ଗଭୀର ସମୁଦ୍ରରେ ଘୁରିବୁଲୁଛି କ୍ରୁଜ ଜାହାଜ ଏମଏସ୍‌ ୱେଷ୍ଟର୍ଣ୍ଣଡ୍ୟାମ, କରୋନା ଭାଇରସ ଭୟରେ କୌଣସି ଦେଶ ଆଶ୍ରୟ ଦେଉନାହାନ୍ତି

ହାନୋଇ : ଜାପାନ ଉପକୂଳରେ ଅଟକିରହିଥିବା କ୍ରୁଜ ଜାହାଜ ଡାଇମଣ୍ଡ ପ୍ରିନ୍ସେସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଚାଲିଥିବାବେଳେ ଆଉ ଏକ କ୍ରୁଜ ଜାହାଜ ସାମନାକୁ ଆସିଛି । ଏହା ଜାହାଜର ନାଁ ହେଉଛି ଏମଏସ ୱେଷ୍ଟର୍ଣ୍ଣଡ୍ୟାମ । ଏଥିରେ ପ୍ରାୟ ୧୪୫୫ ଜଣ ଯାତ୍ରୀ ଓ ୮୦୨ ଜଣ କର୍ମଚାରୀ ରହିଛନ୍ତି ।
କରୋନା ଭାଇରସ ଭୟରେ ଏହି ଜାହାଜକୁ କୌଣସି ଦେଶ ନିଜ ଉପକୂଳରେ ଆଶ୍ରୟ ଦେଉନାହାନ୍ତି । ଫଳରେ ଗତ ପ୍ରାୟ ୧୫ ଦିନ ହେଲା ଏହି ଜାହାଜ ସମୁଦ୍ରରେ ଘୁରି ବୁଲୁଛି । ଇତିମଧ୍ୟରେ ଏହି ଜାହାଜକୁ ଜାପାନ, ତାଇଓ୍ଵାନ, ଗୁଆମ,ଫିଲିପାଇନ୍ସ, ଥାଇଲାଣ୍ଡ ଆଦି ଦେଶ ଫେରାଇ ସାରିଲେଣି । ଫଳରେ ଏହି ଜାହାଜରେ ଥିବା ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଏଥିରେ ଥିବା ବରିଷ୍ଠ ନାଗରିକମାନଙ୍କ ଔଷଧ ଶେଷ ହୋଇଆସିଲାଣି । ଅନ୍ୟପକ୍ଷରେ ଜାହାଜରେ ଇନ୍ଧନ ଓ ଅନ୍ୟନ୍ୟ ସାମଗ୍ରୀ ମଧ୍ୟ ଶେଷ ହୋଇଆସିଲାଣି ।
ସୂଚନାଯୋଗ୍ୟ ଯେ ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଚୀନ ସମେତ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । କେବଳ ଚୀନରେ ଏହି ଭାଇରସରେ ସଂକ୍ରମିତ ହୋଇ ୧୧୦୦ରୁ ଅଧିକ ଲୋକ ପ୍ରାଣ ହରେଇସାରିଲେଣି । ଏବେ ପ୍ରାୟ ୨୬ ଟି ଦେଶକୁ ଏହା ବ୍ୟାପିସାରିଲାଣି ବୋଲି ଜଣାଯାଇଛି । ଉହାନରେ ଥିବା ଏକ ପଶୁମାଂସ ବଜାରରେ ଏହି ଭୁତାଣୁ ମନୁଷ୍ୟ ଶରୀରକୁ ଆସିଥିବା ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର