୍‌-ରାଓ୍ଵାଲ୍‌କୋଟ୍‌ ରାସ୍ତାରେ ବସ୍‌ ଚଳାଚଳ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର