ପଶ୍ଚିମବଙ୍ଗରେ ଦେଶୀ ବୋମା ବିସ୍ପୋରଣରେ ଶିଶୁ ମୃତ, ଅନ୍ୟ ଜଣେ ଗୁରୁତର

କୋଲକାତା: ସୋମବାର ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ସୁଭାଷପାଲି ଅଞ୍ଚଳରେ ଏକ ଦେଶୀ ବୋମା ବିସ୍ପୋରଣରେ ଜଣେ ୭ ବର୍ଷୀୟ ବାଳକ ନିହତ ହୋଇଥିବା ଜଣାପଡ଼ିଛି। ଏହି ବୋମା ବିସ୍ପୋରଣରେ ଆଉ ଜଣେ ଶିଶୁ ଗୁରୁତର ହୋଇଥିବା ସୂଚନା ରହିଛି। ଘଟଣାଟି ଆଜି ସକାଳ ପ୍ରାୟ ୧୧ଟା ସମୟରେ ଘଟିଥିବା ଜଣାପଡ଼ିଛି।

ଏ ସଂପର୍କରେ ଗଣମାଧ୍ୟମରେ ସୂଚନା ଦେଇ ବର୍ଦ୍ଧମାନ ସହର ଥାନାର ଇନସ୍ପେକ୍ଟର ପିଣ୍ଟୁ ଶାହା କହିଛନ୍ତି କି ୭ ବର୍ଷୀୟ ବାଳକ ଶେଖ୍‌ ଆଫ୍ରୋଜ୍‌ ଓ ୯ ବର୍ଷୀୟ ବାଳକ ଶେଖ୍‌ ଆବ୍ରାହମ୍‌ ନିଜ ଘର ପାଖରେ ଖେଳୁଥିଲେ। ସେ ଦୁହେଁ ଖେଳିବା ସମୟରେ ଦେଶୀ ବୋମା ପଶିଥିବା ଏକ ବସ୍ତା ସହ ପିଟି ହୋଇଯିବାରୁ ବୋମା ବିସ୍ଫୋରଣ ଘଟିଥିଲା।

ବିସ୍ଫୋରଣ ଘଟିବା ପରେ ପରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇ ଦୁଇ ଜଣଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣା ସଂପର୍କରେ ବୋମା ସ୍କ୍ବାଡ୍‌କୁ ସୂଚନା ଦିଆଯାଇଛି। ଏ ନେଇ ତଦନ୍ତ ଆରମ୍ଭ ହୋଇଛି। ଆଗକୁ ନିର୍ବାଚନ ଥିବା ବେଳେ ଏପରି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର