କେନ୍ଦ୍ର ସରକାର ବିଦ୍ରୋହୀ ନେତାଙ୍କୁ ନୁହେଁ କଶ୍ମୀରୀ ପଣ୍ଡିତଙ୍କୁ ସୁରକ୍ଷା ଯୋଗାଇବା ଉଚିତ୍: ଆଦିତ୍ୟ ଠାକରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଚାଲିଥିବା ବେଳେ ଆଜି କେନ୍ଦ୍ର ସରକାର ୧୫ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ‘ୱାଇ+’ ସୁରକ୍ଷା ଯୋଗାଇ ଦେଇଛନ୍ତି। ଏହି ବ୍ୟବସ୍ଥା ଅନୁସାରେ, ସଶସ୍ତ୍ର ‘ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ’ (ସିଆର୍‌ପିଏଫ୍‌) କର୍ମଚାରୀ ସେମାନଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହେବେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଏବେ ନିଜର ପ୍ରତିକ୍ରିୟା ଦେଇଛନ୍ତି ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ।

ସେ କହିଛନ୍ତି ଯେ, କେନ୍ଦ୍ର ସରକାର ବିଦ୍ରୋହୀ ନେତାଙ୍କୁ ନୁହେଁ କଶ୍ମୀରୀ ପଣ୍ଡିତଙ୍କୁ ସୁରକ୍ଷା ଯୋଗାଇବା ଉଚିତ୍। ସେମାନଙ୍କୁ ସୁରକ୍ଷାର ଆବଶ୍ୟକତା ରହିଛି। ହେଲେ ସେମାନଙ୍କୁ ସିଆରପିଏଫ ସୁରକ୍ଷା ଦେବା ପରିବର୍ତ୍ତେ କେନ୍ଦ୍ର ସରକାର ବିଦ୍ରୋହୀ ନେତାଙ୍କୁ ସୁରକ୍ଷା ଦେଇଛନ୍ତି। ବିଦ୍ରୋହୀମାନେ ଶିବସେନାର ପ୍ରତୀକ କିମ୍ବା ପାର୍ଟି ପ୍ରତି ଥିବା ଜନତାଙ୍କ ଭଲପାଇବାକୁ ଛଡ଼ାଇ ନେଇ ପାରିବେ ନାହିଁ। ମୁଁ ସେମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚ୍ୟାଲେଞ୍ଜ କରୁଛି, ଆମେ ସେମାନଙ୍କ ବିରୋଧରେ ଠିଆ ହେବୁ।

ବିଦ୍ରୋହୀ ବିଧାୟକମାନଙ୍କ ପରିବାରବର୍ଗଙ୍କୁ ଯୋଗାଇ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରାଯାଇଛି ବୋଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ଗୃହମନ୍ତ୍ରୀ ଦିଲୀପ ୱାଲ୍‌ସେ, ଡିଜିପି ରଜନୀଶ ସେଠ୍‌ ଏବଂ ଅନ୍ୟାମାନଙ୍କୁ ଏକନାଥ ସିନ୍ଦେ ଅଭିଯୋଗ ପତ୍ର ଲେଖିବାର ଦିନକ ପରେ କେନ୍ଦ୍ର ସରକାର ଉପରୋକ୍ତ ବ୍ୟବସ୍ଥା କରିଛନ୍ତି।

‘ଏଏନ୍‌ଆଇ’ ରିପୋର୍ଟ ଅନୁସାରେ, ରମେଶ ବୋର୍ଣ୍ଣାରେ, ମଙ୍ଗେଶ କୁଡ଼ାଲକର୍‌, ସଞ୍ଜୟ ଶାସ୍ତ୍ରୀ, ଲତାବାଈ ସୋନାୱାନେ, ପ୍ରକାଶ ସୁରୱେ, ସଦାନନ୍ଦ ସର୍ଣ୍ଣାବନକାର, ଯୋଗେଶ ଦାଦା କଦମ, ପ୍ରତାପ ସରନାଇକ, ଯାମିନି ଯାଦବ, ପ୍ରଦୀପ ଜୟସୱାଲ୍‌, ସଞ୍ଜୟ ରାଠୋର୍‌, ଦାଦାଜି ଭୁସେ, ଦିଲୀପ ଲାଣ୍ଡେ, ବାଲାଜି କଲ୍ୟାଣକର, ସନ୍ଦୀପନ ଭୂମାରେ ଆଦି ବିଧାୟକଙ୍କୁ ଉପରୋକ୍ତ ସୁରକ୍ଷା ଯୋଗାଇ ଦିଆଯାଇଛି।

ସମ୍ବନ୍ଧିତ ଖବର