ଛତିଶଗଡ଼ରେ ଚାରି ସହକର୍ମୀଙ୍କୁ ହତ୍ୟା କଲେ ସିଆର୍‌ପିଏଫ୍‌ କନେଷ୍ଟବଳ

ରାୟପୁର: ମାଓ ଉପଦ୍ରୁତ ଅଞ୍ଚଳ ଛତିଶଗଡ଼ର ବସ୍ତର ଅନ୍ତର୍ଗତ ବଡ଼ଗୁଡ଼ାରେ ନିଯୁକ୍ତ ସିଆର୍‌ପିଏଫ୍‌ର ଜଣେ କନେଷ୍ଟବଳ ଚାରି ଜଣ ସହକର୍ମୀଙ୍କୁ ହତ୍ୟା କରିବା ସହ ଅନ୍ୟ ଜଣଙ୍କୁ ଆହତ କରିଛନ୍ତି। ସେଠାରେ ଥିବା ପରା-ମିଲିଟାରିର ୧୬୮ଶ ବାଟାଲିୟନ୍‌ରେ ମାଡ଼ପିଟ ହେବାରୁ ଏ ଭଳି ଅଭାବନୀୟ ଘଟଣା ଘଟିଛି।

ଶନିବାର ସନ୍ଧ୍ୟା ୫. ୧୫ ମିନିଟ୍‌ରେ ବିଜାପୁର ଅନ୍ତର୍ଗତ ବାସଗୁଡ଼ା ସିଆର୍‌ପିଏଫ୍‌ ୧୬୮ ବାଟାଲିୟନ୍‌ ‘ଜି କମ୍ପାନି’ରେ ଏ ଭଳି ଘଟଣା ଘଟିଥିବା ବସ୍ତର ରେଞ୍ଜ୍‌ ପୁଲିସ ଇନ୍‌ପେକ୍ଟର୍‌ ଜେନେରାଲ୍‌ ବିବେକାନନ୍ଦ ସିହ୍ନା ଜଣାଇଛନ୍ତି। ବରିଷ୍ଠ ସହକର୍ମୀଙ୍କ ସହ ବିବାଦ ଉପୁଜିବାରୁ କନେଷ୍ଟବଳ ଜଣକ ଗୁଳି ଚଳାଇଥିଲେ।

ଗୁଳିକାଣ୍ଡ ଯୋଗୁଁ ଦୁଇଜଣ ସବ୍‌-ଇନ୍‌ସ୍‌ପେକ୍ଟର୍‌, ଜଣେ ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର ଏବଂ ଜଣେ କନେଷ୍ଟବଳ ପ୍ରାଣ ହରାଇଛନ୍ତି। ସେମାନେ ହେଉଛନ୍ତି ସବ୍‌-ଇନ୍‌ସ୍‌ପେକ୍ଟର୍‌ ଭି କେ ଶର୍ମା ଓ ମହେଶ ସିଂହ, ସହକାରୀ ସବ୍‌-ଇନ୍‌ସ୍‌ପେକ୍ଟର୍‌ ରାଜବୀର ସିଂହ ଏବଂ କନେଷ୍ଟବଳ ଜି କେ ରାଓ। କନେଷ୍ଟବଳ ଗଜାନନ୍ଦ ଆହତ ହୋଇଛନ୍ତି।

ସିଆର୍‌ପିଏଫ୍‌ ମୁଖପାତ୍ର ଦିନକରଣ ମୋସେସ୍‌ କହିଛନ୍ତି ଯେ ସହକର୍ମୀଙ୍କ ସହ ବିବାଦ ହେବାରୁ ସନତ କୁମାର ନାମକ ଜଣେ ଯବାନ ତାଙ୍କ ଏକେ-୪୭ରୁ ଗୁଳି ଚଳାଇବାରୁ ଚାରି ଜଣ କର୍ମଚାରୀ ନିହତ ହୋଇଛନ୍ତି। ସାଙ୍ଘାତିକ ଆହତ ହୋଇଥିବା ଅନ୍ୟ ଜଣେ କନେଷ୍ଟବଳଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା।

କାର୍ଯ୍ୟନୁଷ୍ଠାନ ନିମନ୍ତେ କନେଷ୍ଟବଳ ସନତ କୁମାରଙ୍କୁ ହାଜତକୁ ନିଆଯାଇଛି। ଏ ଭଳି ଘଟଣା ପାଇଁ କେଉଁ ପରିସ୍ଥିତି ଦାୟୀ ତା’ର ଅଭ୍ୟନ୍ତରୀଣ ତଦନ୍ତ କରିବାକୁ ସିଆର୍‌ପିଏଫ୍‌ ଆଦେଶ ଦେଇଛି।

ସମ୍ବନ୍ଧିତ ଖବର