ସିଆରପିଏଫ ପ୍ରଜ୍ଞାପନ ମେଢ ମାର୍ଚ୍ଚିଂ କଣ୍ଟିଜେଣ୍ଟରେ ଦୁଇ ଓଡ଼ିଆ ମହିଳା

ନୂଆଦିଲ୍ଲୀ: ଗତବର୍ଷ ଭଳି ଏଥର ମଧ୍ୟ ୭୩ତମ ସାଧାରଣତନ୍ତ୍ର ଦିବସର ଜାତୀୟ ପରେଡରେ ଦିଲ୍ଳୀର ରାଜପଥରେ ବିଶ୍ବର ସବୁଠାରୁ ବଡ ଅର୍ଦ୍ଧ ସାମରିକ ବାହିନୀ (ପାରାମିଲିଟାରି ଫୋର୍ସ) କେନ୍ଦ୍ରୀୟ ରିର୍ଜଭ ପୁଲିସ ବାହିନୀ (ସିଆରପିଏଫ)ର ପ୍ରଜ୍ଞାପନ ମେଢ ଗଡିବ। ସିଆରପିଏଫର ପ୍ରଜ୍ଞାପନ ମେଢର କଣ୍ଟିଜେଣ୍ଟ ମାର୍ଚ୍ଚିଂରେ ସମୁଦାୟ ୧୮ ଜଣ ଯବାନ ରହିଛନ୍ତି ଯେଉଁଥିରେ ୫ ଜଣ ମହିଳା ଅଛନ୍ତି । ଏହି ୫ ମହିଳାଙ୍କ ମଧ୍ୟରୁ ଦୁଇଜଣ ଓଡିଆ ରହିଛନ୍ତି ।

ସେମାନେ ହେଲେ ଢେଙ୍କାନାଳ ଜିଲ୍ଲାର –ପ୍ରିୟଦର୍ଶନୀ ଏବଂ ଜ୍ୟୋର୍ତିମୟୀ ସାହୁ। ଦୁଇ ଓଡି୍ଆ ମହିଳା ସିଆରପିଏଫରେ କନେଷ୍ଟବଳ ରୂପେ ଅବସ୍ଥାପିତ ଅଛନ୍ତି। ପ୍ରିୟଦର୍ଶନୀ କ୍ରମାଗତ ଦୁଇ ବର୍ଷଧରି ସିଆରପିଏଫର ପ୍ରଜ୍ଞାପନ ମେଢରେ ମାର୍ଚ୍ଚିଂ କଣ୍ଟିଜେଣ୍ଟରେ ଚୟନ ହୋଇଛନ୍ତି। ୨୦୨୦ର ସାଧାରଣତନ୍ତ୍ର ଦିବସ ପରେଡରେ ସିଆରପିଏଫର ଅଲ ୱିମେନ ବାଇକର୍ସ କଣ୍ଟିଜେଣ୍ଟର ଡେୟାର ଡେଭିଲ ଷ୍ଟଣ୍ଟ ପ୍ରର୍ଦଶନରେ ପ୍ରିୟଦର୍ଶନୀ ବେଶ ପ୍ରଶଂସା ସାଉଁଟିଥିଲେ।

ପ୍ରଜ୍ଞାପନ ମେଢ ମାର୍ଚ୍ଚିଂ କଣ୍ଟିଜେଣ୍ଟରେ ସାମିଲ ହେବାପାଇଁ ହୋଇଥିବା ପ୍ରତିଯୋଗିତାରେ ସଫଳ ହେବାପରେ ୧୮ଜଣଙ୍କୁ ମାର୍ଚ୍ଚିଂ କଣ୍ଟିଜେଣ୍ଟରେ ସାମିଲ କରାଯାଇଛି। ପ୍ରଜ୍ଞାପନ ମେଢର ମାର୍ଚ୍ଚିଂ କଣ୍ଟିଜେଣ୍ଟରେ ପ୍ରତିନିଧିତ୍ବ କରିବା ଗର୍ବର କଥା ବୋଲି ଦୁଇ ଓଡିଆ ମହିଳା ସିଆରପିଏଫ କନେଷ୍ଟବଳ ସେମାନଙ୍କର ପ୍ରତିକ୍ରିୟାରେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ସିଆରପିଏଫର ପ୍ରଜ୍ଞାପନ ମେଢରେ ଫୋର୍ସର ମାଓ ବିରୋଧି ଅଭିଯାନରେ ସାମିଲ ,ଜମ୍ମ-କଶ୍ମର ତଥା ଉଗ୍ରବାଦ ପ୍ରଭାବିତ ପୂର୍ବୋତ୍ତର ଭାରତୀୟ ରାଜ୍ୟମାନଙ୍କରେ ମୁତୟନ ଓ ଅନ୍ୟ ଆଇନ ଶୂଖଂଳା କାର୍ଯ୍ୟରେ ଦାୟିତ୍ବ ନିର୍ବାହ ଭଳି କାର୍ଯ୍ୟଗୁଡିକୁ ପ୍ରର୍ଦଶିତ କରାଯାଇଛି।

ସମ୍ବନ୍ଧିତ ଖବର