ଜମ୍ମୁ ଓ କଶ୍ମୀରର ଝେଲମ୍ ନଦୀରେ ବୁଡ଼ିଯାଉଥିବା କୁକୁରକୁ ଉଦ୍ଧାର କଲେ ସିଆର୍‌ପିଏଫ୍ ଟିମ୍

ଶ୍ରୀନଗର: ଆତଙ୍କବାଦୀ ନିରୋଧୀ ଅଭିଯାନ ଚଳାଉଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ୍) ଝେଲମ୍ ନଦୀରେ ବୁଡ଼ିଯାଉଥିବା ସାମାନ୍ୟ ଗୋଟାଏ କୁକୁରକୁ ମଧ୍ୟ ଉଦ୍ଧାର କରିଛନ୍ତି।

ଶୁକ୍ରବାର ଦିନ ସେ ଅଞ୍ଚଳରେ ରୁଟିନ୍ ପାଟ୍ରୋଲିଙ୍ଗ୍‌ କରୁଥିବା ‘ସିଆର୍‌ପିଏଫ୍’ ଟିମ୍ ଦେଖିଲେ ଝେଲମ୍ ନଦୀରେ ଗୋଟାଏ କୁକୁର ବୁଡ଼ିଯାଉଛି। ଲକ୍‌ଡାଉନ୍‌ ଯୋଗୁଁ ଆଖପାଖରେ କୁକୁରଟିକୁ ଦେଖି ଉଦ୍ଧାର କରିବାକୁ କେହି ନ ଥାନ୍ତି। ପରିସ୍ଥିତିକୁ ହୃଦୟଙ୍ଗମ କରି ୨୩ ବାଟାଲିୟାନ୍‌ର ସାହସୀ ସିଆର୍‌ପିଏଫ୍ କର୍ମଚାରୀମାନେ କୁକୁରଟିକୁ ବଞ୍ଚାଇବାକୁ ନିଷ୍ପତ୍ତି ନେଲେ।

Image Source: Zee News

ସବ୍-ଇନ୍‌ସ୍‌ପେକ୍ଟର୍ ବିକାଶ ପାଣ୍ଡେଙ୍କ ନେତୃତ୍ବରେ ସିଆର୍‌ପିଏଫ୍ କର୍ମଚାରୀମାନେ ବଞ୍ଚିବାକୁ ଅସହାୟ ଭାବେ ଉଦ୍ୟମ କରିଥିବା କୁକୁରଟିକୁ ଉଦ୍ଧାର କରିବାକୁ ଗୋଟାଏ ରୀତିମତ ଅଭିଯାନ ଆରମ୍ଭ କଲେ। ଜଣେ ଯବାନଙ୍କୁ ଗୋଟାଏ ଶିଡ଼ି ଓ ଖଣ୍ଡେ ଲମ୍ବା ଦଉଡ଼ି ଯୋଗାଡ଼ କରିବାକୁ ପଠାଗଲା। ଅନ୍ୟ ଜଣେ ଯବାନଙ୍କୁ କୁହାଗଲା କୁକୁର ଉପରେ ଦୃଷ୍ଟି ରଖିବାକୁ। ଏହାପରେ ସିଆର୍‌ପିଏଫ୍ କୁକୁରଟିକୁ ଉଦ୍ଧାର କରିବାକୁ ବିଭିନ୍ନ ପ୍ରକାର ପ୍ରୟାସ କରି ବିଫଳ ହେଲେ। ବଞ୍ଚିବାକୁ ଉଦ୍ୟମ ଚଳାଇଥିବା କୁକୁର ବରାବର ନିଜର ସ୍ଥିତି ବଦଳାଉଥିବାରୁ ଓ ଭୁକାଭୁକି କରୁଥିବାରୁ ସିଆର୍‌ପିଏଫ୍ କର୍ମଚାରୀମାନେ ତାକୁ ନଈରୁ ବାହାର କରିବାକୁ ସମର୍ଥ ହେଲେନାହିଁ।

ସବୁ ଉଦ୍ୟମ ବିଫଳ ହେବା ପରେ ଜଣେ ସିଆର୍‌ପିଏଫ୍ ଯବାନ ବୁଲେଟ୍ ପ୍ରୁଫ୍ ଭେଷ୍ଟ୍ ଓହ୍ଲାଇ ଅନ୍ୟମାନଙ୍କ ସହାୟତାରେ ଶିଡ଼ି ଯୋଗେ ପାଣିକୁ ପଶିଲେ ଓ କୁକୁରଟିକୁ ଟାଣି ଟାଣି ନେଇ ଆସିଲେ।

ଏସ୍ଆଇ ବିକାଶ ପାଣ୍ଡେ କହନ୍ତି, ସେ ମଣିଷ ହେଉ କି, ପଶୁ ସମସ୍ତଙ୍କୁ ସାହାଯ୍ୟ ଓ ଉଦ୍ଧାର କରିବା ଆମର କର୍ତ୍ତବ୍ୟ। ସେଥିପାଇଁ ଆମର  ନୀତିବାକ୍ୟ ହେଉଛି- ସେବା ଓ ବିଶ୍ବସ୍ତତା।

 

 

ସମ୍ବନ୍ଧିତ ଖବର