ବିଶ୍ୱ ବଜାରରେ ତେଲ ଦର କମିଲା, ଭାରତରେ କମିବ କେବେ ?

ସିଂଗାପୁର : ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଥିବାରୁ ସାଧାରଣ ଲୋକଙ୍କ ସମସ୍ୟା ବଢିଚାଲିଛି । ଏହା ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଇଦେଇଛି । ତେବେ ଏକ ଆଶାଜନକ ଖବର । ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇଛି । ଗତ ୨୧ ତାରିଖରେ ବ୍ରେଣ୍ଟ କ୍ରୁଡ ଅଏଲ ବ୍ୟାରେଲ ପିଛା ୮୦ ଡଲାର ଟପିଯାଇଥିଲା । କିନ୍ତୁ ଏବେ ଏହା ପ୍ରାୟ ୨ ଡଲାର ହ୍ରାସ ପାଇଁ ୭୮ ଡଲାରରେ ପହଞ୍ଚିଛି । ଓପେକ ଦେଶ ଯଥା ସାଉଦି ଆରବ, ଇରାନ, ଇରାକ ଇତ୍ୟାଦି ଏବଂ ଋଷିଆ ପକ୍ଷରୁ ତେଲ ଉତ୍ପାଦନ ବୃଦ୍ଧି ପାଇଁ ଗତ କାଲି ଘୋଷଣା କରାଯିବା ପରେ ବିଶ୍ୱ ବଜାରରେ ଏହି ହ୍ରାସ ଦେଖାଦେଇଛି । ତେବେ ଆସନ୍ତା ଜୁନ ୨୨ରେ ଏହି ଦେଶମାନେ ଯଦି ଉତ୍ପାଦନ ଦିନକୁ ୧୦ ଲକ୍ଷ ବ୍ୟାରେଲ ବୃଦ୍ଧି ପାଇଁ ଚୂଡାନ୍ତ ନିଷ୍ପତ୍ତି ନିଅନ୍ତି ତେବେ ତେଲ ଦର ଆହୁରି ହ୍ରାସ ପାଇବ । ଏହା ଫଳରେ ଭାରତରେ ରାଷ୍ଟ୍ରାୟତ ତେଲ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ ନିଶ୍ଚିତ ଭାବରେ ଦର ହ୍ରାସ କରିବେ ।

ଗତ କିଛିଦିନ ଧରି ତେଲ ଦର ବୃଦ୍ଧି ଯୋଗୁଁ ସରକାର ଭୀଷଣ ଚାପରେ ଥିଲେ । ଆଗକୁ ନିର୍ବାଚନ ଥିବାରୁ ସରକାରଙ୍କ ପାଖରେ ତେଲ ଦର ହ୍ରାସ କରିବା ଛଡା ଅନ୍ୟ କିଛି ଉପାୟ ନାହିଁ । କିନ୍ତୁ ଏବେ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ଧୀରେ ଧୀରେ ହ୍ରାସ ପାଉଥିବାରୁ ତାହା ସରକାରଙ୍କ ଚାପକୁ କିଛିଟା ଲାଘବ କରିବ ।

ସମ୍ବନ୍ଧିତ ଖବର