ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । ବିଶ୍ୱ ସମୁଦାୟ ନିକଟରୁ କୌଣସି ସମର୍ଥନ ପାଇପାରିନଥିବା ପାକିସ୍ତାନ ଅସହାୟ ହୋଇ ଏବେ ଭାରତ ବିରୋଧରେ ମିଥ୍ୟା ପ୍ରଚାର ଆରମ୍ଭ କରିଛି । ଏପରିକି ଭାରତୀୟ ସୁରକ୍ଷାବଳ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ପାକିସ୍ତାନ ପକ୍ଷରୁ ବିଭିନ୍ନ ମିଥ୍ୟାପ୍ରଚାର ବା ପ୍ରୋପାଗେଣ୍ଡା ଚଳାଯାଉଛି ।

Advertisment

ପାକିସ୍ତାନର କରାଚୀରୁ ଅପରେଟ ହେଉଥିବା ଏକ ଟ୍ଵିଟର ହାଣ୍ଡଲ ମାଧ୍ୟମରେ ଆଜି ଏକ ଟ୍ଵିଟ କରି କୁହାଯାଇଥିଲା ଯେ କଶ୍ମୀର ପୁଲିସର ଗୁଳିମାଡରେ ୫ ସିଆରପିଏଫ ଯବାନ ନିହତ ହୋଇଛନ୍ତି । ସିଆରପିଏଫ ପକ୍ଷରୁ ଜଣେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନଛାଡିବାରୁ କଶ୍ମୀର ପୁଲିସର ଯବାନଜଣକ ଏହି କାଣ୍ଡ ଘଟାଇଛନ୍ତି ବୋଲି ଏହି ଟ୍ଵିଟରେ ଲେଖାଯାଇଛି ।

କିନ୍ତୁ ଉଭୟ ସିଆରପିଏଫ ଓ କଶ୍ମୀର ପୁଲିସ ପକ୍ଷରୁ ଦୃଢତାର ସହ ଏହି ଖବରକୁ ଖଣ୍ଡନ କରାଯାଇଛି । ସିଆରପିଏଫ ପକ୍ଷରୁ ଟ୍ଵିଟ କରି କୁହାଯାଇଛି ଯେ ଏହି ଖବର ଭିତ୍ତିହୀନ ଓ ମିଥ୍ୟା । ଭାତୀୟ ସୁରକ୍ଷା ବଳମାନେ ପରସ୍ପର ମଧ୍ୟରେ ଉତ୍ତମ ସମନ୍ଵୟ ରଖି କାର୍ଯ୍ୟ କରୁଛନ୍ତି । ସମସ୍ତଙ୍କ ୟୁନିଫର୍ମ ଅଲଗା ଅଲଗା ହେଲେ ମଧ୍ୟ ସମସ୍ତଙ୍କ ହୃଦୟରେ ତ୍ରିରଙ୍ଗା ରହିଛି ।