ଜମ୍ମୁ ଓ କଶ୍ମୀର ପ୍ରସଙ୍ଗରେ ଗୃହ ମନ୍ତ୍ରାଳୟର ଗୋପନ ବୈଠକ ; ଯୋଗଦେଲେ ଡୋଭାଲ, ଗୁଇନ୍ଦା ଓ ସିଆରପିଏଫ ମୁଖ୍ୟ

ନୂଆଦିଲ୍ଲୀ : ପୁଣି ଫୋକସରେ ଜାମ୍ମୁ ଓ କଶ୍ମୀର । ଜମ୍ମୁ ଓ କଶ୍ମୀରକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କେନ୍ଦ୍ର ଗୃହ ମନ୍ତ୍ରାଳୟରେ ଆରମ୍ଭ ହୋଇଛି ।

ଗୃହମନ୍ତ୍ରୀ ଅମିତ ଶାହା ଏହି ବୈଠକରେ ଅଧ୍ୟକ୍ଷତା କରୁଥିବାବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ, କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ର’ ମୁଖ୍ୟ ସାମନ୍ତ କୁମାର ଗୋଏଲ, ଗୁଇନ୍ଦା ବ୍ୟୁରୋ(ଆଇବି) ମୁଖ୍ୟ ଅରବିନ୍ଦ କୁମାର, ସିଆରପିଏଫ ମହାନିର୍ଦ୍ଦେଶକ କୁଳଦୀପ ସିଂ, ଜମ୍ମୁ ଓ କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ଏହି ବୈଠକରେ ଯୋଗଦେଇଛନ୍ତି ।

ବୈଠକଟି କେଉଁ ବିଷୟରେ ହେଉଛି ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଗୋପନୀୟତା ଅବଲମ୍ବନ କରାଯାଇଛି । ଜମ୍ମୁ ଓ କଶ୍ମୀର ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି କଳ୍ପନା କରାଯାଉଛି ।

ତେବେ କଶ୍ମୀର ପ୍ରସଙ୍ଗ ଉପରେ ନିୟମିତ ନଜର ରଖୁଥିବା ସାମ୍ବାଦିକ ଆଦିତ୍ୟ ରାଜ କୌଲ ଟ୍ବିଟ କରି ଲେଖିଛନ୍ତି ଯେ ଏହି ବୈଠକଟି ସମ୍ଭବତଃ ଆଗାମୀ ଅମରନାଥ ଯାତ୍ରା ବାବଦରେ କରାଯାଉଛି । ସୁରକ୍ଷା ଓ କୋଭିଡ କଟକଣା ଦୃଷ୍ଟିରୁ କିପରି ଅମରନାଥ ଯାତ୍ରା ଆୟୋଜନ କରାଯିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଉଛି ।

ସମ୍ବନ୍ଧିତ ଖବର