ରୁଷରୁ ପ୍ରଚୁର ପରିମାଣରେ ତେଲ ମଗାଇଛି ଭାରତ

ନୂଆଦିଲ୍ଲୀ : ରୁଷରୁ ପ୍ରଚୁର ପରିମାଣରେ ତେଲ ମଗାଇଛି ଭାରତ । ଏସବୁ ତେଲ ଜାହାଜରେ ଭର୍ତ୍ତି ହୋଇ ଭାରତ ଅଭିମୁଖେ ଆସୁଛି ବୋଲି ଜଣାପଡ଼ିଛି । କେବଳ ଭାରତ ନୁହେଁ, ଚୀନ ମଧ୍ୟ ପ୍ରଚୁର ପରିମାଣରେ ତେଲ ଅର୍ଡର ଦେଇଛି ।

କମୋଡିଟି ଡାଟା ଆନାଲିସିସ ସଂସ୍ଥା କେପଲରର ରିପୋର୍ଟ ଅନୁସାରେ  ପ୍ରାୟ ୭୪ରୁ ୭୯ ନିୟୁତ ବ୍ୟାରେଲ ତେଲ ଭାରତ ଓ ଚୀନ ଅଭିମୁଖେ ଆସୁଛି । ଗତ ଫେବ୍ରୁଆରି ମାସରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ୟୁରୋପୀୟ ଦେଶମାନେ ରୁଷିଆରୁ ତେଲ କ୍ରୟ କମାଇଦେବା ପରେ ଏସୀୟ ରାଷ୍ଟ୍ର ବିଶେଷକରି ଚୀନ ଓ ଭାରତ ରୁଷିଆଠାରୁ ପ୍ରଚୁର ପରିମାଣରେ ତେଲ କିଣୁଛନ୍ତି । ଗତ ଏପ୍ରିଲ ମାସରେ ରୁଷରୁ ତେଲ କ୍ରୟ ମାମଲାରେ ଏସିଆ ୟୁରୋପକୁ ଟପିଯାଇଛି । ମେ ମାସରେ ଏହି ବ୍ୟବଧାନ ଆହୁରି ବଢିବାର ସମ୍ଭାବନା ରହିଛି । ଭାରତ ଓ ଚୀନକୁ ଅଧିକ ରିହାତି ଦେଇ ରୁଷ ତେଲ ବିକ୍ରି କରୁଛି । ଏପରିକି ଗତ ଏପ୍ରିଲ ମାସରେ ଚୀନ ତୁଳନାରେ ଭାରତ ରୁଷରୁ ଅଧିକ ତେଲ କିଣିଥିଲା । ରୁଷରୁ ତେଲ କ୍ରୟ କମାଇବାକୁ ଆମେରିକା ଓ ଅନ୍ୟ କେତେକ ଦେଶଙ୍କ ଚାପ ସତ୍ତ୍ବେ ଭାରତ ରାଜନୀତି ଅପେକ୍ଷା ନିଜର ଅର୍ଥନୀତି ଉପରେ ଅଧିକ ଗୁରୁତ୍ବ ଦେବାକୁ ଉଚିତ ମନେ କରିଥିଲା । ଭାରତର ଏହି ନୀତିକୁ ପାଶ୍ଚାତ୍ୟ ଦେଶମାନେ ସମାଲୋଚନା କରିଥିଲେ ।

 

 

ସମ୍ବନ୍ଧିତ ଖବର