ନୂଆଦିଲ୍ଲୀ: ଦେଶରେ ଭିଡ଼ହିଂସା ଘଟଣା ବୃଦ୍ଧି ପାଇବା ପରିପ୍ରେକ୍ଷୀରେ ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ରାଜ୍ୟଗୁଡ଼ିକ ନିମନ୍ତେ ନିର୍ଦ୍ଦେଶାବଳି ଜାରି କରିଛନ୍ତି। ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ଆରକ୍ଷୀ ନିରୀକ୍ଷକ ପାହ୍ୟାର ନୋଡାଲ୍ ଅଧିକାରୀ ନିଯୁକ୍ତି ପାଇଁ କୁହାଯାଇଛି। ସେହିଭଳି ସୋସିଆଲ୍ ମିଡିଆରେ ଗୁଜବ ସୃଷ୍ଟିକାରୀ ବାର୍ତ୍ତା ଉପରେ ନଜର ରଖିବା ଲାଗି ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ ନିମନ୍ତେ କୁହାଯାଇଛି। ଏହାଦ୍ୱାରା ଗୋରକ୍ଷା ନାମରେ କିମ୍ବା ପିଲାଚୋରି ସନ୍ଦେହରେ ସମ୍ଭାବ୍ୟ ଭିଡ଼ହିଂସାକୁ ରୋକାଯାଇ ପାରିବ ବୋଲି କେନ୍ଦ୍ର ଦର୍ଶାଇଛି।
ଅନ୍ୟପକ୍ଷରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭିଡ଼ହିଂସା ରୋକିବା ଲାଗି ରାଜ୍ୟଗୁଡ଼ିକ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ। କିନ୍ତୁ ଏ ସମ୍ପର୍କିତ ଘଟଣାର ପ୍ରତିକାର, ତଦନ୍ତ ଅଥବା ଅନ୍ୟ କୌଣସି କ୍ଷେତ୍ରରେ ପୁଲିସ ଅଧିକାରୀ ବା ଅନ୍ୟ ସରକାରୀ ଅଧିକାରୀ ବିଫଳ ହେଲେ ବା ନିର୍ଦ୍ଦେଶାବଳିର ଉଲ୍ଲଂଘନ କରାଗଲେ ସେହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସରକାରଙ୍କ ନିର୍ଦ୍ଦେଶକୁ ବାରମ୍ବାର ଉଲ୍ଲଂଘନ ଏବଂ ଜାଣିଶୁଣି ଅବହେଳା କରିବା କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀ ଏଭଳି କାର୍ଯ୍ୟାନୁଷ୍ଠାନର ଶିକାର ହେବେ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଉଲ୍ଲେଖଯୋଗ୍ୟ, ସୁପ୍ରିମ୍କୋର୍ଟଙ୍କ ଜୁଲାଇ ୧୭ ନିର୍ଦ୍ଦେଶ ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।
ଅପରପକ୍ଷରେ ଏ ପ୍ରସଙ୍ଗରେ ଆଜି କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳଗୁଡ଼ିକ ଘେରିଛନ୍ତି। ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଭିନ୍ନ ଦଳର ସାଂସଦମାନେ ସରକାରଙ୍କୁ ସମାଲୋଚନା କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସେମାନଙ୍କୁ ଜବାବ ଦେଇ ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, କେନ୍ଦ୍ର ଏହାକୁ ଗୁରୁତ୍ୱର ସହ ନେଇଛି। ଦରକାର ପଡ଼ିଲେ ଏଭଳି ହିଂସାର ମୁକାବିଲା ଲାଗି ଆଇନ ଆସିବ ବୋଲି ସେ କହିଛନ୍ତି। ଭିଡ଼ ହିଂସା ଜନିତ ଘଟଣାର ମୁକାବିଲା ପାଇଁ ପରାମର୍ଶ ଦେବା ଲାଗି ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।
ଲୋକସଭାରେ ମଙ୍ଗଳବାର ପ୍ରଶ୍ନକାଳ ସମୟରେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଭଳି ପ୍ରମୁଖ ବିରୋଧୀ ଦଳ ଭିଡ଼ହିଂସା ପ୍ରସଙ୍ଗ ଉଠାଇଥିଲେ। ବହୁଜନ ସମାଜ ପାର୍ଟି (ବିଏସ୍ପି) ନେତ୍ରୀ ମାୟାବତୀ ମଧ୍ୟ ଭିଡ଼ହିଂସା ପ୍ରସଙ୍ଗକୁ ନେଇ ବିଜେପିକୁ ଦୋଷାରୋପ କରିଛନ୍ତି। ଏଥିପାଇଁ ସେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ମାୟାବତୀ କହିଛନ୍ତି, ବିଜେପି ନେତା ଓ ସେମାନଙ୍କ ସମର୍ଥକଙ୍କ ସଂକୀର୍ଣ୍ଣ ମନୋଭାବ ଯୋଗୁ ଭିଡ଼ ହିଂସା ଭଳି ଘଟଣା ବଢୁଛି।
ଆଇଟି ସଚିବଙ୍କୁ ଭେଟିଲେ ହ୍ଵାଟ୍ସଆପ୍ ସିଓଓ
ନୂଆଦିଲ୍ଲୀ, ୨୪/୭(ପିଟି): ଭିଡ଼ ହିଂସା ପ୍ରସଙ୍ଗରେ ହ୍ଵାଟ୍ସଆପ୍ ସିଓଓ ମାଥ୍ୟୁ ଇଡେମାନ୍ଙ୍କ ସମେତ ଅନ୍ୟ ଅଧିକାରୀମାନେ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ଆଲୋଚନା କରିଛନ୍ତି। କମ୍ପାନିର ଅଧିକାରୀମାନେ ଆଇଟି ସଚିବ ଅଜୟ ପ୍ରକାଶ ସହନେଙ୍କୁ ଗତକାଲି ଭେଟିଛନ୍ତି। ଗୁଜବ ଏବଂ ମିଥ୍ୟା ସମ୍ବାଦର ପ୍ରସାରକୁ ରୋକିବା ଲାଗି କମ୍ପାନି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ କମ୍ପାନିର ଅଧିକାରୀମାନେ ସରକାରୀ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଭାରତରେ ହ୍ଵାଟ୍ସଆପ୍ର ପ୍ରସ୍ତାବିତ ପେମେଣ୍ଟ ସର୍ଭିସ ପ୍ରସଙ୍ଗରେ ମଧ୍ୟ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ମିଥ୍ୟା ସମ୍ବାଦ ପ୍ରସାରକୁ ରୋକିବାରେ ସରକାର, ନାଗରିକ ସମାଜ ଏବଂ ପ୍ରଯୁକ୍ତି କମ୍ପାନିଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବାର ଆବଶ୍ୟକତା ରହିଛି ବୋଲି କମ୍ପାନିର ପ୍ରବକ୍ତା କହିଛନ୍ତି। କମ୍ପାନି ଏ ନେଇ ଅନ୍ୟ ପକ୍ଷମାନଙ୍କ ସହ ଆଲୋଚନା କରିବ ବୋଲି ସେ କହିଛନ୍ତି।
ଭିଡ଼ହିଂସା ମୁକାବିଲା: ରାଜ୍ୟ ଗଠନ କରିବେ ଟାସ୍କଫୋର୍ସ
ପ୍ରତି ଜିଲ୍ଲାରେ ରହିବେ ନୋଡାଲ୍ ଅଧିକାରୀ ଦରକାର ପଡ଼ିଲେ ଆଇନ ଆସିବ: ରାଜନାଥ
/sambad/media/post_attachments/wp-content/uploads/2018/07/imp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)