ନୂଆଦିଲ୍ଲୀ:  ପାକିସ୍ତାନୀ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ଗୁପ୍ତ ସୁରକ୍ଷା ସୂଚନା ଯୋଗାଇ ଦେବା ଅଭିଯୋଗରେ ଜଣେ ସିଆରପିଏଫ ଯବାନଙ୍କୁ ଗିରଫ କରାଯାଇଛି। ଗିରଫ ପରେ ସିଆରପିଏଫ ଯବାନଙ୍କୁ କୋର୍ଟ ୧୫ ଦିନିଆ ଏନଆଇଏ ହେପାଜତକୁ ପଠାଇ ଦେଇଛନ୍ତି।

Advertisment

ପଟିଆଲା ହାଉସର ସ୍ୱତନ୍ତ୍ର ବିଚାରପତି ଚନ୍ଦ୍ରଜିତ ସିଂହ ଏହି ମାମଲାକୁ ଜାତୀୟ ସୁରକ୍ଷା ସହିତ ଜଡିତ ଏକ ଅତ୍ୟନ୍ତ ଗମ୍ଭୀର ଅପରାଧ ବୋଲି ସୂଚିତ କରି କହିଛନ୍ତି, ‘ସଶସ୍ତ୍ର ବାହିନୀ ଦେଶର ପ୍ରତିରକ୍ଷାର ମୂଳଦୁଆ। ଯଦି ଜଣେ ଯବାନ ଦେଶଦ୍ରୋହୀର କାମ କରନ୍ତି ତେବେ ଏହା ଦେଶର ଭବିଷ୍ୟତ ସହିତ ଖେଳ ଖେଳିବା ସହିତ ସମାନ। ଯାହାକି ଆଗାମୀ ଦିନରେ ଦେଶକୁ ବିପଦରେ ପକାଇ ପାରେ। ତେଣୁ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ।

ଏନଆଇଏ ସୂତ୍ରରୁ ପ୍ରକାଶ, ସିଆରପିଏଫ ଯବାନଙ୍କ ଏଭଳି କାର୍ଯ୍ୟ କେବଳ ଦେଶର ସୁରକ୍ଷା ପାଇଁ ନୁହେଁ ବରଂ ଭାରତଗସ୍ତରେ ଆସୁଥିବା ବିଦେଶୀ ନାଗରିକ ଏବଂ ଦେଶବାସୀଙ୍କ ଜୀବନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ।

କୋର୍ଟ ଅଭିଯୁକ୍ତ ଯବାନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ଦୂରୀକରଣ ଆଇନ (ୟୁଏପିଏ)ର ଧାରା ୧୫, ୧୮ଅନୁଯାୟୀ ମାମଲା ପଞ୍ଜିକରଣକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ ଏପରି ଅପରାଧର ତଦନ୍ତ କରିବା ସମୟରେ ପ୍ରତ୍ୟେକ ଦିଗର ତଦନ୍ତ କରାଯିବା ଆବଶ୍ୟକ।

ଏହା କେବଳ ଜଣେ ବ୍ୟକ୍ତିଙ୍କ ଅପରାଧ ନୁହେଁ ବରଂ ସୁରକ୍ଷା ବ୍ୟବସ୍ଥା ଉପରେ ସିଧାସଳଖ ଆକ୍ରମଣ କରାଯାଇଛି। ଅଭିଯୁକ୍ତ ଯବାନଙ୍କୁ ଗିରଫ କରାଯାଇଛି। ବିଚାର ପାଇଁ ତାଙ୍କୁ ଜୁନ୬ରେ କୋର୍ଟରେ ହାଜର କରାଯିବ। 
ଏହି ଗିରଫଦାରୀ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତର ଏକ ଅଂଶ। ଯେଉଁଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା।

ମଇ ୧୭ ତାରିଖରେ ସିଆରପିଏଫ ଅଧିକାରୀମାନେ ଗିରଫ ଯବାନଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ସୂଚନା ପାଇଥିଲେ, ଯାହା ପରେ ତାଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଥିଲା। ମଇ ୨୧ ତାରିଖରେ ଯବାନଙ୍କୁ ଏନଆଇଏ  ଆନୁଷ୍ଠାନିକ ଭାବରେ ଗିରଫ କରିଥିଲା।

ତଦନ୍ତରୁ ଜଣାପଡିଛି ଯେ ଯବାନ ଜଣକ ଭାରତୀୟ ସୁରକ୍ଷା ବାହିନୀ ଏବଂ ସାମରିକ ଘାଟିର କାର୍ଯ୍ୟକଳାପ ସହିତ ଜଡ଼ିତ ଅନେକ ସମ୍ବେଦନଶୀଳ ସୂଚନା ପାକିସ୍ତାନୀ ଏଜେଣ୍ଟମାନଙ୍କୁ ଦେଇଥିଲେ। 

ଗିରଫ ଯବାନ ଜଣକ ଗତ କିଛି ମାସ ଧରି ସୀମା ଆରପାରିରେ ଥିବା ପାକିସ୍ତାନୀ ଏଜେଣ୍ଟମାନଙ୍କ ସହ ସମ୍ପର୍କରେ ଥିଲେ। ସେ କାହାର ମାଧ୍ୟମରେ କେଉଁମାନଙ୍କୁ ଯୋଗଯୋଗ କରିଥିଲେ। ଏଥିପାଇଁ ସେ କେତେ ଟଙ୍କା ନେଇ ଏହି ସୂଚନା ସେୟାର କରିଥିଲେ ତାହାର ମଧ୍ୟ ଏନଆଇଏ  କଡ଼ାକଡ଼ି ତଦନ୍ତ କରୁଛି।