ପଶ୍ଚିମବଙ୍ଗ: ନେତାଙ୍କ ମଧ୍ୟରେ ଆକ୍ଷେପ ଓ ପ୍ରତିଆକ୍ଷେପ ସୀମା ଲଂଘନ କରିଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ହିଂସା ବ୍ୟାପକ

ବନେଶ୍ୱର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର କାଳରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଆକ୍ଷେପ ଓ ପ୍ରତିଆକ୍ଷେପ ସମସ୍ତ ସୀମା ଲଂଘନ କରିଯାଇଥିବା ବେଳେ ଏବେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ନିର୍ବାଚନୀ ହିଂସା ଚରମ ସୀମାରେ ପହଞ୍ଚିଛି। ପ୍ରତିଦ୍ୱନ୍ଦ୍ୱୀ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଏକାଧିକ ଦଳୀୟ ପ୍ରାଥୀଙ୍କ ସମେତ ବହୁ କର୍ମୀ ଆହତ ହୋଇଛନ୍ତି।

ବିଜେପି ନେତା ଶାହନାୱାଜ ହୁସେନ୍‌ ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର ହାଓ୍ଵଡ଼ାରେ ନିର୍ବାଚନ ପ୍ରଚାର କରୁଥିବା ବେଳେ ମଙ୍ଗଳବାର ଦିନ ତାଙ୍କ ଉପରକୁ ପଥର ମାଡ଼ ହୋଇଛି। ସେ ଟୁଇଟ୍‌ କରି କହିଛନ୍ତି, ମୁଁ ଏକ ସଭାକୁ ସମ୍ବୋଧିତ କରୁଥିବାବେଳେ ଟିଏମସି କର୍ମୀମାନେ ମୋ ଉପରକୁ ପଥର ଫିଙ୍ଗିଥିଲେ। ମୁଁ ସୁରକ୍ଷିତ ଅଛି ହେଲେ ଏହି ଘଟଣାରେ ବିଜେପିର ଅନେକ କର୍ମୀ ଆହତ ହୋଇଛନ୍ତି। ଏବଂ ମୋର ଅନେକ ସୁରକ୍ଷା କର୍ମୀ ମଧ୍ୟ ଏହି ପଥର ମାଡ଼ରେ ଆହତ ହୋଇଛନ୍ତି।

ସେହିପରି ପଶ୍ଚିମବଙ୍ଗର ଅରାମବାଗରେ ଟିଏମସିର ଜନୈକା ମହିଳା ପ୍ରାର୍ଥୀଙ୍କୁ କେତେକ ଦୁର୍ବୃତ୍ତ ଖୋଲା ପଡ଼ିଆରେ ବାଡ଼ି ଓ ଲୁହା ରଡ ଧରି ଗୋଡାଇ ଗୋଡାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ତାଙ୍କ ସୁରକ୍ଷା ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ସେହିପରି ନିର୍ବାଚନୀ ହିଂସାରେ ଆହତ ହୋଇଥିବା ଅନ୍ୟ ପ୍ରାର୍ଥୀମାନେ ହେଲେ ବିଜେପିର ପପିଆ ଅଧିକାରୀ ଓ ସ୍ୱପନ୍‌ ଦାସଗୁପ୍ତା ଏବଂ ଟିଏମସିର ନିର୍ମଳ ମାଝୀ ଓ ନଜମୁଲ କରିମ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ସିଆରପିଏଫ୍‌ କର୍ମଚାରୀମାନେ ରାଜ୍ୟରେ ଭୋଟରଙ୍କୁ ହଇରାଣ କରୁଛନ୍ତି। କୁଚ୍‌ବେହେରା ଜିଲ୍ଲାରେ ଏଠାରେ ଏକ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଚାଲିଥିବା ବିଧାନସଭା ନର୍ବାଚନ ସମୟରେ କେନ୍ଦ୍ରୀୟ ବଳର କର୍ମୀମାନେ ମହିଳାଙ୍କୁ ଅସଦାଚରଣ କରିବା ସହ ଲୋକଙ୍କୁ ମାଡ ମାରୁଛନ୍ତି। ସେମାନେ ଭୋଟରଙ୍କୁ ଭୋଟ୍‌ ଦେବାରେ ବାଧା ଦେଉଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସେମାନଙ୍କୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର