ନୂଆଦିଲ୍ଲୀ: କାହାର ନିୟନ୍ତ୍ରଣରେ ନଥିବା କ୍ରିପ୍ଟୋକରେନ୍ସିର ମୁକାବିଲା ଲାଗି ଜି୨୦ ଦେଶଗୁଡ଼ିକ ସହମତ ହୋଇଛନ୍ତି। ବିଶେଷ କରି ଏହି ମୁଦ୍ରାର ଅପବ୍ୟବହାରକୁ ରୋକିବା ଲାଗି ଏହି ଦେଶଗୁଡ଼ିକ ମିଳିତ ପ୍ରୟାସ କରିବେ। ଏହି ମର୍ମରେ ପ୍ରଥମେ କ୍ରି‌ପ୍ଟୋ କାରବାର ସମ୍ପର୍କିତ ସୂଚନା ଆଦାନପ୍ରଦାନ ଲାଗି ଏକ ବ୍ୟବସ୍ଥା ବିକାଶ କରାଯିବ। ୨୦୨୭ଠାରୁ ସେହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

Advertisment

କ୍ରିପ୍ଟୋକୁ ଆର୍ଥିକ ଜାଲିଆତି, ହେରଫେର, ଟିକସ ଠକେଇ ଭଳି ବେଆଇନ କାର୍ଯ୍ୟରେ ଯେଭଳି ବ୍ୟବହାର କରାନଯିବ ତାହାକୁ ନିଶ୍ଚିତ କରିବାରେ ଏହି ସୂଚନା ଆଦାନପ୍ରଦାନ ବ୍ୟବସ୍ଥା ସହାୟକ ହେବ। କ୍ରିପ୍ଟୋ ବିପଦର ମୁକାବିଲା ଲାଗି ଆର୍ଥିକ ସ୍ଥିରତା‌ ବୋର୍ଡ କରିଥିବା ସୁପାରିସ ଉପରେ ଜି୨୦ ଦେଶଗୁଡ଼ିକର ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନେ ଅଧିକ ଆଲୋଚନା କରିବେ। ଚଳିତ ବର୍ଷ ‌ଅକ୍ଟୋବରରେ ସେହି ବୈଠକ ମରକୋରେ ଅନୁଷ୍ଠିତ ହେବ। କ୍ରିପ୍ଟୋକରେନ୍ସିର ବିକଳ୍ପ ଭାବେ ବିଭିନ୍ନ ଦେଶ ପ୍ରସ୍ତୁତ କରିଥିବା କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି)କୁ ଜି୨୦ ନେତୃବୃନ୍ଦ ସ୍ବାଗତ କରିଛନ୍ତି।