ନୂଆଦିଲ୍ଲୀ:   କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା  ରାହୁଲ ଗାନ୍ଧୀଙ୍କ ବିଦେଶ ଯାତ୍ରା ସମୟରେ ସୁରକ୍ଷା ପ୍ରୋଟୋକଲ ଉଲ୍ଲଂଘନ ନେଇ ଗୁରୁତର ଅଭିଯୋଗ ଆଣିଛି  କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆର୍‌ପିଏଫ୍) । ଏ ସଂକ୍ରାନ୍ତରେ ସିଆର୍‌ପିଏଫ୍‌ ପକ୍ଷରୁ ଏକ ପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲଙ୍କୁ ପଠାଯାଇଛି। ସିଆର୍‌ପିଏଫ୍‌ର ଭିଭିଆଇପି ସୁରକ୍ଷା ମୁଖ୍ୟଙ୍କ ଅନୁମୋଦନରେ ଲେଖାଯାଇଥିବା ଏହି ପତ୍ରରେ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ନିଜର ସୁରକ୍ଷା ବଳୟକୁ ଗମ୍ଭୀରତାର ସହ ନେଉନାହାନ୍ତି ଏବଂ ବିଦେଶ ଯାତ୍ରା ସମୟରେ  କାହାକୁ ମଧ୍ୟ ସୂଚନା ନଦେଇ ଯାଉଥିବାରୁ ଏହା ସିଆରପିଏଫ୍‌ର ପ୍ରୋଟୋକଲ୍‌ ନିୟମକୁ ଉଲ୍ଲଂଘନ କରୁଛି।

Advertisment

ପତ୍ରରେ ରାହୁଲଙ୍କ ନିର୍ଦ୍ଦିଷ୍ଟ ବିଦେଶ ଯାତ୍ରାକୁ  ମଧ୍ୟ ଉଲ୍ଲେଖ କରାଯାଇଛି।  ସେଗୁଡ଼ିକ ହେଲା- ଇଟାଲୀ (୨୦୨୩-୨୪ ଡିସେମ୍ବର ୩୦ରୁ ଜାନୁଆରି ୯), ଭିଏତନାମ (ମାର୍ଚ୍ଚ ୧୨-୧୭), ଦୁବାଇ (ଏପ୍ରିଲ୍ ୧୭-୨୩), କତର (ଜୁନ ୧୧-୧୮), ଲଣ୍ଡନ (ଜୁନ ୨୫ରୁ ଜୁଲାଇ ୬) ଏବଂ ମାଲେସିଆ (ସେପ୍ଟେମ୍ବର ୪-୮)।  ସୂଚନାଯୋଗ୍ୟ ରାହୁଲଙ୍କୁ ଜେଡ୍ ପ୍ଲସ୍‌ ଶ୍ରେଣୀର ସୁରକ୍ଷା ପ୍ରଦାନ କରାଯାଇଛି, ଯେଉଁଥିରେ ୫୫ ଜଣ ସୁରକ୍ଷା କର୍ମୀ, ଏନ୍‌ଏସ୍‌ଜି କମାଣ୍ଡୋ ଏବଂ ଆଡଭାନ୍ସଡ ସିକ୍ୟୁରିଟି ଲିଏଜନ୍ (ଏଏସ୍‌ଏଲ୍) ଅନ୍ତର୍ଭୁକ୍ତ। ଏହା ସହିତ ସ୍ଥାନୀୟ ପୁଲିସ ଓ ଗୁଇନ୍ଦା ବିଭାଗ ସମନ୍ବୟ ମଧ୍ୟ ରହିଛି।

ଏହା ପୂର୍ବରୁ ୨୦୨୨ରେ ସିଆର୍‌ପିଏଫ୍ ଦାବି କରିଥିଲା ଯେ ୨୦୨୦ରୁ ରାହୁଲ ୧୧୩ ଥର ପ୍ରୋଟୋକଲ୍ ଉଲ୍ଲଂଘନ କରିଛନ୍ତି। ୨୦୨୩ରେ କଶ୍ମୀର ଗସ୍ତ ସମୟରେ ରାହୁଲ ବଡ଼ ଧରରଣ ସୁରକ୍ଷା ଉଲ୍ଲଂଘନ କରିଥିବା ମଧ୍ୟ ଦର୍ଶାଯାଇଥିଲା।  ‘ଭାରତ ଯୋଡ଼ୋ’ ଯାତ୍ରା ସମୟରେ ରାହୁଲ ତୁହାକୁ ତୁହା ସୁରକ୍ଷା ପ୍ରୋଟୋକଲ୍‌ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ସମ୍ପ୍ରତି ବିହାରରେ  ‘ଭୋଟର ଅଧିକାର ଯାତ୍ରା’ ସମୟରେ  ଜଣେ  ଅଜଣା ବ୍ୟକ୍ତି ରାହୁଲଙ୍କୁ ଜୋର୍‌ରେ ଆଲିଙ୍ଗନ କରି କାନ୍ଧରେ ଚୁମ୍ବନ କରିଥିଲା। ରାହୁଲ ଏହାକୁ ପ୍ରଶ୍ରୟ ଦେବା ସୁରକ୍ଷା କର୍ମୀଙ୍କ ଅଡ଼ୁଆ ବଢ଼ାଇ ଦେଇଥିଲେ। 
ସିଆର୍‌ପିଏଫ୍‌ର ସୁରକ୍ଷା ଉଲ୍ଲଂଘନ ସଂକ୍ରାନ୍ତ ପତ୍ରକୁ ନେଇ ଆଜି  ବିଜେପି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍‌ କରିଛି ଏବଂ  ପ୍ରଶ୍ନ ଉଠାଇଛି ଯେ ବିଦେଶ ଗସ୍ତ ସମୟରେ କ’ଣ ଘଟେ, ଯେଉଁଥିପାଇଁ ରାହୁଲ ନିଜ ସୁରକ୍ଷା ଉପରେ ବିଶ୍ୱାସ କରନ୍ତି ନାହିଁ? ରାହୁଲ ଗାନ୍ଧୀ  ସେଠାରେ  ଗୁପ୍ତ ବୈଠକ କରିବାକୁ ଯାଆନ୍ତି ଏବଂ ସେଠାରୁ ଏପରି କ’ଣ ତଥ୍ୟ ଆସେ, ଯାହାପାଇଁ ସେ  ସୁରକ୍ଷା ନୀତି ଉଲ୍ଲଂଘନ କରନ୍ତି ବୋଲି ବିଜେପି ଜାତୀୟ ମୁଖପାତ୍ର ଶେହଜାଦ ପୁନାୱାଲା ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଅଜ୍ଞାତ କାର୍ଯ୍ୟକଳାପ ସଂପର୍କରେ ଲୋକେ ଜାଣିବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଏହାର ଜବାବ ଦେଇ କହିଛି ଯେ ରାହୁଲ ଗାନ୍ଧୀ ‘ଭୋଟ୍‌ ଚୋରି’ ପ୍ରସଙ୍ଗ ଉଠାଇଥିବାରୁ ତାଙ୍କୁ ଟାର୍ଗେଟ୍‌ କରିବା ପାଇଁ ବିଜେପି ଏଭଳି ପ୍ରସଙ୍ଗ ଉଠାଉଛି। କଂଗ୍ରେସ ମୁଖପାତ୍ର ପୱନ ଖେଡ଼ା କହିଛନ୍ତି, ‘ଭୋଟ୍‌ ଚୋରି’ ପ୍ରସଙ୍ଗରେ ସରକାର ବ୍ୟତିବ୍ୟସ୍ତ ହୋଇଉଠିଛନ୍ତି ଏବଂ ଏଥିପାଇଁ ସେମାନେ ଡରାଇବା ଆରମ୍ଭ କରିଛନ୍ତି। ସିଆର୍‌ପିଏଫ୍‌ ଖଡ଼ଗେଙ୍କୁ ଲେଖିଥିବା ପତ୍ର କିଭଳି ସାର୍ବଜନୀନ ହେଲା ସରକାର ତାହାର ଜବାବ ଦିଅନ୍ତୁ ବୋଲି ଖେଡ଼ା ଦାବି କରିଛନ୍ତି।